- ଓଡ଼ିଶାର ଭୋଟର ବାର୍ତା ଦେଲେ, ବିଜେପି ଶୀର୍ଷ ନେତୃତ୍ବ ଶିଖିଲେନି
- ପ୍ରତି ରାଜ୍ୟରେ ବିଜେପିକୁ ଲୋଡା ହେଲାଣି ମିନି ମୋଦୀ
ଭୁବନେଶ୍ବର: ନୂଆଦିଲ୍ଲୀ ନିର୍ବାଚନରେ ବିଜେପିର ଶକ୍ତ ପରାଜୟ ପରେ ଭାରତ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ବିଜେପି ପରାଜୟର କାରଣ ଖୋଜିବା ଲାଗି ରାଜନୈତିକ ପଣ୍ଡିତମାନେ ଯେତିକି ଉଦ୍ୟମ କରୁଛନ୍ତି, ସମାନ୍ତରାଳ ଭାବେ କିଏ ଜାତୀୟସ୍ତରରେ କେନ୍ଦ୍ର ସରକାରଙ୍କୁ ୨୦୨୪ରେ ଅଟକାଇବା ଲାଗି ସକ୍ଷମ ହେବ, ସେ ନେଇବି ସେତିକି ହିସାବ ନିକାସ ଆରମ୍ଭ କରିଛନ୍ତି। କ୍ରମାଗତ ଭାବେ ରାଜ୍ୟ ନିର୍ବାଚନରେ ପରାଜୟକୁ ନେଇ ବିଜେପି ଶିବିରର ମାନସମନ୍ଥନ ଚଳାଇଲେଣି। ସେପଟେ ଦିଲ୍ଲୀ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ନେଇ କଂଗ୍ରେସ ଶିବିରରେ ଗାନ୍ଧୀ ପରିବାର ବିରୋଧରେ ମୁହଁ ଖୋଲିଲେଣି ଦଳୀୟ ନେତା। ଏଭଳି ଏକ ପୃଷ୍ଠଭୂମିରେ ଜାତୀୟ ରାଜନୀତି ଏବେ ରୋଚକ ମୋଡରେ ପହଞ୍ଚିଛି।
କୌତୂହଳ କଥା ହେଲା, ଯେଉଁସବୁ ସ୍ଥାନରେ ବିଜେପି ଦ୍ବିତୀୟସ୍ଥାନରେ ରହିଛି, ସେଠାରେ ଦଳର ରଣନୀତି ଉପରେ ପର୍ଯ୍ୟବେକ୍ଷକ ମହଲ ତୀକ୍ଷ୍ଣ ନଜର ରଖିଛନ୍ତି। ନୂଆଦିଲ୍ଲୀ ନିର୍ବାଚନରେ ବିଜେପି ସବୁ ରାଜନୈତିକ ଶକ୍ତି ପ୍ରୟୋଗ କରିଛି। ହିନ୍ଦୁତ୍ବ କାର୍ଡ, ବିକାଶର ନକ୍ସା ଫିଙ୍ଗିବା, ରାଜନୀତିରେ ଦାଓ ପେଞ୍ଚର ଖେଳ, ଆକ୍ରମଣାତ୍ମକ ତଥା ହାଇଟେକ୍ ପ୍ରଚାର କରିବା ସତ୍ତ୍ବେ ଦଳକୁ ଅରବିନ୍ଦ କେଜ୍ରିଵାଲଙ୍କ ଠାରୁ ପରାଜୟ ବରଣ କରିବାକୁ ପଡିଲା। ଅରବିନ୍ଦ କେଜ୍ରିଵାଲଙ୍କ କାମ ବା ରଣନୀତି ଦିଲ୍ଲୀ ଆସନ ଦ୍ବିତୀୟ ଥର ଦଖଲ ପଛର ବଡ ରହସ୍ୟ ବୋଲି ଗୋଟିଏ ପକ୍ଷ ବଡ଼ ଜୋରରେ ଦାବି କରୁଛନ୍ତି। ହେଲେ ଦିଲ୍ଲୀ ଖେଳକୁ ତନ୍ନ ତନ୍ନ କରି ଅନୁଧ୍ୟାନ କଲେ ଏକଥା ବି ସ୍ପଷ୍ଟ ଦେଖାଯାଉଛି, ବିଜେପି ରଣନୀତି ଆଦୌ ଠିକ୍ ନଥିଲା। ଦଳର ଭୋଟ ବଢିବା ନେଇ ନେତାମାନେ ଆଶ୍ବସ୍ତ ହେଉଥାଇପାରନ୍ତି, କିନ୍ତୁ ଦଳ ଯେଉଁ ପରିମାଣରେ କଳ, ବଳ ଓ କୌଶଳ ଲଗାଉଛି ସେ ପରିମାଣରେ ଫଳାଫଳ ଆସିପାରୁନାହିଁ।
