ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

କାଳବୈଶାଖୀ ପ୍ରଭାବରେ ଚିଲିକାରେ ବୁଡିଲା ଡଙ୍ଗା, ଜଣେ ନିଖୋଜ

0

ଖୋର୍ଦ୍ଧା: ଆଜି ଅପରାହ୍ଣରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ଚିଲିକା ଉପକୂଳ ଟାଙ୍ଗୀବ୍ଲକ ଅଧୀନ ସରସ୍ୱତୀନଗର ମତ୍ସଜୀବୀଙ୍କର ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ବାଲିପାଟପୁର ପଂଚାୟତର ସରସ୍ୱତୀନଗର ମତ୍ସ୍ୟଜୀବୀ ସଂଘର ଦୁଷ୍ମନ୍ତ ବେହେରା, ମଳୟ ରଂଜନ ବେହେରାଙ୍କ ସୂଚନାନୁସାରେ, ଆଜି ୧୩ଟି ନୌକାରେ ଶହେରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ଚିଲିକାକୁ ମାଛ ଧରିବାକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ପ୍ରାୟ ୬ଟା ବେଳେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ଓ ବର୍ଷା ଆରମ୍ଭ ହୋଇଯାଇଥିଲା। ଫଳରେ ୧୨ଟି ନୌକା ୭ ନମ୍ବର କୁଦ ନିକଟରେ ନୌକାଗୁଡ଼ିକୁ କୌଣସି ମତେ ରଖିବାରେ ସକ୍ଷମ ହୋଇଥିଲେ।

କିନ୍ତୁ ଅନ୍ୟ ଏକ ନୌକା କୁଦ ନିକଟରେ ଲାଗିପାରିନଥିଲା ଓ ଚିଲିକା ମଧ୍ୟରେ ଓଲଟି ପଡ଼ିଥିଲା। ଝଡ଼ବର୍ଷା ଥମିବା ପରେ ୧୩ ନମ୍ବର ଡଙ୍ଗାର ଗୁଣନିଧି ବେହେରା (୩୫), ବନମାଳୀ ବେହେରା (୪୪), ଧର୍ମରାଜ ବେହେରା (୩୮), ସିଲୁ ବେହେରା (୩୦)ଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କ ସହ ଥିବା ମିଥୁନ ବେହେରା (୩୦)କୁ ଠାବ କରିପାରିନଥିଲେ। ଖବର ଲେଖାଯିବା ବେଳକୁ ଗାଁର ଅନ୍ୟ ମତ୍ସ୍ୟଜୀବୀଙ୍କ ସହ ମିଶି ନିଖୋଜ ମିଥୁନକୁ ଖୋଜିବା କାର୍ଯ୍ୟ ଜାରି ରହିଥିବା ଜଣାଯାଇଛି।

ସେମାନଙ୍କ କହିବା କଥା ହେଲା ଡଙ୍ଗାରେ ଥିବା ସମସ୍ତ ମାଛ, ଜାଲ ଆଦି ଚିଲିକାରେ ଡୁବିଯାଇଛି। ଆଜି ନିର୍ଦ୍ଧାରିତ ସମୟରେ କାଳବୈଶାଖୀ ହେବ ବୋଲି ସେମାନଙ୍କୁ ଦୁଇଦିନ ପୂର୍ବେ ମୋବାଇଲ୍ରେ ମେସେଜ ଆସିଥିଲା। ତେବେ ପ୍ରାୟତଃ କାଳବୈଶାଖୀ ଜନିତ ଝଡ଼ବର୍ଷାରେ ମଧ୍ୟ ସେମାନେ ମାଛଧରି ଲେଉଟି ଆସୁଥିଲେ। ଏଥର ମଧ୍ୟ ସହଜରେ ପାର କରିଦେବେ ବୋଲି ଭାବିଥିଲେ, କିନ୍ତୁ ଅଘଟଣ ଘଟିଯାଇଥିଲା।

Leave A Reply

Your email address will not be published.