ପ୍ରମୁଖ ଖବର

ସୁନ୍ଦରଗଡ: ଚା’ ଦୋକାନକୁ ମାଡ଼ିଗଲା ହାଇୱା, ୩ ମୃତ
ଗଜପତି: ଅଙ୍ଗନବାଡି ଛତୁଆ ଖାଇ ୨ ଶିଶୁକନ୍ୟା ମୃତ
୨୭ ଜିଲ୍ଲାରେ ନାହିଁ ବାଲି ଚୋରା ମାମଲା: ଖଣି ମନ୍ତ୍ରୀ
ରାଜସ୍ୱ ମନ୍ତ୍ରୀଙ୍କ କାରକେଡ୍ ଉପରକୁ ଢେଲାମାଡ଼
ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି
ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟାର କୌଣସି ପ୍ରମାଣ ନାହିଁ, କ୍ଲୋଜର ରିପୋର୍ଟ ଦାଖଲ କଲା ସିବିଆଇ

ବିରଳ ଅସ୍ତ୍ରୋପଚାର ପ୍ରକ୍ରିୟା ସବୁ ସ୍ଥାନରେ ସମ୍ଭବ: ବିଶିଷ୍ଟ ରୋବୋଟିକ୍ ଅଙ୍କୋ ସର୍ଜନ୍‌

0

ଭୁବନେଶ୍ୱର, ମାର୍ଚ୍ଚ ୨୨: ଆଧୁନିକ ଅସ୍ତ୍ରୋପଚାର ପଦ୍ଧତିର ଉଦ୍‌ଭାବନ ଦ୍ୱାରା ବର୍ତମାନ ଛୋଟ ଛୋଟ ସହରରେ ମଧ୍ୟ ବିରଳ ଅସ୍ତ୍ରୋପଚାର ସମ୍ଭବପର ହୋଇପାରୁଛି। ଏହା ରୋଗୀମାନଙ୍କ ପାଇଁ ବେଶ ଆସ୍ୱସ୍ତିକର ବୋଲି କହିଛନ୍ତି ଭାରତର ପ୍ରଥମ ରୋବୋଟିକ୍ ଅଙ୍କୋସର୍ଜନ ଡକ୍ଟର ଶୈଲେଶ ପୁନ୍‌ଟାମ୍‌ବେକର।
କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ନିମନ୍ତେ ଲାପାରୋସ୍କୋପିକ୍ ରାଡିକାଲ୍ ହିଷ୍ଟେରେକ୍ଟୋମି ପଦ୍ଧତିର ପ୍ରୟୋଗ କ୍ଷେତ୍ରରେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ‘ପୁନେ ଟେକ୍ନିକ୍‌’ ଡାକ୍ତର ପୁନ୍‌ଟାମ୍‌ବେକରଙ୍କ ଦ୍ୱାରା ହିଁ ଆରମ୍ଭ କରାଯାଇଥିଲା। ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗ ଦ୍ୱାରା ଆୟୋଜିତ ‘ଆଡ୍‌ଭାନ୍ସଡ ମିନିମାଲ୍ ଇନ୍‌ଭାସିଭ୍ ସର୍ଜରୀ’ କର୍ମଶାଳାରେ ଯୋଗ ଦେଇ ଏହି ବିଶିଷ୍ଟ ସର୍ଜନ କହିଥିଲେ ଯେ ନୂତନ ପ୍ରୟୋଗର ଉଦ୍ଭାବନ ହେତୁ ଏହି ପ୍ରକ୍ରିୟା ଏବେ ଯେ କୌଣସି ସ୍ଥାନରେ ମଧ୍ୟ ଉପଲବ୍ଧ ହୋଇପାରିବ।

