ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ତୃତୀୟ ଲହର ଡର ପଶିଲା; ତନାଘନା କଲା ଓଡ଼ିଶା

0
  • ବିଶ୍ବ ଚିନ୍ତାରେ; ଗୁଲେରିଆ କହିଲେ, ଟିକା ସୁରକ୍ଷା ଦେବା ସମ୍ଭାବନା କ୍ଷୀଣ
  • ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ
  • କୋଭିଡ୍ ନିୟମଗୁଡ଼ିକର କଡ଼ାକଡ଼ି ପ୍ରବର୍ତ୍ତନ ଉପରେ ଗୁରୁତ୍ୱ ଦେଲା ଓଡ଼ିଶା
  • କୋଭିଡ୍ ମୃତକଙ୍କ ଉତ୍ତରାଧିକାରୀଙ୍କୁ ଅନୁକଂପା ସହାୟତା ପ୍ରଦାନକୁ ତ୍ୱରାନ୍ୱିତ କର

ଭୁବନେଶ୍ବର: କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ନେଇ ଏବେ ସାରା ବିଶ୍ବରେ ହଇଚଇ ସୃଷ୍ଟି ହେଲାଣି। ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ନୂଆ ପ୍ରଜାତି କେତେ ସଂକ୍ରାମର, କେତେ ପରିମାଣରରେ କ୍ଷତି ପହଞ୍ଚାଇବ; ତାହା ଆକଳନ ହୋଇନଥିଲେ ହେଁ, ଏହାର କିଭଳି ମୁକାବିଲା କରାଯିବ ସେ ନେଇ ବିଶ୍ବବ୍ୟାପୀ ଚିନ୍ତନ ଆରମ୍ଭ ହୋଇଛି। ବ୍ରିଟେନ୍ ସାମ୍ନାକୁ ଆସି ସବୁ କଟକଣା ବଢ଼ାଇ ଦେଇଛି। ଦେଶକୁ ଦେଶ ଏହି ପ୍ରଜାତି ଡେଇଁବା ଆରମ୍ଭ କଲାଣି। ଇତିମଧ୍ୟରେ ଦକ୍ଷିଣ ଆଫ୍ରିକା ଠାରୁ ଆରମ୍ଭ କରି ବୋସଓ୍ବାନା, ହଂକଂ, ବେଲିଜିୟମ୍, ଇସ୍ରାଏଲ୍, ବିଟ୍ରେନ୍, ଇଟାଲି, ଜର୍ମାନୀ, ଅଷ୍ଟ୍ରେଲିଆ ଆଦିରେ ଏହି ଭୂତାଣୁ ଠାବ ହୋଇଛି। ଏପରିକି ଅଷ୍ଟ୍ରିଆ ଓ ଫ୍ରାନ୍ସରେ ମଧ୍ୟ ଏହି ଭୂତାଣୁ ଚିହ୍ନଟ ହେଲାଣି। ଏଣୁ ବିଭିନ୍ନ ରାଷ୍ଟ୍ ନିଜ ନିଜର କଟକଣା ବଢାଇଛନ୍ତି। ଏହି କାରଣରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ବିଳମ୍ବ ହୋଇପାରେ।

ଏପଟେ ଏମସ ନିର୍ଦ୍ଦେଶକ ଡାକ୍ତର ରଣଦୀପ୍ ଗୁଲେରିଆ କହିଛନ୍ତି, ସ୍ପାଇକ୍ ଫ୍ରୋଟିନର ୩୦ଟି ମ୍ୟୁଟେସନ୍ ହୋଇଥିବାରୁ ଏହା ଟିକା ସୁରକ୍ଷା ବଳୟକୁ ଭେଦ କରିପାରେ। ଅର୍ଥାତ୍ ଟିକା ସୁରକ୍ଷା ଦେଇନପାରେ। ଏଣୁ ‘ଓମିକ୍ରନ୍’କୁ ନେଇ ଚିନ୍ତା ବଢ଼ୁଛି। ଗୁଲେରିଆଙ୍କ ଏଭଳି ମନ୍ତବ୍ୟ ପରେ ଭାରତ ସରକାର ଏ ଦିଗରେ ଅଧିକ ତର୍ଜମା ଆରମ୍ଭ କରିଛନ୍ତି।

ଏପଟେ ଓଡ଼ିଶା ସରକାର ଏହାକୁ ମୂଳରୁ ଗମ୍ଭୀରତାର ସହିତ ନେବା ଆରମ୍ଭ କରିଛନ୍ତି। ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରୁ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବର୍ତ୍ତମାନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ଆରମ୍ଭ ହୋଇଛି। ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଜୀବିକା ନିର୍ବାହ ସହିତ ସଂପୃକ୍ତ ସମସ୍ତ ଅନୁଷ୍ଠାନ, ସଂସ୍ଥା ଏବଂ କାର୍ଯ୍ୟକ୍ରମଗୁଡିକ ପୁନଃ ଆରମ୍ଭ ହୋଇଛି। ତେଣୁ ଏହି ସମୟରେ ସମ୍ଭାବ୍ୟ ତୃତୀୟ ଲହରର ପ୍ରଭାବ ରୋକିବା ନିମନ୍ତେ ଆମକୁ ଅଧିକ ସତର୍କ, ସଜାଗ ଓ କ୍ରିୟାଶୀଳ ହେବାକୁ ପଡ଼ିବ।

