ରାଜ୍ୟ କ୍ୟାବିନେଟ୍ରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରି; ମାଗଣା ପାଠ୍ୟପୁସ୍ତକ ଯୋଗାଣ ପାଇଁ ୨୮୪.୦୭ କୋଟି
ଭୁବନେଶ୍ବର: ଶିକ୍ଷକଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ସରକାରୀ ହାଇସ୍କୁଲ ଶିକ୍ଷକଙ୍କ ପାଇଁ ନୂଆ ସେବା ନିୟମାବଳୀ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ରାଜ୍ୟ କ୍ୟାଡର ମାନ୍ୟତା ଏବଂ ପ୍ରାଥମିକ ଶିକ୍ଷକଙ୍କ ବରିଷ୍ଠତା ବିବାଦର ସମାଧାନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବ ମଞ୍ଜୁର ହୋଇଛି। ୧୯୯୩ର ପୁରୁଣା ନିୟମ ପରିବର୍ତ୍ତେ ‘ଓଡ଼ିଶା ମାଧ୍ୟମିକ ଶିକ୍ଷା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ନିୟମାବଳୀ-୨୦୨୬’ ପ୍ରଣୟନ କରାଯିବ। ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟାରେ ସମାନତା ଆସିବା ସହ ରାଜ୍ୟସ୍ତରୀୟ କ୍ୟାଡର ବ୍ୟବସ୍ଥା ସୃଷ୍ଟି ହେବ। ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ରାଜ୍ୟ କ୍ୟାଡର ମାନ୍ୟତା ସହ ପଦୋନ୍ନତି ସୁବିଧା ମିଳିବ।
ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବରିଷ୍ଠତା ନିର୍ଦ୍ଧାରଣ ପାଇଁ ୧୯୯୭ର ନିୟମାବଳୀର ନିୟମ ୧୫(୬)ରେ ସଂଶୋଧନ ହେବ। ଏଣିକି ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କ୍ୟାଡରରେ ବରିଷ୍ଠତା କେବଳ ଚାକିରି ଅବଧି ଆଧାରରେ ନିର୍ଦ୍ଧାରଣ ନହୋଇ ସ୍ତର-୩ ଚୟନ ତାଲିକାର ସ୍ଥାନ ଅନୁଯାୟୀ ସ୍ଥିର ହେବ। ଆଗାମୀ ୫ ବର୍ଷ ପାଇଁ ୨୮୪.୦୭ କୋଟି ଟଙ୍କା ବ୍ୟୟରେ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀର ୨୮.୭୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଏହି ଯୋଜନାରେ ଏସ୍ସି ଓ ଏସ୍ଟି ବର୍ଗର ଛାତ୍ରଛାତ୍ରୀ ସାମିଲ ହେବେ ନାହିଁ ବୋଲି ପ୍ରସ୍ତାବରେ ଉଲ୍ଲେଖ ରହିଛି। ଯୁବକଯୁବତୀଙ୍କୁ ନିଯୁକ୍ତି ଉପଯୋଗୀ ପ୍ରଶିକ୍ଷଣ ଦେବା ପାଇଁ ୪୫୦ କୋଟି ଟଙ୍କାର ଦକ୍ଷତା ବିକାଶ ଯୋଜନାକୁ ମଞ୍ଜୁରି ମିଳିଛି। ୨୦୨୬-୨୭ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦେବା ଲକ୍ଷ୍ୟ ରହିଛି। ଏଥିରେ ୩ ଲକ୍ଷ ଯୁବକଯୁବତୀଙ୍କୁ କୃତ୍ରିମ ବୁଦ୍ଧିମତ୍ତା, କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ ଓ ସାଇବର ସୁରକ୍ଷା ଭଳି କ୍ଷେତ୍ରରେ ଡିଜିଟାଲ୍ ତାଲିମ ଦିଆଯିବ। ଅନ୍ୟ ୧.୧୭ ଲକ୍ଷଙ୍କୁ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ ସହ ଜର୍ମାନ ଓ ଜାପାନୀ ଭାଷା ଶିକ୍ଷା, ବିଦେଶରେ ନିଯୁକ୍ତି ସହାୟତା ଏବଂ ସ୍ୱତନ୍ତ୍ର ବର୍ଗଙ୍କ ପାଇଁ ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ୪୦ ଜଣ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋ ନିୟୋଜିତ ହେବେ ଏବଂ ‘ସ୍କିଲ୍ଡ-ଇନ୍-ଓଡ଼ିଶା ଡିଜିଟାଲ୍ ହବ୍’ ସ୍ଥାପନ କରାଯିବ।
ଚାଷୀଙ୍କୁ ସୁଲଭ ମୂଲ୍ୟରେ ବିହନ ଓ ସାର ଯୋଗାଇବା ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ ଏବଂ ଓଡ଼ିଶା ରାଜ୍ୟ ସମବାୟ ମାର୍କେଟିଂ ଫେଡେରେସନକୁ ୧,୩୬୦ କୋଟି ଟଙ୍କାର ସୁଧମୁକ୍ତ କର୍ପସ୍ ପାଣ୍ଠି ମଞ୍ଜୁର ହୋଇଛି। କଟକ ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପ ପାଇଁ ୧୩୩.୭୧ କୋଟି ଏବଂ ବଲାଙ୍ଗିର ଜିଲ୍ଲାର ସଇଁତଳାରେ ଇନ୍ଷ୍ଟ୍ରିମ୍ ଜଳାଶୟ ନିର୍ମାଣ ପାଇଁ ୧୦୫.୬୨ କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି। କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ୧୭୬.୮୩ କୋଟି ଟଙ୍କାରେ ଡିଜିଟାଲ୍ ବିପର୍ଯ୍ୟୟ ପୁନରୁଦ୍ଧାର ଓ ତଥ୍ୟ କେନ୍ଦ୍ର ସ୍ଥାପନ ହେବ। ଏହାସହ ଜଳସମ୍ପଦ ବିଭାଗର ଡିପ୍ଲୋମା ଯନ୍ତ୍ରୀ କ୍ୟାଡର ପୁନର୍ବିନ୍ୟାସ, ଶିଳ୍ପ ନୀତି-୨୦୨୨ରେ ଷ୍ଟାମ୍ପ ଶୁଳ୍କ ସଂଶୋଧନ ଏବଂ ରାଇରଙ୍ଗପୁରରେ ଡାକ ବିଭାଗର କାର୍ଯ୍ୟାଳୟ ନିର୍ମାଣ ପାଇଁ ମାଗଣା ଜମି ହସ୍ତାନ୍ତରକୁ ମଧ୍ୟ ଅନୁମୋଦନ ମିଳିଛି।
ଅନ୍ୟପକ୍ଷରେ, ଶାସନ ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟ କ୍ୟାବିନେଟ୍ରେ ଏକ ସଂକଳ୍ପ ପାରିତ ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।