ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ଗରମ ରହିବ ଶୀତ ଅଧିବେଶନ

0

ଭୁବନେଶ୍ବର: ଆଜି ଅର୍ଥାତ୍ ବୁଧବାର ଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଏହା ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ସମ୍ପୂର୍ଣ୍ଣ କୋଭିଡ୍ କଟକଣାରେ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟଦିବସ ରହିଛି ଓ ଆଜି ପ୍ରଥମ ଦିନରେ ୨୦୨୧-୨୨ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ ବୋଲି ସ୍ଥିର ହୋଇଛି। ଆଜି ଗୃହ କାର୍ଯ୍ୟ ୧୧ଟା ଆରମ୍ଭ ହେବା ମାତ୍ରେ ଶୋକ ପ୍ରସ୍ତାବ ଆଗତ ହେବ ଓ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ବିୟୋଗ ପରିପ୍ରେକ୍ଷୀରେ ଗୃହ ଅପରାହ୍ନ ୫ଟା ଯାଏ ମୁଲତବୀ ରହିବ। ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ୍ ଆଗତ କରିବେ।

ହେଲେ ଶୀତ ଅଧିବେଶନକୁ ଗରମ କରି ରଖିବ ମମିତା ପ୍ରସଙ୍ଗ। ଯଦିଓ ରାଜ୍ୟ ସରକାର ଆଜି ଏକ ମାଷ୍ଟର କାର୍ଡ ଖେଳି ଏହି ମାମଲାର ତଦାରଖ ଦାୟିତ୍ବ ଜଣେ ଜିଲ୍ଲା ଜଜଙ୍କ ମାଧ୍ୟମରେ କରାଇବା ଲାଗି ହାଇକୋର୍ଟଙ୍କ ଅନୁମତି ଆଣିଛନ୍ତି, ତଥାପି ବିରୋଧୀ ଏହା ଉପରେ କି ଆଭିମୁଖ୍ୟ ଗ୍ରହଣ କରିବେ, ତାହା ଜଣାପଡିନାହିଁ। କାରଣ ଏହା ପୂର୍ବରୁ ତିନି ପ୍ରମୁଖ ଦଳ ବିଜେଡି-ବିଜେପି ଓ କଂଗ୍ରେସ ବିଧାୟକ ଦଳ ବସି ପ୍ରସ୍ତୁତି ସାରିଦେଇଥିଲେ। ଏଣୁ ସେମାନଙ୍କର ତତ୍କାଳ ପ୍ରତିକ୍ରିୟା ଜଣାପଡିନାହିଁ। ତେବେ ଏହି ପ୍ରସଙ୍ଗରେ ବିଜେପି ସିବିଆଇ ତଦନ୍ତ ଦାବି କରିଆସିଛି ଓ କଂଗ୍ରେସ କୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ ପାଇଁ ଦାବି ରଖିଥିଲା। କେବଳ ସେତିକି ନୁହେଁ, ଉଭୟ ଦଳ ଏହି ପ୍ରସଙ୍ଗକୁ ନେଇ ପୂରା ରାଜ୍ୟରେ ଆନ୍ଦୋଳନ ଜାରି ରଖିଛନ୍ତି।

ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇସାରିଛି ଯେ ସେମାନେ ମମିତା ମେହେର ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ହଲାପଟା କରିବେ। ଏହି ଘଟଣାକୁ ଫୋକସ୍‌ରେ ରଖି ପୂରା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି କିପରି ବିପର୍ଯ୍ୟସ୍ତ ହୋଇଛି, ସେ ପ୍ରସଙ୍ଗରେ ସରକାରଙ୍କୁ ନାକେଦମ କରିବାକୁ ଚେଷ୍ଟା କରିବେ। ଏହାସହିତ ନାରୀ ନିର୍ଯାତନା, ମାହାଙ୍ଗା ଡବଲ୍ ମର୍ଡର, ଏସିଏଫ୍ ସୈାମ୍ୟରଂଜନ ରହସ୍ୟଜନକ ମୃତ୍ୟୁ, ପିହୁ ସମେତ ଅନ୍ୟ ଶିଶୁ ଅପହରଣ ଓ ହତ୍ୟା, ମଣ୍ଡି ସମସ୍ୟା, ବେକାରୀ ସମସ୍ୟା, କାମ୍ପା ଓ ଡିଏମ୍‌ଏଫ୍ ଫଣ୍ଡ୍‌ ହରିଲୁଟ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ୍ କାର୍ଡ, ବିଦ୍ୟାଳୟ ରୂପାନ୍ତରୀକରଣ ପ୍ରସଙ୍ଗ ଉଠାଇବେ।

