ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ପରଲୋକରେ ଭେଟେରାନ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର

0

ମୁମ୍ବାଇ: ଆରପାରିରେ ବଲିଉଡ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଫଳରେ ସେ ଦୀର୍ଘ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ମଧ୍ୟ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା।
ବଲିଉଡ୍‌ର ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ରଙ୍କୁ ନିକଟରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାବେଳେ ସୋମବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଘରେ ପହଞ୍ଚି ଧର୍ମେନ୍ଦ୍ରଙ୍କ ଚିକିତ୍ସା କରିଥିଲେ। କିନ୍ତୁ ସେମାନଙ୍କ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।
ଧର୍ମେନ୍ଦ୍ରଙ୍କ ପୂରା ନାମ ହେଉଛି ଧର୍ମେନ୍ଦ୍ର କେୱଲ କୃଷ୍ଣ ଦେଓଲ। ତାଙ୍କର ଜନ୍ମ ଡିସେମ୍ବର ୮, ୧୯୩୫ରେ ପଞ୍ଜାବର ନସରାନି ଗାଁରେ ହୋଇଥିଲା। ଶିଖ ପରିବାରରେ ତାଙ୍କ ଜନ୍ମ ହୋଇଥିଲା। ଶିକ୍ଷାଗତ ଯୋଗ୍ୟତା କହିଲେ ଧର୍ମେନ୍ଦ୍ର ଦ୍ୱାଦଶ ଶ୍ରେଣୀ ଯାଏ ପଢ଼ିଛନ୍ତି। ଅଭିନୟ ପ୍ରତି ସେ ରୁତି ରଖିଥିବାରୁ ସମୟକ୍ରମେ ସେ ବଲିଉଡର କିମ୍ବଦନ୍ତୀ ପାଲଟି ଯାଇଥିଲେ। ସେ ୧୯୬୦ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଦିଲ ଭି ତେରା ହମ ଭି ତେରେ’ ସହିତ ତାଙ୍କର ଅଭିନୟ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହା ପରେ ସେ ୧୯୬୧ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ବୟ ଫ୍ରେଣ୍ଡ’ରେ ଏକ ସହାୟକ ଭୂମିକାରେ ଅଭିନୟ କରିଥିଲେ।

ସାତ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର କ୍ୟାରିୟରରେ, ସେ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ଶୋଲେ, ଚୁପକେ ଚୁପକେ, ସୀତା ଔର ଗୀତା ଏବଂ ଧରମ ବୀର ଭଳି ସୁପରହିଟ ଫିଲ୍ମ ଅନ୍ତର୍ଭୁକ୍ତ। ତାଙ୍କ ସଂଳାପଗୁଡ଼ିକ ଏବେ ବି ବହୁଳ ଭାବରେ ପ୍ରଚଳିତ। ଏଥିରେ ଶୋଲେରେ ବାସନ୍ତୀ ଇନ କୁତେ କେ ଆଗେ ମତ ନାଚ୍‌ନା ଏକ ପ୍ରମୁଖ ହିଟ ଫିଲ୍ମ ଥିଲା। ୧୯୭୫ରେ ସିନେମା ‘ଶୋଲେ’ରେ ଅଭିନୟ କରି ଧର୍ମେନ୍ଦ୍ର ଦର୍ଶକଙ୍କ ହୃଦୟରେ ବୀରୁ ଭାବେ ରାଜ୍ କରିଥିଲେ। ନିଜର ଜୀବନ୍ତ ଅଭିନୟ ପାଇଁ ତାଙ୍କୁ ବର୍ଷ ବର୍ଷ ଧରି ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଥିଲା। ଚାରି ଚାରିଟି ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ ଧର୍ମେନ୍ଦ୍ର। ୧୯୭୨ ମସିହାରେ ତାଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଥିଲା। ୧୯୯୭ରେ ଧର୍ମେନ୍ଦ୍ର ପାଇଥିଲେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ। ୨୦୧୨ରେ ତାଙ୍କୁ ଭାରତ ସରକାର ପଦ୍ମଭୂଷଣ ସମ୍ମାନରେ ସେ ସମ୍ମାନୀତ କରିଥିଲେ।

ଫିଲ୍ମ ଦୁନିଆରେ ସଫଳତା ହାସଲ କରିବା ପରେ ଧର୍ମେନ୍ଦ୍ର ରାଜନୀତି ପ୍ରତି ମଧ୍ୟ ଆକୃଷ୍ଟ ହୋଇଥିଲେ। ୨୦୦୪ରେ ସେ ବିଜେପି ଟିକେଟ୍‌ରେ ରାଜସ୍ଥାନର ବିକାନେରରୁ ସାଂସଦ ବନିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ରାଜନୀତିରୁ ଦୂରେଇ ଯାଇଥିଲେ। ପୁଣି ସେ ସିନେମା କରିବା ଜାରି ରଖିଥିଲେ। ଧର୍ମେନ୍ଦ୍ର ୧୯୫୪ରେ ପ୍ରଥମେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ। ମାତ୍ର ୧୯ ବର୍ଷ ଓ ସିନେମା ଦୁନିଆରେ ପ୍ରବେଶ କରିବା ପୂର୍ବରୁ ପ୍ରକାଶ କୌରଙ୍କ ହାତ ଧରିଥିଲେ। ସନ୍ନି ଦେଓଲ ଓ ବବି ଦେଓଲ ଦେଉଛନ୍ତି ପ୍ରକାଶ କୌରଙ୍କ ପୁଅ। ବିଜେତା ଓ ଅଜେଇତା ନାମରେ ତାଙ୍କର ଦୁଇ ଜଣ ଝିଅ ମଧ୍ୟ ରହିଛନ୍ତି।

ପରବର୍ତ୍ତୀ ଅବସ୍ଥାରେ ଫିଲ୍ମରେ ଅଭିନୟ କରିବା ସମୟରେ ଧର୍ମେନ୍ଦ୍ର ଡ୍ରିମଗର୍ଲ ହେମା ମାଳିନୀଙ୍କ ପ୍ରେମରେ ପଡ଼ିଥିଲେ। ପ୍ରକାଶ କୌର ଥିବା ସତ୍ତ୍ୱେ ସେ ୧୯୮୦ରେ ହେମା ମାଳିନୀଙ୍କୁ ବିବାହ କରିଥିଲେ। ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଦୁଇ ଝିଅ ହେଲେ ଇଶା ଓ ଆହାନା। ହେମା ମାଳିନୀ ଏବେ ବିଜେପିର ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। ବଲିଉଡର ଏହି ମହାନ କଳାକାରଙ୍କ ବିୟୋଗ ପୂରା ଦେଶ ତଥା ସିନେମା ଜଗତରେ ଶୋକର ଚ୍ଛାୟା ଖେଳାଇ ଦେଇଛି। ତାଙ୍କ ଦେହାନ୍ତ ଖବର ପରେ ଏବେ ମୁମ୍ବାଇ ସ୍ଥିତ ଧର୍ମେନ୍ଦ୍ରଙ୍କ ବାସଭବନରେ ତାଙ୍କ ଅନ୍ତିମ ଦର୍ଶନ ପାଇଁ ସେଲିବ୍ରେଟିଙ୍କ ଭିଡ଼ ହେବାରେ ଲାଗିଛି।

Leave A Reply

Your email address will not be published.