ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

0

ପ୍ରଧାନଙ୍କ ବିନା ପଞ୍ଚାୟତରେ ପଦ୍ମ ଫୁଟିବ ତ?
ପରାଜୟର ବୋଝ ମୁଣ୍ଡାଇବେନି ବୋଲି ମୁକୁ ଛାଡିଦେଲେ କି ଓଡ଼ିଶା ମୈଦାନ?
ମୁକୁଙ୍କ ଅବର୍ତ୍ତମାନରେ ପରାକ୍ରମୀ ଗୋଷ୍ଠୀ ଦଳକୁ ସଫଳତା ଦେଇପାରିବେ ତ?

ଭୁବନେଶ୍ବର: ଶୀତ ଋତୁର ଶୀତଳତାକୁ ଏକପ୍ରକାର ହଜାଇଦେଲାଣି ରାଜ୍ୟ ରାଜନୀତିର ପାଣିପାଗ। ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ଓଡ଼ିଶା ପାଣିପାଗ ସେତିକି ଉଷ୍ମ ହେବାରେ ଲାଗିଛି। ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ପଞ୍ଚାୟତର ପାରା ଉପରକୁ ଚଢୁଛି, କମିବା ନାଁ ଧରୁନି। ପ୍ରତି ରାଜନୈତିକ ଦଳ ଫୋକସରେ ପଞ୍ଚାୟତ ନିର୍ବାଚନ ରହିଛି। ଶାସକ ବିଜେଡିର ଚିନ୍ତା ଟିକିଏ ଅଧିକ ରହିଛି। କାରଣ ଏଥର ସେମାନଙ୍କ ଉପରେ ବିପଦ ବିରୋଧୀ ଦଳରୁ କମ୍, ବରଂ ନିଜ ଦଳରୁ ଅଧିକ ରହିଛି। ଏଣୁ ସବୁଠିକ୍ ଠାକ୍ ଥିଲେ ବି ଭୋଟ ଗଣିତ ବିଗିଡିଯିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ୨୦୧୭ ନିର୍ବାଚନ ଫଳାଫଳ କହିସାରିଛି ଯେ କଂଗ୍ରେସର ‘ହାତ’ ଏବେ ଦୁର୍ବଳ, ଥରିବା ଆରମ୍ଭ କରିଛି। ବିଧାନସଭା ନିର୍ବାଚନରେ ସେମାନେ ଏକ ଅଙ୍କକୁ ଚାଲିଆସିଛନ୍ତି। ତା’ ସତ୍ତ୍ବେ ବି ଦଳୀୟ ନେତା ଏଯାଏ ଚେତିନାହାନ୍ତି।

ହେଲେ ରାଜ୍ୟ ରାଜନୀତିରେ ଯେଉଁ ପ୍ରସଙ୍ଗଟି ବେଶୀ ଚର୍ଚ୍ଚା ହେଉଛି, ତାହା ହେଲା, ୨୦୧୭ରେ ଶାସକ ଦଳକୁ କଣ୍ଠାଗ୍ରତ କରିଥିବା ପଦ୍ମ ପୋଖରୀ ଏଥର ଯେମିତି ଶୁଖିଲା ପଡ଼ିଛି। ଚଳିତ ନିର୍ବାଚନରେ ପଦ୍ମ କମ ଫୁଟିବା ପରିବର୍ତ୍ତେ ଫୁଟିଥିବା ଅଞ୍ଚଳରେ ବରଂ ଝଡ଼ିବା ଆଶଙ୍କା ସୃଷ୍ଟି ହେଲାଣି।
ରାଜନୈତିକ ମହଲ ଏହା ପଛରେ ଯେଉଁ ବଡ କାରଣଟି ସଂପର୍କରେ ଠାରୁଛନ୍ତି, ତାହା ହେଲା; ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ବିଜେପିର ପୋଷ୍ଟରବୟଙ୍କ ଅନୁପସ୍ଥିତି। ଆଜ୍ଞା ହଁ! ଆମେ କହୁଛୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା। ଯିଏ ଏବେ ରାଜ୍ୟ ବିଜେପି ୟୁନିଟକୁ ଧରାଛୁଆଁ ଦେଉନଥିବା ଚର୍ଚ୍ଚା ଜୋର ଧରୁଛି।

ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ବ ଆଳରେ ସେ ଓଡ଼ିଶା ରାଜନୀତି ଠାରୁ ଏକପ୍ରକାର ଦୂରେଇ ଯାଇଛନ୍ତି। ଧର୍ମେନ୍ଦ୍ରଙ୍କ ନିରବତା ଏକାଧିକ ସମୀକରଣ ସଂପର୍କରେ ସୂଚାଉଛି। ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଧର୍ମେନ୍ଦ୍ରଙ୍କୁ ଖୋଜାପଡିବା ପଛର ବଡ କାରଣ ହେଉଛି ୨୦୧୭ ପଞ୍ଚାୟତ ନିର୍ବାଚନର ସଫଳତା। ସେବେ ନିର୍ବାଚନରେ ବିଜେପି ଯେଉଁ ସଫଳତା ପାଇଥିଲା ତାହାର ଶ୍ରେୟ କେବଳ ଧର୍ମେନ୍ଦ୍ରଙ୍କୁ ଦିଆଯାଇଥିଲା। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବା ଏହା ଅମୂଳକ ବି ନୁହେଁ। କାରଣ ଧର୍ମେନ୍ଦ୍ରଙ୍କ ରଣନୀତି ହିଁ ସେମିତି ଥିଲା। ତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ କାରଣରୁ ପ୍ରମୁଖ ବିରୋଧୀ ଦଳ ଆସନ ବଦଳିଯାଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ହିଁ ଦଳ ତିନି ନମ୍ବରରୁ ଦୁଇ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିଲା। ଏହାର ଏକମାତ୍ର ଦାବିଦାର ଥିଲେ ଧର୍ମେନ୍ଦ୍ର। ଧର୍ମେନ୍ଦ୍ରଙ୍କ ନୀତି ବଳରେ ବିଜେଡି ଗଡରେ ଗେରୁଆ ବାନା ଉଡିଥିଲା।

ସେବେଠାରୁ ଧର୍ମେନ୍ଦ୍ରଙ୍କୁ ରାଜ୍ୟ ବିଜେପିର ପୋଷ୍ଟରବୟ ଭାବେ ଗଣାଯାଉଥିଲା। ରାଜ୍ୟ ରାଜନୀତିରେ ତାଙ୍କର ଦବଦବା ମଧ୍ୟ ବୃଦ୍ଧି ପାଇଥିଲା। ସେତେବେଳେ ନା ଦଳରେ ଥିଲେ ଦଳରେ ବର୍ତ୍ତମାନର ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନା ଥିଲେ ଦଳରେ ଆଜି ଦିନର ଚର୍ଚ୍ଚିତ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏକାକୀ ଧର୍ମେନ୍ଦ୍ର ହଁ ସ୍ଥାଣୁ ହୋଇ ପଡିଥିବା ରାଜ୍ୟ ବିଜେପିକୁ ଶାସକ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଛିଡା କରିଥିଲେ। ରାଜ୍ୟରେ ବିଜେଡିର ବିକଳ୍ପ ହିଁ ବିଜେପି, କିଛି ଏଭଳି ଧାରଣା ମଧ୍ୟ ସୃଷ୍ଟି ହୋଇଥିଲା। ଆଉ ଏହାର ପ୍ରଭାବ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ କିଛି ସମୟ ପାଇଁ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏମିତି ଗୋଟିଏ ପରିବେଶ ସୃଷ୍ଟି କରିଥିଲେ। ହେଲେ, ତାହା ଦଳର ଅନ୍ତଃକନ୍ଦଳ ଭିତରେ ଖୁବ୍ ଶୀଘ୍ର ହଜିଯାଇଥିଲା।

ପଞ୍ଚାୟତର ପୁନରାବୃତ୍ତି ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା। ଦଳ କଂଗ୍ରେସକୁ ହଟାଇ କେବଳ ନମ୍ବର ୨ ସ୍ଥାନକୁ ଉଠିନଥିଲା, ବରଂ ବିଧାୟକ ଓ ସାଂସଦଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା। ଆଶାନୁରୂପକ ଫଳାଫଳ ଆସିନଥିଲେ ମଧ୍ୟ ବିଜେପିକୁ ଦୃଢ ସ୍ଥିତିରେ ଛିଡା କରାଇବା ପଛର ନାୟକ ଭାବେ ଧର୍ମେନ୍ଦ୍ରଙ୍କୁ ଚିତ୍ରଣ କରାଯାଉଥିଲା। ଓଡ଼ିଶା ପଦ୍ମ ଦଳରେ ପ୍ରଧାନଙ୍କ ପତିଆରା ବଢିତିଲା। ହେଲେ ଏହା କିନ୍ତୁ ବେଶି ଦିନ ତିଷ୍ଠି ପାରିନାହିଁ।

