ନ୍ୟୁଜ୍ ବ୍ୟୁରୋ: ଏସୀୟ କ୍ରୀଡ଼ାରେ ଶୁକ୍ରବାର ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହ ମୋଟ ୧୧ଟି ପଦକ ଜିତିଛି। ଏହା ସହ ଭାରତର ମୋଟ ପଦକ ସଂଖ୍ୟା ୭୬ରେ ପହଞ୍ଚିଥିବା ବେଳେ ଦେଶ ପଦକ ତାଲିକାରେ ପଞ୍ଚମ ସ୍ଥାନକୁ ଉଠିଛି। ଭାରତର ଖାତାରେ ଏବେ ୧୬ ସ୍ୱର୍ଣ୍ଣ, ୨୫ ରୌପ୍ୟ ଓ ୩୫ କାଂସ୍ୟ ପଦକ ରହିଛି। ଦିନର ସବୁଠାରୁ ବଡ଼ ସଫଳତା ଭାରତୀୟ ମହିଳା ହକି ଦଳ ଆଣିଛି। ଫାଇନାଲରେ ଚୀନ୍କୁ ୧-୦ ଗୋଲ୍ରେ ହରାଇ ଭାରତ ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ମହିଳା ହକି ସ୍ୱର୍ଣ୍ଣ ଜିତିଛି। ଏହି ବିଜୟ ସହ ଦଳ ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ମଧ୍ୟ ସିଧାସଳଖ ଯୋଗ୍ୟତା ହାସଲ କରିଛି।
ତୀରନ୍ଦାଜିରେ ଭାରତୀୟ ମହିଳା ରିକର୍ଭ ଦଳ ସ୍ୱର୍ଣ୍ଣ ଜିତିଥିବା ବେଳେ ମିକ୍ସଡ୍ ଓ ପୁରୁଷ ରିକର୍ଭ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି। ବକ୍ସିଂରେ ଲଭଲିନା ବୋର୍ଗୋହେନ୍, ପରବୀନ ହୁଡ୍ଡା ଓ ଅଙ୍କୁଶ ପଙ୍ଘାଲ ସ୍ୱର୍ଣ୍ଣ ଜିତିଛନ୍ତି। ରେସଲିଂରେ ସୁଜିତ କଲକଲ ମଧ୍ୟ ସ୍ୱର୍ଣ୍ଣ ଜିତି ଭାରତର ସଫଳତାକୁ ଆହୁରି ମଜବୁତ କରିଛନ୍ତି।