ନ୍ୟୁ୍ଜ୍ ବ୍ୟୁରୋ: ଭାରତୀୟ ନୌସେନାରେ ସାମିଲ ହୋଇଛି ତୃତୀୟ ଅଗଭୀର ଜଳ ଆଣ୍ଟି-ସବମେରିନ୍ ଯୁଦ୍ଧପୋତ ଆଇଏନ୍ଏସ୍ ମାଙ୍ଗରୋଲ୍। ଏହା ଦ୍ୱାରା ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳ ଓ ଅଗଭୀର ସମୁଦ୍ର ଜଳସୀମାରେ ଭାରତର ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ କ୍ଷମତା ଅଧିକ ସୁଦୃଢ଼ ହେବ। କୋଚିସ୍ଥିତ କୋଚିନ୍ ସିପ୍ୟାର୍ଡ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ଯୁଦ୍ଧପୋତର ନୌସେନାରେ ସାମିଲ ହେବା ଭାରତର ସ୍ୱଦେଶୀ ଜାହାଜ ନିର୍ମାଣ କ୍ଷମତାର ଆଉ ଏକ ଉଦାହରଣ।
ପରିବର୍ତ୍ତିତ ସାମୁଦ୍ରିକ ସୁରକ୍ଷା ପରିସ୍ଥିତିରେ ମାଙ୍ଗରୋଲ୍ ଉପକୂଳବର୍ତ୍ତୀ ଜଳସୀମା, ବନ୍ଦର ଏବଂ ସମୁଦ୍ର ପଥର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହା ସାମୁଦ୍ରିକ ପାଟ୍ରୋଲ୍ ବିମାନ, ହେଲିକପ୍ଟର ଓ ଅନ୍ୟ ଯୁଦ୍ଧଜାହାଜ ସହ ସମନ୍ୱୟ ରକ୍ଷା କରି ଶତ୍ରୁ ବୁଡ଼ାଜାହାଜକୁ ଚିହ୍ନଟ କରିବା ଏବଂ ମୁକାବିଲା କରିବାରେ ସକ୍ଷମ। ପଶ୍ଚିମ ନୌସେନା କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାଇସ୍ ଆଡମିରାଲ୍ ସଞ୍ଜୟ ବାତ୍ସାୟନ୍ ଏହି ଅବସରରେ ମୁଖ୍ୟ ଅତିଥି ଥିଲେ।
ନୌସେନା ଅନୁଯାୟୀ, ଏହି ଯୁଦ୍ଧପୋତରେ ୮୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ଉପକରଣ ବ୍ୟବହାର ହୋଇଛି। ଏଥିରେ ଉନ୍ନତ ଅସ୍ତ୍ରଶସ୍ତ୍ର ଓ ସେନ୍ସର ସହ ହଲ୍-ମାଉଣ୍ଟେଡ୍ ସୋନାର୍ ‘ଅଭୟ’, ହାଲୁକା ଟର୍ପେଡୋ, ସ୍ୱଦେଶୀ ଆଣ୍ଟି-ସବମେରିନ୍ ରକେଟ୍ ଲଞ୍ଚର୍ ଏବଂ ଟର୍ପେଡୋ ଡିକୟ ସିଷ୍ଟମ୍ ‘ମାରିଚ୍’ ରହିଛି। ତିନୋଟି ଡିଜେଲ୍ ଇଞ୍ଜିନ୍ ଓ ୱାଟରଜେଟ୍ ପ୍ରପଲ୍ସନ୍ ସିଷ୍ଟମ୍ ଦ୍ୱାରା ଚାଳିତ ଏହି ଜାହାଜ ଅଗଭୀର ଜଳରେ ମଧ୍ୟ କାର୍ଯ୍ୟ କରିପାରିବ। ଗୁଜରାଟର ଜୁନାଗଡ଼ ଜିଲ୍ଲାର ଉପକୂଳବର୍ତ୍ତୀ ସହର ତଥା ପ୍ରମୁଖ ମାଛଧରା ବନ୍ଦର ମାଙ୍ଗରୋଲ୍ ନାମ ଅନୁଯାୟୀ ଏହି ଯୁଦ୍ଧପୋତର ନାମକରଣ କରାଯାଇଛି।