ପଶ୍ଚିମବଙ୍ଗ: ଆସନ୍ତା ଦୁର୍ଗାପୂଜାକୁ ନେଇ ପଶ୍ଚିମବଙ୍ଗରେ ପ୍ରସ୍ତୁତି ଜୋରଦାର ହୋଇଛି। ଚଳିତବର୍ଷ ପୂଜାକୁ ନେଇ ରାଜ୍ୟ ସରକାର କିଛି ନୂଆ ନିୟମ ଘୋଷଣା କରିଛନ୍ତି। ପୂଜା ଓ ବିସର୍ଜନ ଶୋଭାଯାତ୍ରା ସମୟରେ ଡିଜେ ବ୍ୟବହାର ଉପରେ ରୋକ୍ ଲଗାଯାଇଥିବା ବେଳେ ମହାଷ୍ଟମୀ ଦିନ ସାରା ରାଜ୍ୟରେ ‘ଡ୍ରାଏ ଡେ’ ପାଳନ କରାଯିବ।
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ପୂଜା ଆୟୋଜକ, ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କୁ ସରକାରଙ୍କ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ପୂଜା ସମୟରେ ଶୃଙ୍ଖଳା ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇଥିବା ସେ କହିଛନ୍ତି। ପର୍ଯ୍ୟଟନ ବିଭାଗ ଏବଂ ସୂଚନା ଓ ସାଂସ୍କୃତିକ ବ୍ୟାପାର ବିଭାଗର ମିଳିତ ଉଦ୍ୟମରେ ମହାଳୟା ଦିନ ଇଡେନ୍ ଗାର୍ଡେନ୍ରେ ଏକ ବିଶେଷ କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମରେ ଡ୍ରୋନ୍ ଶୋ’ ସହ ଆତସବାଜି ପ୍ରଦର୍ଶନର ଆୟୋଜନ କରାଯିବ।
ମହାଳୟାରୁ ହିଁ ଦୁର୍ଗାପୂଜାର ଆନୁଷ୍ଠାନିକ ଆରମ୍ଭ କରାଯିବ ବୋଲି ସରକାର ପକ୍ଷରୁ କୁହାଯାଇଛି। ପୂଜାର ପବିତ୍ରତା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ମହାଷ୍ଟମୀ ଦିନ ‘ଡ୍ରାଏ ଡେ’ ଘୋଷଣା କରାଯାଇଛି। ଏହି ଦିନ ସାରା ରାଜ୍ୟରେ ଖୁଚୁରା ମଦ ଦୋକାନ ଓ ବାର୍ ବନ୍ଦ ରହିବ। ଦିନସାରା ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ୍ ରହିବ ଏବଂ ନିୟମ ଉଲ୍ଲଂଘନ ନ କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତବର୍ଷ ରାଜ୍ୟ ସରକାର ଦୁର୍ଗାପୂଜା କାର୍ନିଭାଲ ଆୟୋଜନ କରିବେ ନାହିଁ। ପୂର୍ବ ସରକାରଙ୍କ ସମୟରେ ଏହି କାର୍ନିଭାଲ ଏକ ପ୍ରମୁଖ ଆକର୍ଷଣ ଥିଲା। ଏଥର ଏହାକୁ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଏଥିସହ ମହାଳୟା ପୂର୍ବରୁ ଦୁର୍ଗାପୂଜା ଉତ୍ସବ ଆରମ୍ଭ ନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ପାରମ୍ପରିକ ପର୍ବ କ୍ୟାଲେଣ୍ଡର ଅନୁସାରେ ନିର୍ଦ୍ଧାରିତ ସମୟରେ ହିଁ ପୂଜା ଆରମ୍ଭ ହେବ। ଦୀର୍ଘ ବର୍ଷ ଧରି ମହାଳୟା ପୂର୍ବରୁ ଆରମ୍ଭ ହେଉଥିବା ପୂଜା ଉତ୍ସବ ଏଥର ପାରମ୍ପରିକ ସମୟସୂଚୀ ଅନୁସାରେ ପାଳନ କରାଯିବ।