ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ଜାତୀୟ ବିଜେପିରେ ହଲ୍‌ଚଲ୍, ଜାଣନ୍ତୁ କଣ ଘଟିଲା?

0
  • ସଂସଦୀୟ ବୋର୍ଡରୁ ବାଦ୍ ପଡ଼ିଲେ ଗଡକରୀ, ଚୌହ୍ବାନ
  • ୬ ନୂଆ ନେତାଙ୍କୁ ନିଆଗଲା, ରାଜନାଥଙ୍କ ସ୍ଥାନ ସୁରକ୍ଷିତ
  • ଯୋଗୀ ଆଦିତ୍ୟନାଥଙ୍କୁ ସର୍ବୋଚ୍ଚ କମିଟିରେ ସ୍ଥାନ ମିଳିଲାନି
  • ମୋଦୀ-ଅମିତ ଶାହଙ୍କ ନୂଆ ଗଣିତରେ ସମସ୍ତେ ତାଜୁବ୍
  • ବିଜେପି ଗଣିତ ରାଜନୈତିକ ମହଲକୁ ଅବୁଝା ହେଲାଣି

ନୂଆଦିଲ୍ଲୀ: ବିଜେପି ସଂସଦୀୟ ବୋର୍ଡରୁ ଦଳର ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ବାଦ୍ ଦିଆଯାଇଛି। କେବଳ ଶ୍ରୀ ଗଡ଼କରୀ ନୁହଁନ୍ତି, ମଧ୍ୟପ୍ରଦେଶରେ ୨୦ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ଚୌହାନ ବି ଦଳର ଏହି ଶୀର୍ଷ କମିଟିରେ ସ୍ଥାନ ପାଇନାହାନ୍ତି। ଉତ୍ତରପ୍ରଦେଶର ସବୁ ରେକର୍ଡ ଭାଙ୍ଗି ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ପଦ ହାତେଇଥିବା ଯୋଗୀ ଆଦିତ୍ୟନାଥଙ୍କୁ ଏହି ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ କମିଟିରେ ନିଆଯାଇନାହିଁ।

ଏଭଳି ଭାବେ ବିଜେପି ସଂସଦୀୟ ବୋର୍ଡ ତାଲିକା ପ୍ରକାଶ ପରେ ପୂରା ଦେଶର ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେପିର ଅନେକ ନେତାମଧ୍ୟ ଏହାକୁ ଦେଖି ତାଜୁବ୍। ବିଶେଷକରି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଅତ୍ୟନ୍ତ ନିକଟତର ଥିବା ଶ୍ରୀ ଗଡ଼କରୀଙ୍କୁ ବାଦ୍ ଦିଆଯିବା ଆଲୋଚନା ପାଇଁ ଇନ୍ଧନ ଦେଇଛି। କାହିଁକି ଓ କେଉଁ କାରଣ ପାଇଁ ଗଡ଼କରୀଙ୍କ ପକ୍ଷଛେଦନ କରାଗଲା, ତାହା ଉପରୁ ଏଯାଏ ରହସ୍ୟ ଉନ୍ମୋଚନ ହୋଇନାହିଁ।

ଅନ୍ୟପକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଘଟଣା କ୍ରମରେ ଦେବେନ୍ଦ୍ର ଫଡ୍‌ନାଭିସ୍ ଓ ଗତବର୍ଷ ଏକ ନାଟକୀୟ ଘଟଣା କ୍ରମରେ ମୁଖ୍ୟମନ୍ତ୍ରୀ ପଦରୁ ବାଦ୍ ପଡ଼ିଥିବା ବି ଏସ୍ ୟେଦୁରପ୍ପାଙ୍କୁ ସଂସଦୀୟ ବୋର୍ଡରେ ସ୍ଥାନ ମିଳିଛି। ଏହି କମିଟିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପୁନଃ ସ୍ଥାନ ମିଳିଛି। ପୂରା ବୋର୍ଡକୁ ନିରେଖି ଦେଖିବା ପରେ ରାଜନୈତିକ ମହଲ ବିେଜପିର ଆଭ୍ୟନ୍ତରୀଣ ରଣନୀତିକୁ ନେଇ ତର୍ଜମା ଆରମ୍ଭ କରିଛନ୍ତି। ଯେହେତୁ ସଂସଦୀୟ ବୋର୍ଡ ବିଜେପିର ସର୍ବୋଚ୍ଚ ସଂସ୍ଥା ଏବଂ ଏହା ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟ ତଥା ଦଳର ଅନ୍ୟାନ୍ୟ ପ୍ରମୁଖ ଭୂମିକା ଉପରେ ନିଷ୍ପତ୍ତି ନେଇଥାଏ, ଏଣୁ ଆଜିର ନିଷ୍ପତ୍ତିକୁ ୨୦୨୪ ବା ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏହି ମହଲ ବେଶ୍ ଗମ୍ଭୀରତାର ସହିତ ନେଉଛନ୍ତି।

