ବିହାର; ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ବହୁ ଚର୍ଚ୍ଚିତ ‘ଜମି ବଦଳରେ ରେଳବାଇ ଚାକିରି’ ମାମଲାକୁ ରଦ୍ଦ କରିବା ପାଇଁ ତାଙ୍କ ଦାଖଲ କରାଯାଇଥିବା ପିଟିସନ୍କୁ କୋର୍ଟ ଖାରଜ କରିଦେଇଛି।
ମାମଲାର ଶୁଣାଣି ସମୟରେ ଜଷ୍ଟିସ୍ ରବିନ୍ଦର ଦୁଦେଜା କହିଥିଲେ ଯେ, ଲାଲୁଙ୍କ ଆବେଦନରେ କୌଣସି ଯୁକ୍ତିସଙ୍ଗତ ଆଧାର (ମେରିଟ୍) ନାହିଁ। ଲାଲୁ ତାଙ୍କ ପିଟିସନ୍ରେ ଦାବି କରିଥିଲେ ଯେ ସିବିଆଇ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପୂର୍ବରୁ ଆବଶ୍ୟକ ସରକାରୀ ଅନୁମତି ନେଇନଥିଲା। କିନ୍ତୁ କୋର୍ଟ ଏହି ଯୁକ୍ତିକୁ ଖଣ୍ଡନ କରି କହିଛି ଯେ ଏହି ନିୟମ ପୁରୁଣା ମାମଲାରେ ଲାଗୁ ହେବ ନାହିଁ।
ଅଭିଯୋଗ ଅନୁସାରେ, ୨୦୦୪ ରୁ ୨୦୦୯ ମଧ୍ୟରେ ରେଳମନ୍ତ୍ରୀ ଥିବା ବେଳେ ଲାଲୁ ଯାଦବ ରେଳବାଇର ଗ୍ରୁପ୍-ଡି ପଦବୀରେ ଚାକିରି ଦେବା ବଦଳରେ କେତେକ ଲୋକଙ୍କଠାରୁ ଶସ୍ତା ଦରରେ ନିଜ ପରିବାର ନାମରେ ଜମି ହସ୍ତାନ୍ତର କରାଇଥିବା ଅଭିଯୋଗ ରହିଛି। ୨୦୨୨ ମସିହାରେ ସିବିଆଇ ଏହି ମାମଲାରେ ଏଫଆଇଆର ରୁଜୁ କରିଥିଲା।
ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ପକ୍ଷରୁ ଏହି ସମସ୍ତ ଅଭିଯୋଗକୁ ମିଥ୍ୟା ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ବୋଲି କୁହାଯାଇଛି। ତେବେ ହାଇକୋର୍ଟର ଏହି ନିଷ୍ପତ୍ତି ପରେ ତାଙ୍କ ଆଇନଗତ ସମସ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି।