ନ୍ୟୁଜ୍ ବ୍ୟୁରୋ: କାନାଡାର ପ୍ରସିଦ୍ଧ କବି ଓ ଲେଖିକା ଆନ୍ନେ କାରସନ ୨୦୨୬ ବର୍ଷ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। କବିତା ଓ ସାହିତ୍ୟ ରଚନା ସହ ଅନୁବାଦ କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଅବଦାନ ରହିଛି। ବିଶେଷକରି ପ୍ରାଚୀନ ଗ୍ରୀକ୍ ସାହିତ୍ୟ ଉପରେ ତାଙ୍କର ଗଭୀର ଅଧ୍ୟୟନ ରହିଛି।
୧୯୫୦ରେ କାନାଡାର ଟରାଣ୍ଟୋରେ ଜନ୍ମିତ ଆନ୍ନେ କାରସନ ଦୀର୍ଘଦିନ ଧରି ଭାଷା ଓ ଶବ୍ଦର ଗଠନ ଉପରେ ଗବେଷଣା କରିଆସିଛନ୍ତି। ୧୯୮୧ରେ ଦାଖଲ କରିଥିବା ତାଙ୍କ ଡକ୍ଟରାଲ ଥେସିସ୍ ମଧ୍ୟ ପ୍ରାଚୀନ ଗ୍ରୀକ୍ ସାହିତ୍ୟ ଓ କ୍ଲାସିକ୍ସ ଉପରେ ଆଧାରିତ ଥିଲା। ପରେ ସେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଗ୍ରୀକ୍ କ୍ଲାସିକାଲ୍ ସାହିତ୍ୟ ସମ୍ପର୍କରେ ଶିକ୍ଷାଦାନ କରିଛନ୍ତି।
୧୯୯୮ରେ ପ୍ରକାଶିତ ତାଙ୍କ ଚର୍ଚ୍ଚିତ କୃତି ‘ଅଟୋବାଇଓଗ୍ରାଫି ଅଫ୍ ରେଡ୍’ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ବିଶେଷ ପରିଚୟ ଦେଇଥିଲା। କବିତା, ଗଦ୍ୟ, ଅନୁବାଦ ଓ ପ୍ରାଚୀନ ସାହିତ୍ୟକୁ ଆଧୁନିକ ଦୃଷ୍ଟିକୋଣରେ ଉପସ୍ଥାପନ କରିବାରେ ତାଙ୍କ ଅନନ୍ୟ ଶୈଳୀ ତାଙ୍କୁ ବିଶ୍ୱ ସାହିତ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।