ନ୍ୟୁଜ ବ୍ୟୁରୋ: ନକ୍ସଲ ହୁଅନ୍ତୁ କି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ, ଅଥବା ଅନ୍ୟ କୌଣସି ଅପରାଧୀ ଗୋଷ୍ଠୀ, ସମସ୍ତଙ୍କୁ କଡ଼ା ଜବାବ ଦିଆଯିବ। ଏପରିକି ଦେଶ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ପୁଲିସ ବଳିଦାନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛି। ବୁଧବାର କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ୬୭ତମ ପୁଲିସ ସହିଦ ସ୍ମୃତି ଦିବସ ଅବସରରେ ଏପରି କଡ଼ା ଚେତାବନୀ ଦେଇଛନ୍ତି ପୁଲିସ ଡିଜି ବିନୟତୋଷ ମିଶ୍ର। ଏହି ଅବସରରେ ସେ କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ୧୯୫୯ ଅକ୍ଟୋବର ୨୧ରେ ଲଦାଖରେ ଚୀନ୍ ସୈନିକଙ୍କ ସହ ଲଢ଼େଇ କରି ୧୦ ଜଣ ଭାରତୀୟ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। ସେମାନଙ୍କ ବଳିଦାନକୁ ସ୍ମରଣ କରି ପ୍ରତିବର୍ଷ ଏହି ଦିନ ପୁଲିସ ସହିଦ ସ୍ମୃତି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଦେଶର ବିଭିନ୍ନ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ୧୫୪ ଜଣ ଯବାନ କର୍ତ୍ତବ୍ୟ ପାଳନ ସମୟରେ ସହିଦ ହୋଇଛନ୍ତି।
ଓଡ଼ିଶାରେ ମାଓବାଦୀ ବିରୋଧୀ ଅଭିଯାନ ସମୟରେ ସହିଦ ହୋଇଥିବା ପୁଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ତ୍ୟାଗକୁ ମଧ୍ୟ ଡିଜି ସ୍ମରଣ କରିଥିଲେ। ସେମାନଙ୍କ ସାହସ ଓ ନିଷ୍ଠା ରାଜ୍ୟରେ ମାଓବାଦୀ ହିଂସାର ମୁକାବିଲା ଏବଂ ଶାନ୍ତି ପ୍ରତିଷ୍ଠାରେ ସହାୟକ ହୋଇଛି ବୋଲି ସେ କହିଥିଲେ। ବର୍ତ୍ତମାନ ପୁଲିସକୁ ଆତଙ୍କବାଦ, ସଂଗଠିତ ଅପରାଧ, ସାଇବର ଅପରାଧ ଓ ନିଶାଦ୍ରବ୍ୟ ଚୋରାଚାଲାଣ ସମେତ ଅନେକ ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି। ଏହାର ମୁକାବିଲା ପାଇଁ ପୁଲିସ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଓ ନିୟମିତ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଥିବା ଡିଜି କହିଥିଲେ।