ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ସୋଆରେ ଦୁଇ ଦିନିଆ ଜାତୀୟ ଜନଜାତି ସମ୍ମିଳନୀର ଶୁଭାରମ୍ଭ

0

ଭୁବନେଶ୍ୱର: ବିଶ୍ୱର ସ୍ଥାନୀୟ ଅଧିବାସୀମାନେ କଥା ହେଉଥିବା ୭୦୦୦ ଭାଷା ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ସଂପୂର୍ଣ୍ଣ ଲୋପ ପାଇସାରିଥିବା ବେଳେ ଅନେକ ଭାଷା ଲୁପ୍ତ ହେବାକୁ ବସିଛି ବୋଲି ବୁଧବାର ବିଶେଷଜ୍ଞମାନେ ମତ ଦେଇଛନ୍ତି । ସାରା ବିଶ୍ୱ ବର୍ତମାନ ଅନେକ ଭାଷାକୁ ହରାଇବା ଭଳି ଭୟଙ୍କର ପରିସ୍ଥିତିରେ ପହଂଚିଥିବା ବେଳେ ଭାଷାକୁ ହରାଇବା ନିଜ ସଂସ୍କୃତିକୁ ହରାଇବା ସହ ସମାନ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ଦୁଇ ଦିନିଆ ସର୍ବଭାରତୀୟ ଜନଜାତି ଲେଖକ ସମ୍ମିଳନୀରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସ ରାଓ ।

ଅଗଷ୍ଟ ୯ ତାରିଖ ଆନ୍ତର୍ଜାତିକ ବିଶ୍ୱ ମୂଳ ନିବାସୀ ଦିବସ ପରିପ୍ରେକ୍ଷୀରେ ସାହିତ୍ୟ ଏକାଡେମୀ ଏବଂ ସୋଆ ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ)ର ମିଳିତ ସହଭାଗିତାରେ ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦ ଜଣ ଜନଜାତି ଲେଖକ ଯୋଗ ଦେଇଥିଲେ । ମୂଳ ନିବାସୀ ଜନଜାତି ଗୋଷ୍ଠୀ ହିଁ ବିଶ୍ୱ ସଂସ୍କୃତିର ମୂଳ ଭଣ୍ଡାର ହୋଇଥିବା ବେଳେ ଯଦି ଏମାନଙ୍କର ଯତ୍ନ ନ ନିଆଯାଏ ତେବେ ଆମେ ଆମ ସଂସ୍କୃତିକୁ ହରାଇ ବସିବା ଏବଂ ସେମାନଙ୍କ ନିକଟରେ ଉପଲବ୍ଧ ପୁରାତନ ଜ୍ଞାନ ମଧ୍ୟ ହଜିଯିବ ବୋଲି ଡକ୍ଟର ଶ୍ରୀନିବାସରାଓ କହିଥିଲେ ।

ସାହିତ୍ୟ ଏକାଡେମୀ ପକ୍ଷରୁ ଜନଜାତି ଭାଷାରେ ଲିଖିତ ସାହିତ୍ୟକୁ ଇଂରାଜୀ ଏବଂ ଅନ୍ୟ ଭାରତୀୟ ଭାଷାରେ ଅନୁବାଦ କରାଯାଇ ପ୍ରକାଶନ କରାଯାଉଛି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମକୁ ବିଶିଷ୍ଟ ଲେଖକ ତଥା ପଦ୍ମଶ୍ରୀ ବିଜେତା ଡକ୍ଟର ହଳଧର ନାଗ ଉଦ୍‌ଘାଟନ କରିଥିବା ବେଳେ ବିଶିଷ୍ଟ ବିଦ୍ୱାନ ପ୍ରଫେସର ଜଗନ୍ନାଥ ଦାସ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଏକାଡେମୀର ଓଡ଼ିଶା ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ, ସାନ୍ତାଳୀ ଲେଖକ ତଥା ସାହିତ୍ୟ ଏକାଡେମୀର ସାନ୍ତାଳୀ ଉପଦେଷ୍ଟା ମଣ୍ଡଳୀର ଆବାହକ ଶ୍ରୀ ଚୈତନ୍ୟ ପ୍ରସାଦ ମାଝି, ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଓ ବିଶିଷ୍ଟ ଲେଖିକା ତଥା ପ୍ରାଚୀନ୍‌ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ଏହି ଅବସରରେ ଉପସ୍ଥିତ ଥିଲେ ।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହାକୁ ପରିଚାଳନା କରିଥିଲେ । ନିଜ କୋଶଳୀ ଭାଷାରେ ଭାଷଣ ଦେଇ ଡକ୍ଟର ନାଗ କହିଥିଲେ ଯେ ସେ ମାତ୍ର ତୃତୀୟ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ ମଧ୍ୟ ସମାଜକୁ ଉଚିତ ପଥ ଦେଖାଇବା ପାଇଁ ସାହିତ୍ୟରେ ନିଜକୁ ମନୋନିବେଶ କରାଇଥିଲେ । ଯଦିଓ ମୁଁ ଅଧିକ ପାଠ ପଢ଼ି ନାହିଁ ମୋ ଲେଖାକୁ ବିଶ୍ୱର ଅନ୍ୟ ଭାଷାଗୁଡ଼ିକରେ ଅନୁବାଦ କରାଯାଇଛି ଏବଂ ଆନ୍ତର୍ଜାତିକ ସ୍ତରରେ ଏହା ପରିବ୍ୟାପ୍ତ ହୋଇଛି । ଏପରିକି ତାଙ୍କର କିଛି ଲେଖା ବିଭିନ୍ନ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ସ୍ଥାନ ପାଇଥିବା ସେ କହିଥିଲେ ।

