ନୂଆଦିଲ୍ଲୀ: ନଭେମ୍ବର ୨୨ରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ସେ ନଭେମ୍ବର ୨୨ ଓ ୨୩ରେ ଭାରତ ଗସ୍ତ କରିବେ। ବୈଦେଶିକ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି। ମାର୍ଚ୍ଚରେ ନେପାଳର ପ୍ରଧାନମନ୍ତ୍ରୀ ହେବା ପରେ ବାଲେନ୍ଦ୍ରଙ୍କ ଏହା ପ୍ରଥମ ଭାରତ ଗସ୍ତ। ଏହି ଅବସରରେ ନଭେମ୍ବର ୨୩ରେ ମୋଦିଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ବୈଠକ ହେବ। ଏଥିରେ ଦୁଇ ଦେଶର ସମ୍ପର୍କର ବିଭିନ୍ନ ଦିଗ ଉପରେ ସମୀକ୍ଷା କରାଯିବ। ଏଥିସହ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ସ୍ତରର ପ୍ରମୁଖ ପ୍ରସଙ୍ଗ ନେଇ ଉଭୟ ନେତା ଆଲୋଚନା କରିବେ।
ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ଏହି ଗସ୍ତ ଭାରତର ‘ପଡ଼ୋଶୀ ପ୍ରଥମ’ ନୀତିରେ ନେପାଳର ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ଦୁଇ ଦେଶ ମଧ୍ୟରେ ଐତିହାସିକ, ସାଂସ୍କୃତିକ ଓ ସଭ୍ୟତାଗତ ସମ୍ପର୍କ ରହିଥିବା ବେଳେ ଏହାକୁ ‘ରୋଟି-ବେଟି’ ସମ୍ପର୍କ ଭାବେ ମଧ୍ୟ ଅଭିହିତ କରାଯାଏ। ବାଣିଜ୍ୟ, ଶକ୍ତି, ଜଳସମ୍ପଦ, ଭିତ୍ତିଭୂମି ଓ ଡିଜିଟାଲ୍ ଯୋଗାଯୋଗ ଭଳି କ୍ଷେତ୍ରରେ ଦୁଇ ଦେଶର ସହଯୋଗ ଜାରି ରହିଛି। ବାଲେନ୍ଦ୍ରଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସହଯୋଗକୁ ନୂଆ ଗତି ଦେବା ସହ ପାରସ୍ପରିକ ସମ୍ପର୍କକୁ ଅଧିକ ମଜବୁତ କରିବାର ଆଶା ରହିଛି।