ପୁରୀ: ପୁରୀ ବଡ଼ଦାଣ୍ଡରେ ଥିବା ଟିପି ହୋଟେଲରେ ଶୁକ୍ରବାର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ତିରୁପତି ପାଣିଗ୍ରାହୀଙ୍କ ଏହି ହୋଟେଲର ତଳ ମହଲାରେ ଥିବା ରେଷ୍ଟୁରାଣ୍ଟ ଗତ ଦୁଇ ମାସ ଧରି ବନ୍ଦ ରହିଥିଲା। ଆସନ୍ତା ତିନି ଦିନ ପରେ ଏହା ଖୋଲିବାର ଯୋଜନା ଥିବାରୁ ଶୁକ୍ରବାର ସକାଳେ ହୋମଯଜ୍ଞ କରାଯାଇଥିଲା। ଏହାପରେ ଗ୍ୟାସ୍ ସଂଯୋଗ ପାଇଁ ଏଜେନ୍ସି କର୍ମଚାରୀ ଆସିଥିଲେ। ଗ୍ୟାସ୍ ସଂଯୋଗ ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା।
ଏଥିରେ ଗ୍ୟାସ୍ ଏଜେନ୍ସିର ଜଣେ କର୍ମଚାରୀ, ହୋଟେଲର ଜଣେ କର୍ମଚାରୀ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଯୋଗୁଁ ହୋଟେଲ ସମ୍ମୁଖ ଧୂଆଁମୟ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁରୀ ଏସ୍ପି ପ୍ରତୀକ ସିଂ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଗ୍ୟାସ୍ ସଂଯୋଗ ସମୟରେ ଫ୍ଲାସ୍ ଫାୟାର ଯୋଗୁଁ ବିସ୍ଫୋରଣ ହୋଇଥାଇପାରେ ବୋଲି ଅଗ୍ନିଶମ ଅଧିକାରୀ ପ୍ରାଥମିକ ଭାବେ କହିଛନ୍ତି। ତେବେ ବିସ୍ଫୋରଣର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।