ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଭବନରେ ସକାଳ ୧୦ଟାରୁ ଭୋଟ୍ ଗ୍ରହଣ ଚାଲିଛି। ଅପରାହ୍ନ ୫ଟା ଯାଏ ଭୋଟ୍ ଗ୍ରହଣ ଚାଲିବ । ଏହାପରେ ଗଣତି କରାଯାଇ ଫଳାଫଳ ଘୋଷିତ ହେବ ।
ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ କରିଥିବା ବେଳେ ମାର୍ଗାରେଟ୍ ଆଲଭାଙ୍କୁ ପ୍ରାର୍ଥୀ କରିଛି ୟୁପିଏ । ଉଭୟ ଉପରାଷ୍ଟ୍ରପତି ପ୍ରାର୍ଥୀ ବୃତ୍ତିରେ ଓକିଲ ହୋଇଥିବା ବେଳେ ପୂର୍ବରୁ ଉଭୟ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି । ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ସଂସଦ ଭବନରେ ପହଞ୍ଚି ଭୋଟ ଦେଇଛନ୍ତି । ଏଥିସହ ବିଭିନ୍ନ ଦଳର ସାଂସଦମାନେ ବି ଆସି ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବାକୁ ଯାଉଛି ।
ଚଳିତ ଉପରାଷ୍ଟ୍ରପତି ନିର୍ବାଚନରୁ ନିଜକୁ ଦୂରେଇ ରଖିଛି ଟିଏମ୍ସି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଭୋଟରୁ ଦୂରେଇ ରହିବ ବୋଲି ପୂର୍ବରୁ ଘୋଷଣା କରିଛି । ଟିଏମସିର ଲୋକସଭାରେ ୨୩ ଓ ରାଜ୍ୟସଭାରେ ୧୬ ସଦସ୍ୟ ରହିଛନ୍ତି । ଆଲଭାଙ୍କୁ କଂଗ୍ରେସ ସମେତ ଏନସିପି, ଆପ୍, ଟିଆରଏସ୍, ସିପିଆଇ, ସିପିଏମ୍, ଆରଜେଡି, ଡିଏମ୍କେ, ଏଡିଏମକେ, ଜେଏମଏମ୍, ଆରଏଲଡି ଭଳି ଦଳ ସମର୍ଥନ କରୁଛନ୍ତି । କିନ୍ତୁ ଆଲଭାଙ୍କ ପାଇଁ ଏହା ଯଥେଷ୍ଟ ହେବ ନାହିଁ ।ଏଣୁ ଜଗଦୀପ ବିଜୟୀ ହେବାର ସମ୍ଭାବନା ରହିଛି।