ମୋ ଲେଖା ମାଟି ସହିତ ଜଡ଼ିତ ଯେଉଁଠାରେ ମୁଁ ଅଛି ବୋଲି ସେ କହିଥିଲେ । ପ୍ରଫେସର ଜଗନ୍ନାଥ ଦାସ ନିଜର ବକ୍ତବ୍ୟରେ କହିଥିଲେ ଯେ ଜନଜାତି ସମ୍ପ୍ରଦାୟ ଆଧୁନିକତାରେ ପ୍ରଭାବିତ ହୋଇ ନିଜ ସଂସ୍କୃତି ଠାରୁ ଦୂରେଇଯାନ୍ତି ନାହିଁ । ସେମାନେ ପାହାଡ, ପର୍ବତ, ନଦୀ ଓ ଝରଣା ସହିତ ଯୋଡି ହୋଇ ରହିଥାନ୍ତି ଏବଂ ହୃଦୟରୁ ସେମାନଙ୍କର ଭାବର ପରିପ୍ରକାଶ କରିଥାନ୍ତି । ଆମକୁ ସେମାନଙ୍କ କବିତା ଶୁଣିବା ସହ ସେମାନଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ଡକ୍ଟର ଗୌରହରି ଦାସ ଜନଜାତି ଲେଖକ ସମ୍ମିଳନୀ ନେଇ ସାହିତ୍ୟ ଏକାଡେମୀ ଓ ପ୍ରାଚୀନର ନିଷ୍ପତିକୁ ସ୍ୱାଗତ କରିବା ସହ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ଅବହିତ କରିଥିଲେ । ଜନଜାତି ଭାଷାଗୁଡ଼ିକୁ ଉପଯୁକ୍ତ ଭାବେ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଡକ୍ଟର ଦାସ ଏହି ଅବସରରେ ଉପସ୍ଥିତ ଥିବା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଏଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ।

ଶ୍ରୀ ମାଝି କହିଥିଲେ ଯେ ବିଶ୍ୱର ୭୦୦୦ ମୂଳ ଭାଷାରୁ ୪୦ ପ୍ରତିଶତ ଲୋପ ପାଇସାରିଥିବା ବେଳେ ଏହି ଧାରାକୁ ବନ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ସେ କହିଥିଲେ ଯେ ୟୁନେସ୍କୋ ପକ୍ଷରୁ ୨୦୨୨-୨୦୩୨ ଦଶକକୁ ମୂଳ ନିବାସୀ ଭାଷାଗୁଡ଼ିକର ସୁରକ୍ଷା ଏବଂ ସଂରକ୍ଷଣର ବର୍ଷ ଭାବେ ଘୋଷଣା କରାଯାଇଛି । ସ୍ୱତନ୍ତ୍ର ଭାଷା ଓ ସ୍ୱତନ୍ତ୍ର ଲିପିକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତବ୍ୟ ରଖି ସଉରା ଏବଂ ହୋ ଜନଜାତି ଭାଷାର ଲିପି ବିକଶିତ ହୋଇସାରିଛି ବୋଲି ସେ ପ୍ରକାଶ କରିଥିଲେ ।

ଏହି ଅବସରରେ ପ୍ରାଚୀନ୍‌୍ ପକ୍ଷରୁ ଆଦିକବି ସାରୋଳଦାସଙ୍କ ପୁସ୍ତକ ‘ସାରୋଳଦାସ ମହାଭାରଥ’ ର ପାଠ ଆଧାରିତ “ଆଦିପର୍ବ” ସଂସ୍କରଣର ଅତିଥିମାନଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା । ପୂର୍ବରୁ ୧୮ଟି ପର୍ବରୁ ଏହାର ୧୦ଟି ପର୍ବ ପ୍ରାଚୀନ ଦ୍ୱାରା ପ୍ରକାଶିତ ହୋଇ ସାରିଛି । ଏହି ଅବସରରେ ପ୍ରାଚୀନ୍‌ର ମୁଖ୍ୟ ଡକ୍ଟର ପଣ୍ଡା କହିିଥିଲେ ଯେ ପ୍ରାଚୀନ ପକ୍ଷରୁ ସାରାଳ ଦାସ ମହାଭାରତ ପୁସ୍ତକ ପ୍ରକାଶନ ଭଳି ଅନେକ ଗୁରୁତ୍ୱପୂ୍‌ର୍ଣ୍ଣ କାର୍ଯ୍ୟ ସମେତ ଡିଜିଟାଲାଇଜେସନ୍‌, ଅନୁବାଦ, ପ୍ରୋଜ୍ ରେଣ୍ଡରିଂ, ପ୍ରଡକ୍ସନ୍ ଅଫ୍ କର୍ପୋରା, ଡିକ୍ସନାରୀ ଆଣ୍ଡ ଲିଟରାରୀ ଏନ୍‌ସାଇକ୍ଲୋପେଡିଆ ଅଫ୍ ସାରଳା ଦାସ ଭଳି କାର୍ଯ୍ୟ ଜାରୀ ରହିଛି । ସେ କହିଥିଲେ ଯେ ଜନଜାତି ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ଯାହାକି ଲୋପ ପାଇବାକୁ ବସିଛି ସେ ସବୁକୁ ସଠିକ୍ ଭାବରେ ସଂରକ୍ଷିତ କରି ରଖିବାର ଆବଶ୍ୟକତା ରହିଛି । ଉଦ୍‌ଘାଟନୀ ଦିବସରେ ବିଭିନ୍ନ ଭାଷାରେ କବିତାବୃତି, କ୍ଷୁଦ୍ରଗଳ୍ପ ପଠନ ତଥା ଜନଜାତି ସଂଗୀତ, ସଉରା କଳା ଓ ଲିପିର ବିଶ୍ଲେଷଣ କର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା ।

Leave A Reply

Your email address will not be published.