ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ;୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ

0

ତୁର୍କୀ; ତୁର୍କୀରେ ଗତକାଲି ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଏଯାଏଁ  ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେବି ଆହୁରି ଅନେକ ଭଗ୍ନାବଶେଷ ତଳେ ଚାପି ହୋଇରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ୩୦ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଭୂମିକମ୍ପ ଯୋଗୁ ତୁର୍କୀର ୯ଟି ପ୍ରଦେଶ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି।  ତୁର୍କୀରେ ଭୟଙ୍କର ଭୂମିକମ୍ପ ପରେ ଭାରତ ପକ୍ଷରୁ ଉଦ୍ଧାରକାରୀ ଦଳ ପଠାଯାଇଛି। 

ସୂଚନାଯୋଗ୍ୟ ଯେ, ଗତକାଲି ତୁର୍କୀରେ ୧୦ ଘଣ୍ଟା ମଧ୍ୟରେ ତିନି ତିନିଟି ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ୯ଟି ପ୍ରଦେଶ ସଂପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି। ଗତ ୮୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର କୁହାଯାଉଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ସହର ନିଶ୍ଚିହ୍ନ ହୋଇଯାଇଛି। ୩ ହଜାରରୁ ଅଧିକ ବିଶାଳକାୟ ଅଟ୍ଟାଳିକାମାନ ଧ୍ବଂସସ୍ତୂପରେ ପରିଣତ ହୋଇଛି। ହଜାର ହଜାର ଲୋକ ଧ୍ବଂସସ୍ତୂପ ତଳେ ଏବେ ବି ଦବି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏହି ବିପର୍ଯ୍ୟୟ ଯୋଗୁଁ ପଡ଼ୋଶୀ ଦେଶ ସିରିଆର ବ୍ୟାପକ ଅଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତୁର୍କୀ ଓ ସିରିୟା‌ରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏଥିସହ ବର୍ଷା ଓ ବରଫପାତ ମଧ୍ୟ ହେଉଛି। ଭୂମିକମ୍ପ ଲୋକଙ୍କ ଦୁର୍ଦ୍ଦଶାକୁ ଏହା ଆହୁରି ବଢ଼ାଇ ଦେଇଛି। ବରଫପାତ ସହିତ ଏକାଧିକ ଭୂମିକମ୍ପ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଛି।

ଭୂକମ୍ପ ସ୍ଥିତିକୁ ନେଇ ତୁର୍କୀ ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟିପ୍‌ ଏର୍ଡୋଗାନ୍‌ ଗଭୀର ଶୋକବ୍ୟକ୍ତ କରିବା ସହ ଅନ୍ୟ ଦେଶର ସହାୟତା ଲୋଡ଼ିଛନ୍ତି। ପାଖାପାଖି ୪୫ଟି ଦେଶ ତୁର୍କୀକୁ ସହାୟତା କରିବାକୁ ଆଗେଇ ଆସିଛନ୍ତି । ୧୯୩୯ ମସିହାର ଭୂମିକମ୍ପ ପରେ ଏହା ଦେଶର ସବୁଠୁ ବଡ଼ ଭୂମିକମ୍ପ ।

ପ୍ରଧାନମନ୍ତ୍ରୀଙ୍କ ଅଫିସ ତରଫରୁ ଭୂମିକମ୍ପ ଦ୍ୱାରା କ୍ଷତିଗ୍ରସ୍ତ ତୁର୍କୀକୁ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ଏକ ଏୟାରକ୍ରାଫ୍ଟ ତୁର୍କୀ ଅଭିମୁଖେ ପଠାଯାଇଛି। ଏହି ବିମାନରେ ଏନଡିଆରଏଫ୍ ଟିମ୍‌,   ଡଗ୍‌ ସ୍କ୍ୱାର୍ଡ, ମେଡିସିନ, ରିଲିଫ ସାମଗ୍ରୀ ଡ୍ରିଲ୍‌ ସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଯନ୍ତ୍ରପାତି ପଠାଯାଇଛି।  ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ଦେଶର ବିଭିନ୍ନ ଭାଗରୁ ସ୍ବେଚ୍ଛାସେବୀମାନଙ୍କୁ ପଠାଯାଇଛି ବୋଲି ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଲେମାନ ସୋୟଲୁ କହିଛନ୍ତି।

ୟୁରୋପୀୟ ସଂଘର ଏମର୍ଜେନ୍ସି ରେସପନ୍ସ କୋର୍ଡିନେସନ ସେଣ୍ଟର (ଇଆରସିସି) ଜରିଆରେ ଅନ୍ତର୍ଜାତୀୟ ସହାୟତା ଲୋଡ଼ାଯାଇଛି। ତୁର୍କୀର ସବୁଠୁ ବଡ଼ ସହର ଇସ୍ତାନବୁଲରୁ ପାଖାପାଖି ୧୦୦୦ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ଗାଜିଆନ୍ତିପର ରାଜ୍ୟପାଳ ତାଙ୍କ ଟ୍ବିଟ ବାର୍ତ୍ତାରେ ଲୋକମାନଙ୍କୁ ଘର ବାହାରେ ଶାନ୍ତ ଭାବେ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରଭାବିତ ଅଞ୍ଚଳ ପାଇଁ ଏୟାର ‌ଏଡ୍‌ କରିଡର ସ୍ଥାପନ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ରୁଷ୍‌ ରାଷ୍ଟ୍ରପତି ‌ଭ୍ଲାଦିମିର ପୁଟିନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ବର ଅନ୍ୟ ନେତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.