ନୂଆଦିଲ୍ଲୀ: ଜିଏସ୍ଟି ବ୍ୟବସ୍ଥାରେ ବ୍ୟବସାୟୀ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଆଶ୍ୱସ୍ତି ଦେବା ଭଳି ଅନେକ ପଦକ୍ଷେପ ନେଇଛି ଜିଏସ୍ଟି ପରିଷଦ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୫୭ତମ ଜିଏସ୍ଟି ପରିଷଦ ବୈଠକରେ ଅପରାଧିକ ମାମଲା ଓ ଆଇନଗତ ପ୍ରକ୍ରିୟାକୁ ସରଳ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଜିଏସ୍ଟି ନିୟମ ଉଲ୍ଲଂଘନ କ୍ଷେତ୍ରରେ ଅପରାଧିକ ମାମଲା ଆରମ୍ଭ ପାଇଁ ଥିବା ସୀମା ୧ କୋଟି ଟଙ୍କାରୁ ବଢ଼ାଇ ୫ କୋଟି ଟଙ୍କା କରାଯିବ। ଫଳରେ ୫ କୋଟି ଟଙ୍କାରୁ କମ୍ ରାଶି ସମ୍ପର୍କିତ ମାମଲାରେ ସିଧାସଳଖ ଅପରାଧିକ କାର୍ଯ୍ୟାନୁଷ୍ଠାନର ଚାପ କମିବ। ଏହା ବ୍ୟବସାୟୀ ଓ ଏମ୍ଏସ୍ଏମ୍ଇଗୁଡ଼ିକୁ ବଡ଼ ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଛି।
ସେହିପରି ଶୋ-କଜ୍ ନୋଟିସ୍ ଜାରି କରିବାର ସର୍ବନିମ୍ନ ସୀମା ୧୦ ହଜାର ଟଙ୍କା ରଖାଯାଇଛି। ଇ-କମର୍ସ ବ୍ୟବସାୟ ଓ କ୍ଷୁଦ୍ର ବିକ୍ରେତାଙ୍କ ପାଇଁ ଜିଏସ୍ଟି ପ୍ରକ୍ରିୟାକୁ ମଧ୍ୟ ସରଳ କରିବା ଉପରେ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ବ୍ୟବସାୟୀଙ୍କ ଆଇନଗତ ଚାପ କମିବା ସହ କାରବାରରେ ନଗଦ ପ୍ରବାହ ସୁଗମ ହେବ ବୋଲି ଆଶା କରାଯାଉଛି।