ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ ସଂକ୍ରାନ୍ତ ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବୁଧବାର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ଆଲ୍ଲାହାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠର ପୂର୍ବ ନିର୍ଦ୍ଦେଶକୁ ଖାରଜ କରିବା ସହ ମାମଲାର ପୁନର୍ବିଚାର ପାଇଁ ଫେରାଇ ଦେଇଛନ୍ତି।
ପୂର୍ବରୁ ହାଇକୋର୍ଟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ରାହୁଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ଯାଞ୍ଚ କରିବା ସହ ତଦନ୍ତର ସ୍ଥିତି ରିପୋର୍ଟ ଦାଖଲ କରିବାକୁ କହିଥିଲେ। ଏହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏବେ ହାଇକୋର୍ଟ ଆବେଦନର ଆଇନଗତ ବୈଧତା ସମେତ ସମସ୍ତ ପ୍ରସଙ୍ଗର ପୁନଃ ଶୁଣାଣି କରିବେ। ଏଥିରେ ରାହୁଲଙ୍କ ପକ୍ଷ ରଖିବାର ସୁଯୋଗ ମଧ୍ୟ ରହିବ। କର୍ଣ୍ଣାଟକର ବିଜେପି କର୍ମୀ ଏସ୍. ଭିଗ୍ନେଶ ଶିଶିର ଏହି ମାମଲା ଦାୟର କରିଥିଲେ। ରାହୁଲ ଗାନ୍ଧୀ ଓ ତାଙ୍କ ପରିବାରର ସଦସ୍ୟମାନେ ଜଣାଶୁଣା ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଏବଂ ବିଦେଶ ଗସ୍ତରେ ବିପୁଳ ଅର୍ଥ ବ୍ୟୟ କରିଥିବା ସେ ଅଭିଯୋଗ କରିଥିଲେ।
ସୂଚନାଯୋଗ୍ୟ, ଗତ ମେ’ ୧୨ରେ ହାଇକୋର୍ଟ ସିବିଆଇ ଓ ଇଡିକୁ ଅଭିଯୋଗ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜୁଲାଇ ୨୦ରେ ସିବିଆଇର ଜବାବରେ ଅସନ୍ତୋଷ ପ୍ରକାଶ କରି ତଦନ୍ତର ସ୍ଥିତି ସମ୍ପର୍କରେ ନୂଆ ସତ୍ୟପାଠ ମଧ୍ୟ ମାଗିଥିଲେ।