ମହିଳା ସଂରକ୍ଷଣକୁ ବିଜେଡି ସମର୍ଥନ
ନୂଆ ଦିଲ୍ଲୀ: କେନ୍ଦ୍ରର ମୋଦି ସରକାର ଆଜି ଲୋକସଭାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ୨୦୨୬, ସୀମା ନିର୍ଦ୍ଧାରଣ ବିଲ୍ ୨୦୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଲ୍ ୨୦୨୬, ଉପସ୍ଥାପନ କରିଛନ୍ତି। ଏହି ବିଲ୍ମାନଙ୍କ ମୂଳ ଲକ୍ଷ୍ୟ ୨୦୨୩ ମସିହାରେ ପାରିତ ମହିଳା ସଂରକ୍ଷଣ ଆଇନକୁ ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା। ଏହି ପରିପ୍ରେକ୍ଷିତରେ ବିଜେଡି ସଭାପତି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ ବିଲ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି, ମହିଳାଙ୍କ ସଶକ୍ତୀକରଣ ପାଇଁ ଏହା ଏକ ଐତିହାସିକ ପଦକ୍ଷେପ। ତେବେ ସେ ସମ୍ବିଧାନର ପ୍ରସ୍ତାବିତ ୧୩୧ତମ ସଂଶୋଧନ ବିଲ୍ (୨୦୨୬) ଅନୁସାରେ ସୀମା ପୁନଃନିର୍ଦ୍ଧାରଣକୁ ନେଇ ସତର୍କ ମତ ରଖିଛନ୍ତି।
ନବୀନ କହିଛନ୍ତି, ଯଦି ସୀମା ପୁନଃନିର୍ଦ୍ଧାରଣ ଫଳରେ ଓଡ଼ିଶାର ରାଜନୈତିକ ଅଧିକାର କ୍ଷୁଣ୍ଣ ନ ହୁଏ, ତେବେ ଏହି ବିଲ୍କୁ ସ୍ୱାଗତ କରାଯିବ। କିନ୍ତୁ ଏହା ରାଜ୍ୟର ପ୍ରତିନିଧିତ୍ୱକୁ କମାଇଦେବାର ସମ୍ଭାବନା ଥିବାରୁ ଏହାକୁ ଗଭୀରତାର ସହିତ ବିଚାର କରିବା ଆବଶ୍ୟକ। ଏହି ବିଷୟରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଛନ୍ତି। ନବୀନଙ୍କ ମତାନୁସାରେ, ଏହି ସଂଶୋଧନ ଫଳରେ ଲୋକସଭା ଆସନ ସଂଖ୍ୟାରେ ବଡ଼ ପରିବର୍ତ୍ତନ ଆସିପାରେ ଏବଂ ତାହା ଓଡ଼ିଶାର ଜାତୀୟସ୍ତରର ପ୍ରତିନିଧିତ୍ୱକୁ ପ୍ରଭାବିତ କରିପାରେ। ଏହି ପରିସ୍ଥିତିରେ ରାଜ୍ୟର ରାଜନୈତିକ ଅଧିକାର ସୁରକ୍ଷା ପାଇଁ ସମସ୍ତ ଦଳକୁ ଏକତ୍ର ହୋଇ ଆବଶ୍ୟକ ପଦକ୍ଷେପ ନେବା ଦରକାର ବୋଲି ସେ ଆହ୍ୱାନ କରିଛନ୍ତି।