ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଚାଷୀ ଏବେ କାହାର ହେବେ ?

0
  • ବିଜେପିକୁ ବଡ଼ ଭାଇ ଭାଗ ଦେଇ ନିଜେ ଛୋଟ ଭାଗ ନେବେ!
  • କାଳିଆ ସବୁଠାରୁ ଲୋକପ୍ରିୟ ବୋଲି କହିଲେ, ଭାଙ୍ଗି ଦି’ ଗଡ କରିଦେଲେ!
  • ବେଆଇନ ସତ୍ତ୍ବେ ଭାଗଚାଷୀଙ୍କୁ ଟଙ୍କା ଦେବା ନେଇ ଖୋଲା ବିଜ୍ଞପ୍ତି!
  • ସରକାରୀ ଚାକିରିଆ ଓ ଚାଷୀଙ୍କୁ ବିଗାଡାଇବା ପାଇଁ ବାଟ ଖୋଲିଲା!

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍ ୨୦୧୮ ଡିସେମ୍ବରରେ ରାଜ୍ୟ ସରକାର ନିର୍ବାଚନୀ କାର୍ଡ ଖେଳି ଚାଷୀଙ୍କ ପାଇଁ କାଳିଆ ଯୋଜନା ଆଣିଥିଲେ। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଶ୍ବାସ କରୁଛନ୍ତି ଯେ ମହିଳା ଓ ଚାଷୀ ରାଜ୍ୟ ସରକାର ପୁଣି ଥରେ ଶାସନ କ୍ଷମତାକୁ ଫେରିବା ପଛରେ ଅସଲ ଭୂମିକା ନିର୍ବାହ କରିଛନ୍ତି।

କିନ୍ତୁ ରାଜ୍ୟ ସରକାର-ଚାଷୀଙ୍କ ମଧ୍ୟରେ ଯେଉଁ ନିବିଡତା ସୃଷ୍ଟି ହୋଇଥିଲା, ସେଥିରେ ଭାଗ ବସିଛି। ଗତ ନଭେମ୍ବର ୧୫ ତାରିଖରେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି କ୍ରମେ ପିଏମ୍ କିଷାନ୍ ଓଡ଼ିଶାରେ ଲାଗୁ କରିବାକୁ ସରକାର କେବଳ ନିଷ୍ପତ୍ତି ନେଇଛନ୍ତି ତା ନୁହେଁ, ସମାନ୍ତରାଳ ଭାବେ କାଳିଆ ଯୋଜନାକୁ ସଙ୍କୁଚିତ କରିଛନ୍ତି। ଗତ ୩୦ ତାରିଖ ଦିନ ଏ ସଂକ୍ରାନ୍ତରେ କୃଷି ବିଭାଗ ଯେଉଁ ବିଜ୍ଞପ୍ତି ଜାରି କରିଛନ୍ତି, ତାହା ବିଜେଡିର ତୁଙ୍ଗ ନେତାମାନଙ୍କ ସମେତ ରାଜନୈତିକ ବିଶେଷଜ୍ଞମାନଙ୍କୁ ଆଚମ୍ବିତ କରିଛି। କାହିଁକି ଓ କାହା ସ୍ବାର୍ଥରେ ରାଜ୍ୟ ସରକାର ନିଜର ବଡ଼ ଭୋଟ ବ୍ୟାଙ୍କରେ ବିଜେପିକୁ ଭାଗ ଦେଲେ, ତା ପଛରେ ବିଜେଡିର କି ସ୍ବାର୍ଥ ହାସଲ ହେବ, ସେ ଅଙ୍କ କାହାକୁ ବୁଝାପଡୁନାହିଁ। ବରଂ ଏମିତି ଚିତ୍ରଟିଏ ସରକାର ତିଆରି କରିଦେଲେ ଯେ ଚାଷୀ ଯେଉଁ ୧୦ହଜାର ଟଙ୍କା ପାଇବ, ସେଥିିରେ ବଡ଼ ଭାଗଟି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କର।

ସରକାରଙ୍କର ବିଜ୍ଞପ୍ତିକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପିଏମ୍ କିଷାନରୁ ୬ ହଜାର ଏବଂ କାଳିଆ ରୁ ୪ ହଜାର ମିଳିବ। ବଡ ଚାଷୀଙ୍କୁ କିଷାନ ଯୋଜନାରୁ ମିଳିବ ବର୍ଷକୁ ୬ ହଜାର। ଅର୍ଥାତ୍ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ କ୍ଷେତ୍ରରେ ସରକାରଙ୍କର ଅବଦାନ କମିଲା ଓ ବଡ଼ ଚାଷୀଙ୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଅବଦାନ ଶୂନ। ସେହିଭଳି ଓଡ଼ିଶାର ଶାସନ ବ୍ୟବସ୍ଥାରେ ଭାଗଚାଷୀ ବ୍ୟବସ୍ଥା ନିଷିଦ୍ଧ ରହିଛି। ରାଜ୍ୟ ସରକାର ହିଁ ଏହି ଆଇନ କରିଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ କାଗଜପତ୍ରରେ ଭାଗଚାଷୀ କଥା ସରକାର ଉଲ୍ଲେଖ କରିବାକୁ ସାହସ କରିଛନ୍ତି। ଏଥିରେ କୁହାଯାଇଛି, ପ୍ରକୃତ ଚାଷୀ ବା ଭାଗ ଚାଷୀଙ୍କୁ କାଳିଆ ଯୋଜନାରୁ ବର୍ଷକୁ ୧୦ ହଜାର ଟଙ୍କା ମିଳିବ। ସରକାରଙ୍କ ଏହି ଧାଡିକ କଥା ସୂଚାଇ ଦେଉଛି ଯେ ଯିଏ ଆଇନ ଭାଙ୍ଗି ଭାଗଚାଷ କରିବ, ତାକୁ ୧୦ ହଜାର ଟଙ୍କା ଦେବେ ସରକାର। ରାଜସ୍ବ ବିଭାଗ ଓ କୃଷି ବିଭାଗର ପୃଥକ୍ ପୃଥକ୍ ନିୟମ ପ୍ରମାଣ କରିଛି ଯେ ସରକାରରେ ବିଭାଗ ମଧ୍ୟରେ ସର୍ବନିମ୍ନ ସମନ୍ବୟ ନାହିଁ।

କେବଳ ସେତିକି ନୁହେଁ, କିଷାନ ଯୋଜନାର ଗାଇଡ଼ ଲାଇନ ଅନୁସାରେ ତାଲିକାରୁ ସରକାରୀ ଚାକିରିଆ ଓ ଜନ ପ୍ରତିନିଧି ବାଦ୍ ପଡିବେ। ଗତ ସାଧାରଣ ନିର୍ବାଚନ ସୂଚାଇଥିଲା ଯେ ସରକାରୀ ଚାକିରିଆ ବିଜେଡି ସରକାର ବିରୋଧରେ ହିଁ ଅଧିକ ଭୋଟ ଦେଇଛନ୍ତି। ପୋଷ୍ଟାଲ ବାଲାଟ୍ ଚିତ୍ର ଏଭଳି ସ୍ପଷ୍ଟ ସୂଚନା ଦେଉଥିବା ବେଳେ ସରକାର ଏ ବର୍ଗକୁ ସାଙ୍ଗରେ ନେବା ପରିବର୍ତେ ହାତରୁ ଛାଡିଦେଲେ। ଯେହେତୁ ସରକାରୀ ଚାକିରିଆଙ୍କ ହାତରେ ବେଶୀ ଜମି ରହିଛି ଓ ସେମାନଙ୍କ ବଦଳରେ ଏବେ ଭାଗ ଚାଷୀ ଅର୍ଥ ପାଇବ, ଏଣୁ ପରୋକ୍ଷରେ ଜମିକୁ ପଡିଆ ପକାଇବା ଲାଗି ବାଟ ଖୋଲିଦିଆଯାଇଛି। ସେହିଭଳି କାଳିଆ ଯୋଜନା ରୁ ବାଦ ପଡିଲା ବିନା ସୁଧରେ ଋଣ ବ୍ୟବସ୍ଥା। ଏହାଦ୍ବାରା ଚାଷୀକୁ ଅତିରିକ୍ତ ସୁବିଧା ଦେବା ବ୍ୟବସ୍ଥାରୁ ସରକାର ଓହରିଯାଇଛନ୍ତି।

ଆହୁରି କୌତୂହଳର କଥା ହେଉଛି, ସରକାର ଗୋଟିଏ ପଟେ କାଳିଆ ଯୋଜନାର ଲୋକପ୍ରିୟତା ବଢୁଥିବା କଥା ଦର୍ଶାଇଛନ୍ତି। ଅନ୍ୟପଟେ ଅତି ଲୋକପ୍ରିୟ ଯୋଜନାକୁ କାଟି ଦି’ ଗଡ କରିଦିଆଯାଇଛି। ସରକାର ବିରୋଧରେ ସରକାରୀସ୍ତରରୁ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କେହି କେହି କହିଲେଣି। ଏହିି ଗୋଟିଏ ଘଟଣା ଚାଷୀସଂଗଠନକୁ କେବଳ ରାଜ୍ୟରେ ସକ୍ରିୟ କରିବା ଲାଗି ପୁଣି ବାଟ ଖୋଲିଛି ତା ନୁହେଁ, ଫନି ବିପର୍ଯ୍ଯୟ ପରେ ସହାୟତା ବଣ୍ଟନରେ ସାଂଘାତିକ ଅବହେଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀକୁ ନେଇ ଉତ୍ତ୍ୟକ୍ତ ଥିବା ଗାଁ ଗଣ୍ଡାର ଲୋକଙ୍କୁ ସରକାର ବିରୋଧୀ କରିବା ଲାଗି ବାଟ କାଢିବ ବୋଲି ବହୁ ବୁଦ୍ଧିଜୀବୀ ଭବିଷ୍ୟବାଣୀ କଲେଣି।

Leave A Reply

Your email address will not be published.