କୌଣସି ଅଜଣା କାରଣରୁ ହଠାତ ଧର୍ମେନ୍ଦ୍ର ଆପେ ମଧ୍ୟ ନିରବ ରହିଗଲେ। ବିଜେପିର ଗୋଟିଚାଳନା ବଦଳିଗଲା। ଆଉ ଏହାରି ଭିତରେ ଦଳରେ ସମାନ୍ତରାଳ ଗୋଷ୍ଠୀ ସକ୍ରିୟ ହୋଇଗଲେ। ପରିଣାମ ହେଲା, ଦଳରେ ନେତୃତ୍ବ ନେଇ ଯେଉଁ ଗୋଟିଏ ନାମ ଉପରେ ଚର୍ଚ୍ଚା େହଉଥିଲା, ସେଥିରେ ଅନେକ ନାମ ଯୋଡି ହୋଇଗଲା। ଧର୍ମେନ୍ଦ୍ରଙ୍କ ବିଭାଗ ପରିବର୍ତ୍ତନକୁ ବି ଅନେକ ଭିନ୍ନ ଅର୍ଥରେ ସେଥିରେ ଯୋଡ଼ିଦେଲେ। କାକତାଳୀୟ ନ୍ୟାୟରେ ଧର୍ମେନ୍ଦ୍ର ମଧ୍ୟ ନିଜକୁ ଦିଲ୍ଲୀରେ ସୀମିତ କରିଦେଲେ। ବାସ୍, ସବୁକିଛି ଇତିମଧ୍ୟରେ ବଦଳିଗଲା।

କୁହାଯାଉଛି, ଧର୍ମେନ୍ଦ୍ର ଦିଲ୍ଲୀରେ ନିରବ ବସିଯିବା ଘଟଣା ରାଜ୍ୟ ବିଜେପିକୁ ଚଳିତ ପଞ୍ଚାୟତ ନିର୍ବାଚନରେ ବ୍ୟାକଫୁଟକୁ ଠେଲି ଦେଇଛି। ଦଳ ଏବେ ମୈଦାନରେ ନୁହେଁ କେବଳ ମିଡ଼ିଆରେ ଶକ୍ତିଶାଳୀ ଥିବା ଚର୍ଚ୍ଚା ହେଉଛି। କାରଣ ଧର୍ମେନ୍ଦ୍ର ଲିଡ୍ କରୁଥିବା ସମୟରେ ତୃଣମୂଳସ୍ତରରେ ବିଜେପିକୁ ନେଇ ଲୋକଙ୍କ ମନରେ କ୍ରେଜ ବଢିଥିଲା, ଅନ୍ୟ ଦଳର ହେଭିୱେଟ ନେତା ପଦ୍ମ ପୋଖରୀରେ ବୁଡ ପକାଇଥିଲେ। କିନ୍ତୁ ଧର୍ମେନ୍ଦ୍ର ଦିଲ୍ଲୀ ମୁହାଁ ହେବା ପରେ ଅନେକ ନେତା ପୁଣିଥରେ ଦଳବଦଳ କରିଥିବାର ଦେଖିବାକୁ ମିଳିଛି।

