ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ଅତୀତକୁ ମନେ ପକାଇ ଭାବବିହ୍ବଳ ହେଲେ ରାଷ୍ଟ୍ରପତି..

0

ଭୁବନେଶ୍ବର; ଆଜି ଥିଲା ମହାମହିମଙ୍କ ଓଡିଶା ଗସ୍ତର ଦ୍ବିତୀୟ ଦିନ । ଆଜି ସକାଳୁ ପ୍ରଥମେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ପରିଦର୍ଶନ କରିଥିଲେ ମହାମହିମ । ପିଲାଙ୍କ ସହ କଥା ହେବାବେଳେ ନିଜ ସ୍କୁଲ ଜୀବନର ଅନୁଭୂତି ବାଣ୍ଟିଥିଲେ । ପରେ ୟୁନିଟ୍‌ ୨ରେ ଥିବା ସରକାରୀ ଗାର୍ଲ୍ସ ହାଇସ୍କୁଲ ପରିଦର୍ଶନ କରିଥିଲେ ରାଷ୍ଟ୍ରପତି । ଦିନେ ଯେଉଁଠି ଛାତ୍ରୀ ଜୀବନ କଟାଇଥିଲେ, ସେଠାକୁ ସେ ଓଡିଶା ଗସ୍ତର ଦ୍ବିତୀୟ ଦିନରେ ପରିଦର୍ଶନ କରିଥିଲେ ଦେଶର ପ୍ରଥମ ନାଗରିକ ଭାବେ । ଏହି ହାଇସ୍କୁଲରେ ନିଜେ ପଢିଛନ୍ତି ଦ୍ରୌପଦୀ । ୧୯୭୦ରୁ ୭୪ ଯାଏଁ ଏଇଠି ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ହଷ୍ଟେଲରେ ରହୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୀର୍ଘ ଦିନ ପରେ ପୁଣି ଏଠି ତାଙ୍କ ପାଦ ପଡ଼ିଲା । ତେଣୁ ସେହି ସ୍ଥାନ ସହିତ ଜଡିତ ଥିବା ପୁରୁଣା ସ୍ମୃତିକୁ ସାଉଣ୍ଟିଥିଲେ ମହାମହିମ ।

ଦୀର୍ଘ ୪୮ ବର୍ଷ ପରେ ୧୩ ଜଣ ସହପାଠୀଙ୍କୁ ଭେଟିଥିଲେ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ଭେଟିବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ ସହପାଠୀମାନେ । ଏହି ସମୟରେ ସେ ରହୁଥିବା କୁନ୍ତଳା କୁମାରୀ ସାବତ ହଷ୍ଟେଲରେ ବୁଲିବା ସହ ସେ ରହୁଥିବା ରୁମ୍‌ରେ କିଛି ସମୟ ପାଇଁ ନିଜ ଖଟ ଉପରେ ସମୟ ବିତାଇଥିଲେ । ଏହି ଅବସରରେ ସେ ତାଙ୍କର ହଷ୍ଟେଲ୍ ମେଟ୍‌କୁ ମାନଙ୍କୁ ମନେ ପକାଇଥିଲେ । ହଷ୍ଟେଲ୍ ସମୟରେ ସେ ଯାହାସହ ରହୁଥିଲେ ସେ ଆଜି କାର୍ଯ୍ୟକ୍ରମରେ ଆସିନଥିବାରୁ ତାଙ୍କୁ ଖୋଜିଥିଲେ ରାଷ୍ଟ୍ରପତି । ଏଥିସହିତ ମହାମହିମ ଭିଜିଟର ବୁକ୍‌ରେ ନିଜର ଅନୁଭୂତି ଲେଖିଛନ୍ତି ।

ଏଥିସହିତ ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଉଭୟ ଡିଗ୍ରୀ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ଭାଷାରେ ଇଂଜିନିୟରିଂ ପୁସ୍ତକ ଉନ୍ମୋଚିତ କରିଛନ୍ତି । ଓଡ଼ିଆ ଭାଷାରେ ଲିଖିତ ଇଞ୍ଜିନିୟରିଂ ପାଠ୍ୟପୁସ୍ତକ, ବୈଷୟିକ ଶିକ୍ଷା ସଙ୍କଳନ ଓ ଇ-କୁମ୍ଭ ପୋର୍ଟାଲର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି। ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇବ ତଥା ରାଷ୍ଟ୍ରର ବିକାଶ ନିମନ୍ତେ ସେମାନେ ଉତ୍ସର୍ଗୀକୃତ ଭାବେ ଯୋଗଦାନ କରିବେ ବୋଲି କହିଛନ୍ତି ରାଷ୍ଟ୍ରପତି ।

ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ମାତୃଭାଷାରେ ଶିକ୍ଷା ଦେବାକୁ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି। କାରଣ ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇବ। ତୃଣମୂଳ ସ୍ତରରେ ମେଧା ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ମାତୃଭାଷାରେ ପଢୁଥିବା ଶିଶୁର ବୌଦ୍ଧିକ ବିକାଶ ଅନ୍ୟଠୁ ଅଧିକ। ରାଷ୍ଟ୍ରପତି ଆହୁରି କହିଥିଲେ ଯେ, ଭାଷା ଓ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଶିକ୍ଷାକୁ ପ୍ରତିବନ୍ଧକ ଶୂନ୍ୟ କରିବାକୁ ଆମେ ସାଧ୍ୟମତେ ଚେଷ୍ଟା କରିବା। ଶିକ୍ଷା ଭଳି ମୌଳିକ ଅଧିକାରରୁ ଯେମିତି କେହି ବଞ୍ଚିତ ନହେବେ ସେଥିପ୍ରତି ଆମେ ଦୃଷ୍ଟି ଦେବା। ଓଡ଼ିଆରେ ବୈଷୟିକ ଶିକ୍ଷାଦାନରେ ଅସୁବିଧା ହେବନି ବୋଲି ବିଶ୍ୱାସ ରହିଛି ବୋଲି ରାଷ୍ଟ୍ରପତି କହିଥିଲେ।

ଦୁଇ ଦିନର କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ନରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଦ୍ୱାରା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ଫେରିଯାଇଛନ୍ତି । ଦିଲ୍ଲୀ ଯିବା ସମୟରେ ବିମାନ ବନ୍ଦରରେ ରାଜ୍ୟପାଳ ଗଣେସି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.