ଗୁଜୁରାଟ: ଗୁଜରାଟକୁ ମିଳିଛି ବଡ଼ ଭେଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭଦୋଦରାରେ ଆୟୋଜିତ ‘ବିକଶିତ ଭାରତ ପାଇଁ ନମୋ’ କାର୍ଯ୍ୟକ୍ରମରେ ଯୋଗଦେଇ ୩୫,୦୦୦ କୋଟି ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଏହି ମେଗା କାର୍ଯ୍ୟକ୍ରମରେ ପ୍ରାୟ ୬,୦୦୦ ଯୁବ ବୃତ୍ତିଗତ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କ ସହ ସିଧାସଳଖ ଆଲୋଚନା କରି ‘ବିକଶିତ ଭାରତ’ ଗଠନରେ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଦେଶର ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବା ପାଇଁ ଯୁବପିଢ଼ିଙ୍କ ସହଯୋଗ ଓ ସହଭାଗିତା ଆବଶ୍ୟକ ବୋଲି ସେ କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତାପନଗର ଓ ଟାଣ୍ଡା ରୋଡ୍ ମଧ୍ୟରେ ନୂଆ MEMU ଯାତ୍ରୀବାହୀ ଟ୍ରେନ୍ ସେବା ସମେତ ଅନ୍ୟାନ୍ୟ ଟ୍ରେନ୍ ସେବାର ଶୁଭାରମ୍ଭ କରିଥିଲେ। ଦ୍ରୁତ ଓ ସୁଗମ ଯୋଗାଯୋଗକୁ ‘ବିକଶିତ ଭାରତ’ର ଏକ ମୁଖ୍ୟ ଆଧାର ବୋଲି ମୋଦୀ ଉଲ୍ଲେଖ କରିଥିଲେ। ଭଦୋଦରାକୁ ‘ଗତି ଶକ୍ତି ବିଶ୍ୱବିଦ୍ୟାଳୟ’ର ସହର ଭାବେ ଉଲ୍ଲେଖ କରି ସେ ଦେଶର ପରିବହନ ଭିତ୍ତିଭୂମିରେ ହେଉଥିବା ପରିବର୍ତ୍ତନ ସମ୍ପର୍କରେ କହିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଅନୁସାରେ, ଦେଶର ପ୍ରାୟ ୨,୮୦୦ କିଲୋମିଟର ଲମ୍ବା ଡେଡିକେଟେଡ୍ ଫ୍ରେଟ୍ କରିଡର ପ୍ରକଳ୍ପ ଏବେ ସମ୍ପୂର୍ଣ୍ଣ ହୋଇଛି। ଏହାକୁ ୨୧ତମ ଶତାବ୍ଦୀର ଭାରତ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି। ପୂର୍ବ ଓ ପଶ୍ଚିମ ଡେଡିକେଟେଡ୍ ଫ୍ରେଟ୍ କରିଡର ଦେଶର ବାଣିଜ୍ୟ ଓ ମାଲ ପରିବହନ ବ୍ୟବସ୍ଥାକୁ ନୂଆ ଗତି ଦେଇଛି ବୋଲି ମୋଦୀ କହିଥିଲେ। ପୂର୍ବରୁ ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍ ଏକାଧିକ ଟ୍ରାକ୍ରେ ଚାଲୁଥିବାରୁ ମାଲବାହୀ ଟ୍ରେନ୍ର ଗତି ପ୍ରଭାବିତ ହେଉଥିଲା। ଏବେ ସ୍ୱତନ୍ତ୍ର ଫ୍ରେଟ୍ କରିଡର ଯୋଗୁ ଏଥିରେ ବଡ଼ ପରିବର୍ତ୍ତନ ଆସିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଏହି କରିଡରରେ ପ୍ରତିଦିନ ପ୍ରାୟ ୪୩୦ଟି ମାଲବାହୀ ଟ୍ରେନ୍ ଚଳାଚଳ କରୁଛି। ଏହା ଫଳରେ ମାଲ ପରିବହନରେ ସମୟ ସଞ୍ଚୟ ସହ ଦେଶର ବାଣିଜ୍ୟିକ କାର୍ଯ୍ୟକଳାପକୁ ମଧ୍ୟ ଗତି ମିଳୁଛି। ଭଦୋଦରାରେ ଚାଲିଥିବା ‘ସ୍ୱଚ୍ଛତା ସେ ସ୍ୱାଗତ’ ଅଭିଯାନ ପାଇଁ ସହରବାସୀଙ୍କୁ ପ୍ରଶଂସା କରିଥିଲେ ମୋଦୀ। ନାଗରିକଙ୍କ ସେବା ମନୋଭାବ ଓ ସ୍ୱଚ୍ଛତା ପ୍ରତି ସଚେତନତାକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ବିକାଶ ପ୍ରକଳ୍ପଗୁଡ଼ିକ ଗୁଜରାଟ ସମେତ ସମଗ୍ର ଦେଶର ଯୋଗାଯୋଗ, ପରିବହନ ଓ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ‘ବିକଶିତ ଭାରତ’ ଲକ୍ଷ୍ୟ ଦିଗରେ ଗତି ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।