ବଦଳିଲେ ଦୁଇ ଜିଲ୍ଲାପାଳ
ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ୍ ଓ ଓଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏହି କ୍ରମରେ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ମିଳିଛି।ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ୨୦୧୪ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ମହେଶ୍ୱର ୨୦୨୫ ଜୁଲାଇ ୨୫ରୁ ନବରଙ୍ଗପୁର ଜିଲ୍ଲାପାଳ ଥିଲେ। ତାଙ୍କ ସ୍ଥାନରେ ୨୦୧୯ ବ୍ୟାଚ୍ର ଅନନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ କରାଯାଇଛି। ସେହିପରି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ କରାଯାଇଛି। ତାଙ୍କ ସ୍ଥାନରେ ୨୦୨୦ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ମଧୁମିତାଙ୍କୁ ନୂଆପଡ଼ା ଜିଲ୍ଲାପାଳ ଦାୟିତ୍ୱ ମିଳିଛି।
ଅନ୍ୟପକ୍ଷରେ ପ୍ରଦୀପ କୁମାର ନାୟକଙ୍କୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଅତିରିକ୍ତ ସଚିବ, ଅଶନୀ ଏ.ଏଲ୍ଙ୍କୁ ଭବାନୀପାଟଣା ସବ୍-କଲେକ୍ଟର ଏବଂ କସ୍ତୁରୀ ଶା’ଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅନୁସଚିବ ଭାବେ ବଦଳି କରାଯାଇଛି। ଏହାସହ ଓଏଏସ୍ ସ୍ତରରେ ମଧ୍ୟ ବ୍ୟାପକ ଅଦଳବଦଳ ହୋଇଛି। ବହୁ ଅଧିକାରୀଙ୍କୁ ବିଭିନ୍ନ ବିଭାଗର ଅତିରିକ୍ତ ସଚିବ, ଡେପୁଟି ସେକ୍ରେଟାରୀ, ସବ୍-କଲେକ୍ଟର ଓ ଅନ୍ୟାନ୍ୟ ପଦରେ ନୂଆ ଦାୟିତ୍ୱ ଦିଆଯାଇଛି।