ପିପିଲି: ପୁରୀ-ଭୁବନେଶ୍ବର ରାସ୍ତାର ଦାଣ୍ଡମୁକୁନ୍ଦପୁର ଭଗୁଆବାଙ୍କଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଅଟୋ-ବାଇକ୍ ମଧ୍ୟରେ ଧକ୍କା ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟପକ୍ଷେ ୫ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁଯାୟୀ, ଦାଣ୍ଡମୁକୁନ୍ଦପୁରରୁ ଜାତୀୟ ରାଜପଥ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଅଟୋ ସହ ସମ୍ମୁଖରୁ ଆସୁଥିବା ଏକ ବାଇକ୍ର ମୁଁହାମୁଁହି ଧକ୍କା ଲାଗିଥିଲା। ବାଇକ୍ ପଛରେ ବସିଥିବା ଜଣେ ଯୁବକ ଛିଟିକି ଯାଇ ରାସ୍ତା ଉପରେ ପଡିଥିଲା। ଫଳରେ ତାର ମୁଣ୍ଡରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଅଟୋରେ ଥିବା ୨ଜଣ ମହିଳା ଓ ଶିଶୁଙ୍କ ସମେତ ବାଇକରେ ଥିବା ଅନ୍ୟ ଦୁଇଜଣ ଯୁବକ ମଧ୍ୟ ଆହତ ହୋଇଛନ୍ତି ।
ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଦୁର୍ଘଟଣାଗ୍ରସ୍ତ ଦୁଇଟିଯାକ ଗାଡିକୁ ପୁଲିସ ଜବତ କରିବା ସହ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ମୃତକଙ୍କ ପ୍ରକୃତ ପରିଚୟ ଜଣାପଡିନଥିବା ବେଳେ ତାଙ୍କ ଘର ହରିରାଜପୁର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି। ମୃତଦେହକୁ ପିପିଲି ଡାକ୍ତରଖାନାରେ ରଖାଯାଇଥିବା ବେଳେ ସୋମବାର ସକାଳେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ ବୋଲି ସୂଚନା ମିଳିଛି।