ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି

0

ପୁରୀ: ବିଦେଶରେ ଇସ୍କନ ପକ୍ଷରୁ ଆୟୋଜିତ ହେଉଥିବା ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ପ୍ରସଙ୍ଗକୁ ନେଇ ପୁଣିଥରେ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ। ଏହି ପରମ୍ପରା ବିରୋଧୀ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଛନ୍ତି। ଏହା ସହିତ ଉଭୟଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ସମୟ ମାଗିଛନ୍ତି।

ଗଜପତି ମହାରାଜାଙ୍କ କହିବା ଅନୁସାରେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାରମ୍ବାର ନିବେଦନ କରାଯାଇଥିଲେ ମଧ୍ୟ ଇସ୍କନ ବିଦେଶରେ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ଜାରି ରଖିଛି। ଏହା ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଉପରେ କୁଠାରାଘାତ ସଦୃଶ ହୋଇଥିବା ବେଳେ କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଶ୍ରୀ ଦିବ୍ୟସିଂହ ଦେବ କହିଛନ୍ତି ଯେ, ଇସ୍କନ ମହାପ୍ରଭୁଙ୍କ ବିଧିବଦ୍ଧ ପରମ୍ପରାକୁ ଅବମାନନା କରି ଅ-ତିଥିରେ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ କରୁଛି। ଗତ ଜୁଲାଇ ୪ ତାରିଖରେ ପଶ୍ଚିମବଙ୍ଗର ମାୟାପୁରସ୍ଥିତ ଇସ୍କନ ନେତୃତ୍ୱଙ୍କୁ ଏହା ବନ୍ଦ କରିବାକୁ ଚିଠି ଲେଖାଯାଇଥିଲା। ୨୦୨୫ ଅକ୍ଟୋବର ୧୯ରେ ଇସ୍କନ ବିଶ୍ୱବ୍ୟାପୀ ଭାବେ ତିଥି ଅନୁଯାୟୀ ଏକ ଦିନରେ ସ୍ନାନଯାତ୍ରା ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହାର ପାଳନ ହୋଇନାହିଁ। ସେ କହିଛନ୍ତି ଯେ, କେବଳ ବିଦେଶରେ ନୁହେଁ, ଭାରତର ବିଭିନ୍ନ ସ୍ଥାନରେ ମଧ୍ୟ ଅଦିନିଆ ସ୍ନାନଯାତ୍ରା ଆୟୋଜନର ପ୍ରୟାସ ହୋଇଥିଲା। ଗତ ଜୁନ୍ ୨୫ରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଏପରି ଏକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ହୋଇଥିଲା, ହେଲେ ବିରୋଧ ପରେ ତାହା ବନ୍ଦ କରାଯାଇଥିଲା।

ଗଜପତି ମହାରାଜାଙ୍କ ମତରେ, ଗତ ଦୁଇ ଦଶନ୍ଧି ଧରି ଶ୍ରୀମନ୍ଦିର ପ୍ରଶାସନ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ବନ୍ଦ କରିବା ପାଇଁ ଉଦ୍ୟମ କରିଆସୁଛି। ଏହାର ପ୍ରଭାବରେ ଦେଶ ଭିତରେ ଏପରି ଆୟୋଜନ ଉପରେ ଅନେକାଂଶରେ ରୋକ ଲାଗିଥିବା ବେଳେ ବିଦେଶରେ ଏହା ଏବେ ମଧ୍ୟ ଜାରି ରହିଛି। ନୀଳାଦ୍ରି ବିଜେ ପରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବ ବୋଲି ସେ ସୂଚନା ଦେଇଛନ୍ତି। ଗତ ଏପ୍ରିଲ ୨୦ରେ ରାଷ୍ଟ୍ରପତିଙ୍କୁ ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବା ସେ କହିଛନ୍ତି।

ଏହା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପୁରୀର ସାଂସଦ ଓ ବିଧାୟକଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ଅବଗତ କରାଯାଇଥିବା ସେ କହିଛନ୍ତି। ସମସ୍ତଙ୍କ ସହଯୋଗ ଓ ସଚେତନ ପ୍ରୟାସ ମାଧ୍ୟମରେ ଏହି ସମସ୍ୟାର ସମାଧାନ ସମ୍ଭବ ବୋଲି ଗଜପତି ମହାରାଜା ଆଶା ପ୍ରକାଶ କରିଛନ୍ତି। ବିଦେଶରେ ରହୁଥିବା ଓଡ଼ିଆ ସମାଜକୁ ମଧ୍ୟ ଏହି ପ୍ରସଙ୍ଗରେ ସଚେତନ ହୋଇ ପ୍ରତିବାଦ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଦିଗରେ ହସ୍ତକ୍ଷେପ କରି ଉଚିତ ପଦକ୍ଷେପ ନେବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.