ତେବେ ଦିଲ୍ଳୀ ରାଜନୀତିକୁ ଫେରି ଧର୍ମେନ୍ଦ୍ର ମଧ୍ୟ ବେଶ ଖୁସିଥିବା ସଙ୍କେତ ଦେଉଛନ୍ତି। ଧର୍ମେନ୍ଦ୍ରଙ୍କୁ ଜାତୀୟ ରାଜନୀତିର ଭାଗ୍ୟ ବଦଳାଉଥିବା ଉତ୍ତରପ୍ରଦେଶର ଗୁରୁଦାୟିତ୍ୱ ଦଳ ଦେବା ପରେ ସେ ଏହାକୁ ସଦୁପଯୋଗ କରି ଶୀର୍ଷ ନେତୃତ୍ବରେ ନିଜର ଗୋଟିଏ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ଅଛନ୍ତି। ତାଙ୍କ ନିକଟତମ ମହଲର କହିବା କଥା, ମନ୍ତ୍ରୀ ଜାଣନ୍ତି ଯେ ଜାତୀୟ ଦଳରେ ପତିଆରା ସାବ୍ୟସ୍ତ କରିବା ଲାଗି ଜାତୀୟ ରାଜନୀତିରେ ବିଶେଷ ସକ୍ରିୟତା ରଖିବାକୁ ପଡେ। ଆଉ ଧର୍ମେନ୍ଦ୍ର ମଧ୍ୟ ଏଭଳି ସୁଯୋଗକୁ ହାତଛଡା କରିବା ମୁଡରେ ଆଦୌ ନାହାନ୍ତି। ଏହାଛଡା ବିଜେପିକୁ ଉତ୍ତରପ୍ରଦେଶ ବିଜୟ ଭେଟି ଦେଲେ ଦଳରେ କେବଳ ତାଙ୍କର କାଟତି ବଢିବ ତାହା ନୁହେଁ ବରଂ ଧର୍ମେନ୍ଦ୍ରଙ୍କ ଓଡ଼ିଶା ମିସନ ଆହୁରି ସହଜ ହୋଇଯିବ।

ଧର୍ମେନ୍ଦ୍ର ପଞ୍ଚାୟତ ନିର୍ବାଚନରୁ ଦୂରେଇ ରହିବା ପଛର ଆଉ ଏକ ବଡ କାରଣ ହେଲା, ରାଜ୍ୟ ବିଜେପିର ଆତ୍ମଘୋଷିତ ହେଭିୱେଟ ନେତାଙ୍କୁ ଚେକମେଟ ଦେବା। ଧର୍ମେନ୍ଦ୍ର ଦିଲ୍ଲୀ ମୁହାଁ ହେବା ପରେ ତୃଣମୂଳସ୍ତରରେ ଦଳର ସଙ୍ଗଠନ ଏକପ୍ରକାର ସ୍ଥାଣୁ ପାଲଟି ଯାଇଛି। ଏଭଳିସ୍ଥଳେ ୨୦୧୭ର ସଫଳତା ଦଳ କିଭଳି ଦୋହରାଇବ ତାହା ଏବେ ସବଠୁ ବଡ ପ୍ରଶ୍ନ। ଦଳର ସ୍ଥିିତି ଯାହା, ଏବେ ପଞ୍ଚାୟତ ପଡିଆକୁ ଓହ୍ଲାଇଲେ ମଧ୍ୟ ୨୦୧୭ ଭଳି ସଫଳତା ମିଳିନପାରେ। ଏନେଇ ବେଶ ଆଗରୁ ବୋଧହୁଏ ଅଙ୍କକଷି ସାରିଛନ୍ତି ମୁକୁ। ତେଣୁ ୨୦୧୭ରେ ସଫଳତାର ଶ୍ରେୟ ମୁଣ୍ଡାଇଥିବା ଧର୍ମେନ୍ଦ୍ର ୨୦୨୨ରେ ପରାଜୟର ବୋଝ ମୁଣ୍ଡାଇବାକୁ ପ୍ରସ୍ତୁତ ନଥିବା ଚର୍ଚ୍ଚା ହେଉଛି। ଏଣୁ ୨୦୨୨ ଫଳାଫଳର ବୋଝ ମେଳି ବାନ୍ଧିଥିବା ନେତାଙ୍କ ଉପରେ ଲଦି ପୁଣିଥରେ ଓଡ଼ିଶା ବିଜେପିର ଭବିଷ୍ୟତ ପରିକଳ୍ପନା ଧର୍ମେନ୍ଦ୍ରଙ୍କ ବିନା ଅସମ୍ଭବ ବୋଲି ବାର୍ତ୍ତା ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ଶିବିରରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ଦଳର ଅନ୍ଦରମହଲରରେ ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ଉତ୍ତରପ୍ରଦେଶରେ ଡେରା ପକାଇଥିବା ଧର୍ମେନ୍ଦ୍ର ଓଡ଼ିଶାର ପଞ୍ଚାୟତ ନିର୍ବାଚନ ପାଇଁ ଧରାଛୁଆଁ ଦେଉନଥିବା କୁହାଯାଉଛି।

Leave A Reply

Your email address will not be published.