ମଣ୍ଡଳ ଉନ୍ନୟନ ଅଧିକାରୀ, ସରପଞ୍ଚ, ୱାର୍ଡମେମ୍ବର, ଅଙ୍ଗନାବାଡ଼ି କର୍ମୀ, ଗ୍ରାମ ଓ ପଞ୍ଚାୟତ ସ୍ତରୀୟ ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ମାନଙ୍କ ମାଧ୍ୟମରେ ସବୁ ଅଞ୍ଚଳର ବାସ୍ତବ ସ୍ଥିତି ବିଷୟରେ ସଠିକ୍ ସୂଚନା ସଂଗ୍ରହ ସହ କୌଣସି ସ୍ଥାନରେ କୋଭିଡ୍ ସଂକ୍ରମଣ ଜଣାପଡ଼ିବା ମାତ୍ରେ ଲକ୍ଷଣ ପ୍ରକାଶ ପାଇବାମାତ୍ରେ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଘରକୁ ଘର ଅଭିଯାନ ମାଧ୍ୟମରେ କୋଭିଡ୍ ଟିକାକରଣକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ କୋଭିଡ୍ ପରିଚାଳନାରେ ଓଡ଼ିଶା ଆନ୍ତର୍ଜାତିକ ସ୍ୱୀକୃତି ପାଇଛି। କୋଭିଡ୍ ଟିକାକରଣରେ ସମଭାବେ ଆଗୁଆ ହୋଇ ଏହି ସୁନାମ ବଜାୟ ରଖିବା ପାଇଁ ଶ୍ରୀ ଜେନା ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା କହଥିଲେ ଯେ କେତେକ ଦେଶରେ କୋଭିଡର ଏକ ନୂଆ ମିଶ୍ରିତ ପ୍ରକାର ଦେଖାଇଛି। ଏହା ଅଧିକ ମିଶ୍ରିତ ଏବଂ ତୀବ୍ର ହେବାର ସମ୍ଭାବନା ରହିଛି । ତେଣୁ ୧୮ ରୁ ଉର୍ଦ୍ଧ୍ଵ ସମସ୍ତ ନାଗରିକଙ୍କର ଶତ ପ୍ରତିଶତ ଟିକାକରଣ ଆମ ପାଇଁ ଏକ ବଡ଼ ପ୍ରତିରୋଧକ ହେବ। କୋଭିଡ୍ ପରୀକ୍ଷା କଲାବେଳେ ‘ଜେନୋମିକ୍ ସିକୁଏନ୍ସିଂ’ କରାଇବା ପାଇଁ ମଧ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଥିଲେ।

କୋଭିଡ୍ ନିରାକରଣ ବ୍ୟବହାର ଯଥା ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଏବଂ ସାନିଟାଇଜର ବ୍ୟବହାର ଆଦିକୁ କଡାକଡି ଭାବେ ପ୍ରବର୍ତ୍ତନ କରାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ନିୟମ ଭଙ୍ଗ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ, ଜୋରିମାନା ଆଦାୟ ଆଦିକୁ ଅଧିକ ସଘନ ଓ ବ୍ୟାପକ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।

କୋଭିଡ୍-୧୯ ମୃତକଙ୍କ ଉତ୍ତରାଧିକାରୀଙ୍କୁ ଅନୁକଂପା ସହାୟତା ରାଶି ପ୍ରଦାନ ବିଷୟ ବୈଠକର ଆଲୋଚନାରେ ସ୍ଥାନ ପାଇଥିଲା। ଏହି ପ୍ରକ୍ରିୟାକୁ ଜନ ସାଧାରଣଙ୍କ ନିମନ୍ତେ ଅଧିକ ସରଳ ଓ ସୁଗମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। କୋଭିଡ୍ ଅଡିଟେଡ୍ ମୃତକଙ୍କ ନିକଟ ସଂପର୍କୀୟଙ୍କୁ ଅନୁକଂପା ରାଶି ପ୍ରଦାନ ନିମନ୍ତେ ପ୍ରକ୍ରିୟାଗତ ଆବଶ୍ୟକତା ପ୍ରତିବନ୍ଧକ ହେବା ଉଚ୍ଚିତ୍ ନୁହେଁ ବୋଲି ଉନ୍ନୟନ କମିସନର ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।
ସବୁ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାର କୋଭିଡ୍ ସ୍ଥିତି, ପ୍ରତିରୋଧାତ୍ମକ କାର୍ଯ୍ୟ ଯୋଜନା ଏବଂ ଅନୁକଂପା ରାଶି ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ ।

Leave A Reply

Your email address will not be published.