ଏହି ବୋର୍ଡରେ ମୋଟ ୬ଜଣଙ୍କୁ ନୂଆକରି ସାମିଲ କରାଯାଇଛି। ସେମାନେ ହେଲେ ବିଏସ୍ ୟେଦୁରପ୍ପା, ସରବାନନ୍ଦ ସୋନୋୱାଲ, କେ ଲକ୍ଷ୍ମଣ, ଇକବାଲ ସିଂ ଲାଲପୁରା, ସୁଧା ଯାଦବ ଏବଂ ସତ୍ୟନାରାୟଣ ଜାଟିଆ। ଗୋଟିଏ ମହଲର ମତ ହେଉଛି ନରେନ୍ଦ୍ର ମୋଦୀ-ଅମିତ ଶାହଙ୍କ ନେତୃତ୍ବରେ ବିଜେପିରେ ଗୋଟିଏ ନୂଆ ଯୁଗର ପରିକଳ୍ପନା କରାଯାଉଛି ଓ ଏହା ହେଉଛି ସେହି ରାଜନୈତିକ ଅଙ୍କର ଅଂଶବିଶେଷ।

ଅନ୍ୟ ଏକ ମହଲର କହିବା କଥା ହେଉଛି, ଏକନାଥ ସିନ୍ଦେ ସରକାର ଗଠନ ପରେ ଫଡ୍‌ନାଭିସଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ଘଟଣା ଗୋଟିଏ ପକ୍ଷକୁ ନିରାଶ କରିଥିଲା। ଏଣୁ ଏମିତି ନିଷ୍ପତ୍ତି ନେଇ ଦଳ ସେଥିରେ ସୁଧାର ଆଣିବାକୁ ଚେଷ୍ଟା କରିଛି। ସେହିଭଳି ୭୭ବର୍ଷୀୟ ୟେଦୁରପ୍ପାଙ୍କୁ ଦଳ ସେବେ ବିଦା କରିଥିଲେ ହେଁ ୧୮ ପ୍ରତିଶତ ଭୋଟ ଥିବା ଲିଙ୍ଗାୟତ ନେତାମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ତାଙ୍କୁ ଏଭଳି ଥଇଥାନ କରାଯିବା ଆବଶ୍ୟକ ଥିଲା। ଏହାଦ୍ବାରା ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନରେ ତାଙ୍କର ସଂପୃକ୍ତିକୁ ଦଳ ନିଶ୍ଚିତ କରିଛି। ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ, ଚଳିତ ବର୍ଷ ପ୍ରାରମ୍ଭରେ ରାଜ୍ୟରେ ପୁନର୍ବାର ନିର୍ବାଚିତ ହେବା ପରେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦଳର ଶୀର୍ଷ ନେତାଙ୍କ ଆସ୍ଥାଭାଜନ ହୋଇଥିଲେ। ଏଣୁ ସଂସଦୀୟ ବୋର୍ଡ ତଥା କେନ୍ଦ୍ରୀୟ କମିଟିରେ ତାଙ୍କୁ ସାମିଲ କରାଯାଇଛି।

ଏଠାରେ ଉଲ୍ଲେଖଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ମୁଖ୍ୟ ଜେପି ନଡ୍ଡା ଏବଂ ଦଳର ସଂଗଠନ ଦାୟିତ୍ବରେ ଥିବା ବେଳେ, ବି ଏଲ୍ ସନ୍ତୋଷ ଏହି ବୋର୍ଡର ପ୍ରମୁଖ ଭାଗରେ ଅଛନ୍ତି।

Leave A Reply

Your email address will not be published.