ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY)ରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତି ଚାଲିଛି। ନୂଆ ପ୍ରସ୍ତାବ ଅନୁଯାୟୀ, ୧୧୨ଟି ଚିକିତ୍ସା ପ୍ୟାକେଜ୍କୁ କେବଳ ସରକାରୀ ହସ୍ପିଟାଲ ପାଇଁ ସଂରକ୍ଷିତ ରଖାଯିବ। ଫଳରେ ଏହି ରୋଗଗୁଡ଼ିକର ଚିକିତ୍ସା ଘରୋଇ ହସ୍ପିଟାଲରେ ଯୋଜନା ଅଧୀନରେ ମାଗଣାରେ କରାଇବାର ସୁବିଧା ମିଳିବ ନାହିଁ।
ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA)ର ଏହି ପ୍ରସ୍ତାବ ଅନୁଯାୟୀ, ପୂର୍ବରୁ ୨୩ଟି ଚିକିତ୍ସା ପ୍ୟାକେଜ୍ ସରକାରୀ ହସ୍ପିଟାଲ ପାଇଁ ସଂରକ୍ଷିତ ଥିଲା। ଏବେ ଏଥିରେ ଆଉ ୮୯ଟି ପ୍ୟାକେଜ୍ ଯୋଡ଼ାଯାଇ ମୋଟ ସଂଖ୍ୟା ୧୧୨ କରିବାକୁ ଯୋଜନା ହୋଇଛି। ନୂଆ ତାଲିକାରେ ମୋତିଆବିନ୍ଦୁ, ଗ୍ଲୁକୋମା, ହାଇରିସ୍କ ଡେଲିଭରି, ଗର୍ଭାଶୟ ଅସ୍ତ୍ରୋପଚାର, ହେପାଟାଇଟିସ୍, ପାନ୍କ୍ରିଆଟାଇଟିସ୍, ଫିଷ୍ଟୁଲା, ଗୁରୁତର ରକ୍ତହୀନତା, ମ୍ୟାଲେରିଆ ଓ ଚିକୁନଗୁନିଆ ଭଳି ରୋଗର ଚିକିତ୍ସା ସାମିଲ ରହିଛି। ଏଥିସହ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେତେକ ଚିକିତ୍ସା ପ୍ୟାକେଜ୍ ମଧ୍ୟ ଏହି ତାଲିକାରେ ରହିଛି।
ସରକାରୀ ହସ୍ପିଟାଲର ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଘରୋଇ ହସ୍ପିଟାଲ ଉପରେ ହେଉଥିବା ଖର୍ଚ୍ଚ କମାଇବା ଏହି ପଦକ୍ଷେପର ଉଦ୍ଦେଶ୍ୟ ବୋଲି କୁହାଯାଉଛି। NHA ପକ୍ଷରୁ ରାଜ୍ୟଗୁଡ଼ିକୁ ଏନେଇ ଚିଠି ଲେଖାଯାଇଛି। ପ୍ରସ୍ତାବିତ ନିୟମକୁ ୧ ଡିସେମ୍ବର ୨୦୨୬ରୁ ଦେଶବ୍ୟାପୀ ଲାଗୁ କରିବାକୁ ଯୋଜନା ରହିଛି। ଏଥିପୂର୍ବରୁ ସରକାରୀ ହସ୍ପିଟାଲଗୁଡ଼ିକରେ ଡାକ୍ତର ଓ ଆବଶ୍ୟକ ଭିତ୍ତିଭୂମିର ଉପଲବ୍ଧତା ଯାଞ୍ଚ କରାଯାଉଛି।