ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ବିଏସପି ସୁପ୍ରିମୋ ମାୟାବତୀ ରବିବାର ଲକ୍ଷ୍ନୌରେ ଅଲ୍ ଇଣ୍ଡିଆ ପଦାଧିକାରୀଙ୍କ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ସମସ୍ତ ପଦବୀରୁ ହଠାଇ ଦେଇଛନ୍ତି। ଏହା ସହିତ ଆକାଶଙ୍କ ସ୍ଥାନରେ ତାଙ୍କ ବାପା ତଥା ଦଳର ସମ୍ପାଦକ ଆନନ୍ଦ କୁମାର ଏବଂ ରାଜ୍ୟସଭା ସଦସ୍ୟ ରାମଜୀ ଗୌତମଙ୍କୁ ବିଏସପିର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କରିଛନ୍ତି। ରବିବାର ମାୟାବତୀ ଲକ୍ଷ୍ନୌରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଡକାଇବା ସହିତ ଏହି ନିଷ୍ପତ୍ତି ନେଇଛନ୍ତି। ଏଥିରେ ବିଭିନ୍ନ ରାଜ୍ୟର ଦଳୀୟ ସଭାପତି ସାମିଲ ହୋଇଥିଲେ। କିନ୍ତୁ ଆକାଶ ଆନନ୍ଦ ବୈଠକରେ ଯୋଗଦେଇ ନ ଥିଲେ।
ଆନନ୍ଦ କୁମାରଙ୍କ ସହିତ ମାୟାବତୀ ମଧ୍ୟ ଦଳୀୟ ନେତା ରାମଜୀ ଗୌତମଙ୍କ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି। ରାମଜୀ ଗୌତମଙ୍କୁ ଦଳର ମୁଖ୍ୟ ସଂଯୋଜକ ଦାୟିତ୍ୱ ଦିଆଯାଇଛି। ଆନନ୍ଦ କୁମାର ଏବଂ ରାମଜୀ ଗୌତମଙ୍କୁ ସମଗ୍ର ଦେଶ ପାଇଁ ଦଳର ଜାତୀୟ ସଂଯୋଜକ ଭାବରେ ନିଯୁକ୍ତ କରିବା ପରେ, ମାୟାବତୀ ସେମାନଙ୍କର ଦାୟିତ୍ୱ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ମାୟାବତୀ ଆଉ ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସେ ବଞ୍ଚିଛନ୍ତି ସେପର୍ଯ୍ୟନ୍ତ ତାଙ୍କର କୌଣସି ଉତ୍ତରାଧିକାରୀ ରହିବେ ନାହିଁ।
ଗତବର୍ଷ ମେ ମାସରେ ମାୟାବତୀ ଆକାଶଙ୍କୁ ଦଳର ଜାତୀୟ ସଂଯୋଜକ ଏବଂ ନିଜର ଉତ୍ତରାଧିକାରୀ ପଦବୀରୁ ହଟାଇଥିଲେ। ୨୦୨୩ ଡିସେମ୍ବରରେ ସେ ଆକାଶଙ୍କୁ ଏହି ପଦବୀରେ ନିଯୁକ୍ତ କରାଇଥିଲେ। କିନ୍ତୁ ବିଭିନ୍ନ କାର୍ଯ୍ୟକ୍ରମରେ ଆକାଶ ଦାୟିତ୍ଵହୀନ ମନ୍ତବ୍ୟ ଦେବାରୁ ଏହା ଦଳ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଥିଲା। ଯାହାଫଳରେ ମାୟାବତୀ ତାଙ୍କୁ ସମସ୍ତ ପଦବୀରୁ ହଟାଇଛନ୍ତି।