କଂଗ୍ରେସ ବି ମମିତା ମେହେର ହତ୍ୟାକାଣ୍ଡକୁ ବିଧାନସଭା ଅଧିବେଶନରେ ମୁଖ୍ୟ ପ୍ରସଙ୍ଗ କରିବାକୁ ନିଷ୍ପତ୍ତି ନେଇଛି। ହତ୍ୟାକାଣ୍ଡ ପଛରେ କାହାର ହାତ ଅଛି ଓ ଗୁପ୍ତ ମନ୍ତ୍ରଣା ଅଛି, ତାହାର ଅନୁସନ୍ଧାନ କରି ସେହି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିବ। ଏହାବ୍ୟତୀତ ମମିତାଙ୍କ ପରିବାରକୁ ଏକ କୋଟି ଟଙ୍କା ଦେବାକୁ ଦଳ ଦାବି ରଖିବ। ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର ଦାବି ମଧ୍ୟ କରିବେ ବିଧାୟକ। ଚାଷୀଙ୍କ ସମସ୍ୟା, ଉତ୍କଟ ବେରୋଜଗାରୀ ସମସ୍ୟା, ଓବିସି ସଂରକ୍ଷଣ, ହେଲ୍‌ଥ୍‌ କାର୍ଡ ଆଦି ପ୍ରସଙ୍ଗ ଉଠାଇବ ଦଳ।

ବିରୋଧୀଙ୍କୁ ଜବାବ ଦେବା ଲାଗି ସରକାର ମଧ୍ୟ ପୂରା ପ୍ରସ୍ତୁତ ହୋଇ ରହିଛନ୍ତି। କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ଶାସକ ବିଜେଡି ମୁଖ୍ୟ ପ୍ରସଙ୍ଗ କରିବ। ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବେ ବିଜେଡି ନେତା। ଓଡ଼ିଶା ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ମୁହଁତୋଡ଼ ଜବାବ ଦେବା ଲାଗି ବିଜେଡି ମୁଖିଆ ସଙ୍କେତ ଦେଇଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅବହେଳା, ଗ୍ୟାସ୍ ଦରବୃଦ୍ଧି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କେନ୍ଦ୍ରର ଅସହଯୋଗ, ଚାଷୀଙ୍କୁ ଏମ୍ଏସ୍‌ପି ପ୍ରଦାନରେ ସ୍ବାମୀନାଥନ୍ କମିଟି ସୁପାରିସ୍ ଲାଗୁ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, କୋଇଲା ରୟାଲିଟି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଆଦି ପ୍ରସଙ୍ଗ ବିଜେଡି ଉଠାଇବ।କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ସବୁ ଭଲ କାମ ଯେମିତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ, ବିଦ୍ୟାଳୟ ରୂପାନ୍ତରୀକରଣ, ଶ୍ରୀମନ୍ଦିର ପରିକ୍ରମା ଆଦି ପ୍ରସଙ୍ଗରେ ମଧ୍ୟ ଦଳ ଗୃହରେ ଆଲୋଚନା କରିବାକୁ ଚାହିଁବ।ଆଜି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବିଜେଡି କିଭଳି ଭୂମିକା ନିର୍ବାହ କରିବ, ସେ ନେଇ ଦଳର ନେତାଙ୍କ ସାମ୍ନାରେ କଥା ରଖିଥିଲେ।

ତେବେ ସେ ଯାହାହେଉ, ବିଧାନସଭାର ଶୀତ ଅଧିବେଶନ କିନ୍ତୁ ଆରମ୍ଭରୁ ସରଗରମ ରହିବ, ଏହାର ଆଭାସ ମିଳିସାରିଛି। ପ୍ରଥମ ଦିନରୁ ବିରୋଧୀ ଓ ଶାସକ ମୁହାଁମୁହିଁ ହୋଇ ରହିବେ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସବୁ ରାଜନୈତିକ ଦଳ ଏହି ଅଧିବେଶନରୁ ଭରପୂର ଫାଇଦା ନେବା ଲାଗି ଚାହିଁବେ।


Leave A Reply

Your email address will not be published.