ପ୍ରମୁଖ ଖବର

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ
କଟକରେ ଗୁଳିକାଣ୍ଡ: ଯୁବକ ମୃତ୍ୟୁ

ଓଡ଼ିଶାରେ ୧୨ ପାକିସ୍ତାନୀଙ୍କୁ ତୁରନ୍ତ ପାକିସ୍ତାନ ପଠାଇବାକୁ ନିର୍ଦ୍ଦେଶ

0

ଭୁବନେଶ୍ବର: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହାରି ଭିତରେ ଭାରତ ସରକାର ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଭାରତ ସରକାର ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିଦେଇଛନ୍ତି।

ତେବେ ଓଡିଶାରେ ଜଣେ କି ଦୁଇ ଜଣ ନୁହେଁ। ୧୨ ଜଣ ପାକିସ୍ତାନୀ ନାଗରିକ ଓଡ଼ିଶାରେ ରହିଥିବା ଜଣାପଡ଼ିଛି। ୧୨ ଜଣ ପାକିସ୍ତାନୀ ଓଡ଼ିଶାର କେଉଁଠି କେଉଁଠି ରହୁଛନ୍ତି ତାହାର ତଥ୍ୟ ଜଣାପଡିଛି । ଏନେଇ ସେମାନଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ତୁରନ୍ତ ସେମାନଙ୍କୁ ଖୋଜି ବାହାର କରିବା ସହିତ ଓଡିଶାରୁ ବିଦା କରି ପାକିସ୍ତାନ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଗୃହ ବିଭାଗ ପକ୍ଷରୁ କୁହାଯାଉଛି।
ଗୃହ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ଲମ୍ବା ସମୟ ଧରି ଭିସା ନେଇ ଓଡ଼ିଶାରେ ରହିଛନ୍ତି। ତେଣୁ ସେମାନଙ୍କ ତଥ୍ୟ କେନ୍ଦ୍ର ସରକାରଙ୍କ ପାଖରେ ଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶରେ କେମିତି ପାକିସ୍ତାନୀ ନରହିବେ ସେନେଇ ପ୍ଲାନିଂ କରିଛନ୍ତି। ଏନେଇ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଶାହ ଏବଂ ପାକିସ୍ତାନୀଙ୍କୁ ରାଜ୍ୟରୁ ତଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ତୁରନ୍ତ ଓଡ଼ିଶାରୁ ବାହାର କରିବାକୁ ପ୍ରକ୍ରିୟା ଆରମ୍ କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଅତି ନିର୍ମମ ଭାବେ ଆତଙ୍କବାଦୀମାନ ଗୁଳି କରି ହତ୍ୟା କରିବା ପରେ ଆକ୍ସନ ମୋଡରେ ଭାରତ ସରକାର । ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଷ୍ଟ୍ରାଇକ ଚାଲିଛି। ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିଦିଆଯାଇଛି। ୪୮ ଘଣ୍ଟା ଭିତରେ ହିଁ ସେମାନଙ୍କୁ ଭାରତ ଛାଡିବାକୁ କୁହାଯାଇଛି। ଦେଶର କେଉଁକେଉଁ ରାଜ୍ୟରେ କେତେ ପାକିସ୍ତାନୀ ରହୁଛନ୍ତି ସେମାନଙ୍କ ଲିଷ୍ଟ ବାହାର କରାଯାଇ ସେମାନଙ୍କୁ ବିଦା କରାଯାଉଛି। ଏହି କ୍ରମରେ ଓଡ଼ିଶାରେ ଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ତୁରନ୍ତ ଚିହ୍ନଟ କରି ବାହାର କରିବା ପାଇଁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।

Leave A Reply

Your email address will not be published.