ପଞ୍ଜାବ: ପଞ୍ଜାବ ସରକାରଙ୍କ ଆପତ୍ତିକୁ ଅଣଦେଖା କରି ଜଷ୍ଟିସ ଅଶ୍ୱିନୀ କୁମାର ମିଶ୍ର ସୋମବାର ପଞ୍ଜାବ ଓ ହରିୟାଣା ହାଇକୋର୍ଟର ୩୭ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଚଣ୍ଡିଗଡ଼ସ୍ଥିତ ଲୋକ ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଜ୍ୟପାଳ ଗୁଲାବ ଚନ୍ଦ କଟାରିଆ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଜଷ୍ଟିସ ମିଶ୍ରଙ୍କ ନିଯୁକ୍ତିକୁ ନେଇ ଆପ୍ ସରକାର ଅସନ୍ତୋଷ ପ୍ରକାଶ କରିଥିଲା। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏହି ନିଯୁକ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କ ସହମତି ନିଆଯାଇନଥିବା ଦାବି କରି ଶପଥ ସମାରୋହରୁ ଦୂରେଇ ରହିଥିଲେ।
ତେବେ ହରିୟାଣା ରାଜ୍ୟପାଳ ପ୍ରଫେସର ଅସୀମ କୁମାର ଘୋଷ, ମୁଖ୍ୟମନ୍ତ୍ରୀ ନାଏବ ସିଂହ ସାଇନି ଏବଂ ଶିରୋମଣୀ ଅକାଳୀ ଦଳର ବିଧାୟକ ଗନିବ କୌର ଶପଥ ସମାରୋହରେ ଉପସ୍ଥିତ ଥିଲେ। ଜଷ୍ଟିସ ମିଶ୍ରଙ୍କ ନିଯୁକ୍ତି ବିରୋଧରେ ଶପଥ ଗ୍ରହଣର ଗୋଟିଏ ଦିନ ପୂର୍ବରୁ ପଞ୍ଜାବ ସରକାର ସାମ୍ବାଦିକ ସମ୍ମିଳନୀ କରିଥିଲା। ଏହାପରେ କ୍ୟାବିନେଟର ଜରୁରି ବୈଠକ ଡକାଯାଇ ନିଯୁକ୍ତି ବିରୋଧରେ ପ୍ରସ୍ତାବ ପାରିତ ହୋଇଥିଲା।
ପଞ୍ଜାବ ସରକାରଙ୍କ ସହମତି ନ ନିଆଯିବା ପର୍ଯ୍ୟନ୍ତ ଜଷ୍ଟିସ ମିଶ୍ରଙ୍କୁ ଶପଥ ନ ପାଠ କରାଇବାକୁ କ୍ୟାବିନେଟ ପକ୍ଷରୁ ଦାବି କରାଯାଇଥିଲା। ହେଲେ ସରକାରଙ୍କ ଏହି ବିରୋଧ ସତ୍ତ୍ୱେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଜଷ୍ଟିସ ମିଶ୍ର ଶପଥ ନେଇଛନ୍ତି।