ବିହାର: ବିହାରର ବୈଶାଳୀ ଜିଲ୍ଲାରେ ଡଙ୍ଗା ବୁଡ଼ିଯିବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ରଘୁପୁର ଗ୍ରାମର ୧୫ରୁ ୨୦ ଜଣ ଲୋକ ଏକ ଡଙ୍ଗାରେ ବସି ନଦୀର ଅପରପାର୍ଶ୍ୱକୁ ଭୋଜି ଖାଇବାକୁ ଯାଉଥିଲେ। ତେବେ ମଝି ନଈରେ ଡଙ୍ଗାଟି ହଠାତ୍ ବୁଡ଼ିଯାଇଥିଲା। ପ୍ରାଥମିକ ସୂଚନା ଅନୁସାରେ, ଡଙ୍ଗାରେ ଅଧିକାଂଶ ଛୋଟ ପିଲା ଥିଲେ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍ଡିଆର୍ଏଫ୍) ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଛି। ନିଖୋଜ ଲୋକଙ୍କୁ ଖୋଜିବାରେ ସ୍ଥାନୀୟ ବାସିନ୍ଦା ମଧ୍ୟ ଉଦ୍ଧାରକାରୀ ଦଳକୁ ସହଯୋଗ କରୁଛନ୍ତି। ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଏହି ହୃଦୟବିଦାରକ ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ପ୍ରତି ପରିବାର ପିଛା ୪ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସେ ଘୋଷଣା କରିଛନ୍ତି।