ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

0

ଭୁବନେଶ୍ବର: ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) କାର୍ଯ୍ୟକ୍ରମ ଜୋରଦାର ଭାବେ ଚାଲିଛି। ଏହି ପ୍ରକ୍ରିୟାରେ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ, ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଓ ଅଯୋଗ୍ୟ ନାମକୁ ବାଦ ଦେବା ଉଦ୍ଦେଶ୍ୟରେ ବ୍ୟାପକ ଯାଞ୍ଚ କରାଯାଉଛି। ଏହି କ୍ରମରେ ମୋଟ ୫୮ ଲକ୍ଷ ୩୬ ହଜାର ୪୩୦ ଜଣ ଭୋଟରଙ୍କ ନାମରେ ନୋଟିସ୍‌ ଜାରି କରାଯାଇଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ, ୫୭ ଲକ୍ଷ ୭୭ ହଜାର ୫୬୫ ଜଣ ଭୋଟରଙ୍କୁ ସଫଳତାର ସହ ନୋଟିସ୍‌ ପ୍ରଦାନ କରାଯାଇଛି। ଏହା ପରେ ଶୁଣାଣି ପ୍ରକ୍ରିୟା ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଜି ସୁଦ୍ଧା ୩୦ ଲକ୍ଷ ୧୧ ହଜାର ୫୮୭ ଜଣ ଭୋଟରଙ୍କ ଶୁଣାଣି ସମ୍ପୂର୍ଣ୍ଣ ହୋଇସାରିଛି। ଶୁଣାଣି ପରେ ଯେଉଁ ଭୋଟରମାନେ ଆବଶ୍ୟକ ଦଲିଲ କିମ୍ବା ତଥ୍ୟ ଦାଖଲ କରିପାରିନାହାନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମୋଟ ୧୨ ହଜାର ୫୭୨ ଜଣ ଭୋଟରଙ୍କୁ ଆବଶ୍ୟକ ତଥ୍ୟର ଅଭାବ ଯୋଗୁଁ ଚୂଡ଼ାନ୍ତ ଭୋଟର ତାଲିକାରେ ସାମିଲ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି।

ଅନ୍ୟପଟେ, ନୂତନ ଭୋଟରଙ୍କ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ଫର୍ମ–୬ ମାଧ୍ୟମରେ ୧ ଲକ୍ଷ ୮୧ ହଜାର ୭୭୦ ଜଣ ନୂତନ ଭୋଟର ଭାବେ ନାମ ସାମିଲ କରିବାକୁ ଆବେଦନ କରିଛନ୍ତି। ସେହିପରି, ଗୋଟିଏ ସ୍ଥାନରେ ନାମ ରଖି ଅନ୍ୟ ସ୍ଥାନରୁ ନାମ ବିଲୋପ ପାଇଁ ଫର୍ମ–୭ରେ ୩୭ ହଜାର ୨୬୫ଟି ଆବେଦନ ମିଳିଛି। ନାମ, ଠିକଣା, ବୟସ କିମ୍ବା ଅନ୍ୟାନ୍ୟ ସଂଶୋଧନ ସହ ପରିବାରର ସଦସ୍ୟଙ୍କ ନାମ ଏକାଠି କରିବା ପାଇଁ ଫର୍ମ–୮ରେ ୧ ଲକ୍ଷ ୬୩ ହଜାର ୪୨୪ ଜଣ ଭୋଟର ଆବେଦନ କରିଛନ୍ତି।

ଜିଲ୍ଲାଭିତ୍ତିକ କାର୍ଯ୍ୟଦକ୍ଷତାରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଏବଂ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ସର୍ବାଗ୍ରେ ରହିଛନ୍ତି। ଏହି ଦୁଇ ନିର୍ବାଚନମଣ୍ଡଳୀରେ ଶତପ୍ରତିଶତ ନୋଟିସ୍‌ ବଣ୍ଟନ ଏବଂ ଶତପ୍ରତିଶତ ଶୁଣାଣି ସଫଳତାର ସହ ସମ୍ପୂର୍ଣ୍ଣ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଆହ୍ୱାନ କରିଛନ୍ତି ଯେ, ଯଦି ଭୋଟର ତାଲିକାରେ ନାମ ସାମିଲ, ସଂଶୋଧନ କିମ୍ବା ବିଲୋପ ସମ୍ବନ୍ଧୀୟ କୌଣସି ଦାବି କିମ୍ବା ଆପତ୍ତି ଥାଏ, ତେବେ ଆସନ୍ତା ଅଗଷ୍ଟ ୧୯ ସୁଦ୍ଧା ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଆବେଦନ କରନ୍ତୁ। ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କଲେ ସମସ୍ତ ଦାବି ଓ ଆପତ୍ତିର ଯାଞ୍ଚ କରାଯାଇ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯିବ।

Leave A Reply

Your email address will not be published.