ଏହି କର୍ମଶାଳାରେ ଡାକ୍ତର ପୁନ୍‌ଟାମ୍‌ବେକର ଦୁଇ ଜଣ ରୋଗୀଙ୍କ ଶରୀରରେ ଲାଇଭ ଲାପାରୋସ୍କୋପିକ୍ ରାଡିକାଲ୍ ହିଷ୍ଟେରେକ୍ଟୋମି କରି ଉପସ୍ଥିତ ଡାକ୍ତର ଓ ଛାତ୍ରଛାତ୍ରୀଙ୍କୁ ଏହି ପ୍ରକ୍ରିୟା ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିଥିଲେ। ୨୦୦୩ ମସିହାରେ ସେ ପ୍ରଥମ କରି ଏହି ଅସ୍ତ୍ରୋପଚାର କରିଥିଲେ ବୋଲି କହିଥିଲେ। ନିଜର ପ୍ରଥମ ଲାପାରୋସ୍କୋପିକ୍ ରାଡିକାଲ୍ ହିଷ୍ଟେରେକ୍ଟୋମି ପ୍ରକ୍ରିୟା ସମ୍ପର୍କରେ ଅନୁଭୂତି ବଖାଣି ଡାକ୍ତର ପୁନ୍‌ଟାମ୍‌ବେକର କହିଥିଲେ ଯେ ତାଙ୍କର ବିଶେଷ ପରିଚୟ ନ ଥାଇ ମଧ୍ୟ ସେ ଚିକିତ୍ସା କରୁଥିବା ରୋଗୀଙ୍କର ତାଙ୍କ ଉପରେ ଅତୁଟ ବିଶ୍ୱାସ ଥିବାରୁ ସେ ଏହି ବିରଳ ଅସ୍ତ୍ରୋପଚାର ସଫଳତାର ସହ କରିପାରିଥିଲେ। ୨୦୦୮ ମସିହାରେ ଏହି ନୂତନ ପ୍ରକ୍ରିୟାକୁ ନେଇ ସେ ଗୋଟିଏ ସନ୍ଦର୍ଭ ଲେଖିଥିଲେ। ଏହା ପରେ ତାଙ୍କୁ ଏହି ପ୍ରକ୍ରିୟାଟି ନିଜ ନାମରେ ନାମିତ କରିବାକୁ କୁହାଯାଇଥିଲା। ତେବେ ଏଭଳି କଲେ ଯେଉଁମାନେ ତାଙ୍କୁ ଏହି ପ୍ରୟୋଗରେ ସାହାଯ୍ୟ କରିଥିଲେ ତାଙ୍କ ପ୍ରତି ଅନ୍ୟାୟ ହେବ ବୋଲି ଚିନ୍ତାକରି ସେ ଏହି ପ୍ରକ୍ରିୟାର ନାମ ‘ପୁନେ ଟେକ୍ନିକ୍‌’ ଦେବା ନିମନ୍ତେ ନିଷ୍ପତି ନେଇଥିଲେ।

ପୁନେ ସ୍ଥିତ ଗ୍ୟାଲେକ୍ସି କେୟାର ହସ୍ପିଟାଲ୍‌ର ପ୍ରତିଷ୍ଠାତା ଡକ୍ଟର ପୁନ୍‌ଟାମ୍‌ ବେକର କହିଛନ୍ତି ଭାରତରେ ସମସ୍ତ ପ୍ରକାର କର୍କଟ ରୋଗର ୨୦ ପ୍ରତିଶତ ହେଉଛି ଜରାୟୁ କର୍କଟ। ତେଣୁ ଏହି ନୂତନ ପ୍ରକ୍ରିୟା ରୋଗୀଙ୍କ କ୍ଷେତ୍ରରେ ବେଶ ଉପକାରୀ ହୋଇପାରୁଛି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମନୀଷା ସାହୁ, ପ୍ରଫେସର (ଡାକ୍ତର) ବସନ୍ତ କୁମାର ପତି ଏବଂ ଫୁଲନଖରା ସ୍ଥିତ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ତାପସୀ ପତି ଉପସ୍ଥିତ ଥିଲେ।

Leave A Reply

Your email address will not be published.