ନୂଆ ଦିଲ୍ଲୀ: ୨୦୨୯ ଡିସେମ୍ବର ୩୧ ସୁଦ୍ଧା ଭାରତକୁ ନିଶାମୁକ୍ତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବୁଧବାର ନୂଆଦିଲ୍ଲୀସ୍ଥିତ ଜାତୀୟ ପୁଲିସ ସ୍ମାରକୀଠାରେ ପୁଲିସ ସ୍ମୃତି ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଘୋଷଣା କରିଛନ୍ତି। ଦେଶରେ ନିଶାଦ୍ରବ୍ୟର ପ୍ରସାର ଏକ ଗମ୍ଭୀର ଆହ୍ୱାନ ବୋଲି କହିବା ସହ ୨୦୨୬ର ଅବଶିଷ୍ଟ ସମୟ ଏବଂ ଆଗାମୀ ତିନି ବର୍ଷ ଧରି ଏହା ବିରୋଧରେ ଏକଜୁଟ ହୋଇ ଲଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି। ନିଶା କେବଳ ଯୁବପିଢ଼ିର ଭବିଷ୍ୟତକୁ ନଷ୍ଟ କରୁନାହିଁ, ବରଂ ଦେଶର ଅର୍ଥନୀତି ଉପରେ ଚାପ ପକାଇବା ସହ ଦେଶବିରୋଧୀ କାର୍ଯ୍ୟକଳାପକୁ ଆର୍ଥିକ ସହାୟତା ଯୋଗାଉଛି ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଶାମୁକ୍ତ ଭାରତ ଲକ୍ଷ୍ୟ ପୂରଣ ପାଇଁ ସମସ୍ତ ରାଜ୍ୟର ପୁଲିସ ବାହିନୀକୁ ନିଷ୍ଠାର ସହ କାମ କରିବାକୁ ଶାହ ଆହ୍ୱାନ ଦେଇଛନ୍ତି।
ଏହି ଅବସରରେ ସେ କର୍ତ୍ତବ୍ୟ ପାଳନ ସମୟରେ ପ୍ରାଣ ହରାଇଥିବା ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସ୍ୱାଧୀନତା ପରଠାରୁ ଦେଶରେ ୩୬,୮୫୨ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିବା ବେଳେ ଚଳିତ ବର୍ଷ ୧୫୪ ଜଣ ପ୍ରାଣବଳି ଦେଇଛନ୍ତି ବୋଲି ସେ କହିଛନ୍ତି। ୧୯୫୯ ଅକ୍ଟୋବର ୨୧ରେ ଲଦାଖର ହଟ୍ ସ୍ପ୍ରିଙ୍ଗ୍ସଠାରେ ଚୀନ୍ ସୈନିକଙ୍କ ଆକ୍ରମଣରେ ୧୦ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। ସେମାନଙ୍କ ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର ୨୧କୁ ପୁଲିସ ସ୍ମୃତି ଦିବସ ଭାବେ ପାଳନ କରାଯାଏ।
କାର୍ଯ୍ୟକ୍ରମ ପୂର୍ବରୁ ଶାହ ନଅଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୯୦ ଜଣ ପୁଲିସ ଆରୋହୀଙ୍କ ଏକ ମୋଟରସାଇକେଲ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ନିଶା ବିରୋଧୀ ଅଭିଯାନର ଅଂଶବିଶେଷ ଏହି ରାଲି ଅକ୍ଟୋବର ୩୧ରେ ଗୁଜରାଟର ଏକତା ନଗରଠାରେ ଆୟୋଜିତ ଏକତା ପରେଡ୍ରେ ଯୋଗଦେବ।