ଦିଲ୍ଲୀ ନିର୍ବାଚନରେ ବିଜେପିର ଭୁଲ ତ୍ରୁଟିକୁ ରାଜନୈତିକ ବିଶେଷଜ୍ଞମାନେ ଏଇଥିପାଇଁ ଅତି ଗୁରୁତ୍ବର ସହ ଗ୍ରହଣ କରୁଛନ୍ତି, କାରଣ ଯେଉଁ ଭୁଲ ଦଳ ସାଧାରଣ ନିର୍ବାଚନରେ ଓଡ଼ିଶାରେ କରିଥିଲା, ତାହା ଦିଲ୍ଲୀରେ ଦୋହରାଇଛନ୍ତି। ଆହୁରି ସ୍ପଷ୍ଟ ଭାବେ କହିଲେ ଓଡ଼ିଶା ନିର୍ବାଚନ ପରାଜୟରୁ ବିଜେପିର କେନ୍ଦ୍ରୀୟ ନେତା କୌଣସି ଶିକ୍ଷା ଲାଭ କରିନାହାନ୍ତି। ଆହୁରି ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଚେହେରା ଥିଲା, ଯାହା ନୂୁଆଦିଲ୍ଲୀ କ୍ଷେତ୍ରରେ ନଥିଲା। ରାଜନୈତିକ ବିଶାରଦମାନଙ୍କର ହିସାବ କହୁଛି, କଂଗ୍ରେସକୁ ମୂଳପୋଛ କରିବା ଲାଗି ବିଜେପି ଯେଉଁ ରଣନୀତି ଆପଣାଇଛି ଓ ଏଥିପାଇଁ ଅନ୍ୟଦଳମାନଙ୍କୁ ବ୍ୟବହାର କରୁଛି, ତାହା ଜାତୀୟସ୍ତରର ରାଜନୀତି ପାଇଁ ଏକ ଉତ୍ତମ ଯୋଜନା ହୋଇପାରେ। କିନ୍ତୁ କଂଗ୍ରେସର ଭୋଟ ବ୍ୟାଙ୍କ ଯେତିକି ଦୁର୍ବଳ ହେଉଛି, ତାହା ବିଜେପି ଖାତାକୁ ଯାଉନାହିଁ। ଓଡ଼ିଶାରେ କଂଗ୍ରେସ ଦଳ ଆଉ ୫ ପ୍ରତିଶତ ଭୋଟ ପାଇଥିଲେ, ବିଜେପିର ପ୍ରଦର୍ଶନ ଭିନ୍ନ ହୋଇଥାନ୍ତା। ବିଜେଡି ଆଜିଭଳି ସ୍ଥିତିରେ ନଥାନ୍ତା। ସମାନ୍ତରାଳ ଭାବେ ନୂଆଦିଲ୍ଲୀରେ କଂଗ୍ରେସର ଭୋଟ ପ୍ରତିଶତ ୧୦ରୁ ୧୨ ପ୍ରତିଶତ ହୋଇଥିଲେ, କେଜ୍ରିଵାଲ ସରକାର କରିବା କାଠିକର ପାଠ ହୋଇଥାନ୍ତା।
ଅଟଳ ବିହାରୀ ବାଜପେୟୀ ବିଜେପିକୁ ଜାତୀୟସ୍ତରରେ ସଶକ୍ତ କରି ତୋଳିବା ବେଳେ ଏକ ବ୍ୟାପକ ଛବି ତିଆରି କରିଥିଲେ। ସେ ଓ ଆଡଭାନୀଙ୍କ ବ୍ୟତୀତ ପ୍ରମୋଦ ମହାଜନ, ଅରୁଣ ଜେଟଲି, ମୂରଲୀ ମନୋହର ଯୋଶୀ, ସୁଷମା ସ୍ବରାଜଙ୍କ ଭଳି ଡଜନେ ସରିକି ନେତା ଜାତୀୟ ରାଜନୀତିର ଶୀର୍ଷଆସନରେ ବସୁଥିଲେ। ଏ ବାର୍ତା ଗାଁ ଗଣ୍ଡାରେ ଚର୍ଚ୍ଚା ଆଲୋଚନା ହେଉଥିଲା। ସରକାରରେ ସେମାନେ କେତେ ପ୍ରଭାବୀ ଥିଲେ ତାର ହିସାବ ନିକାସ ହେଉନଥିଲା, ବରଂ ରାଜ୍ୟ ରାଜନୀତିରେ ସେମାନଙ୍କୁ ଅସ୍ତ୍ର ଭାବେ ପ୍ରୟୋଗ କରୁଥିଲେ ନେତୃତ୍ବ। ଆଜି ଦିନରେ ଭାରତ ରାଜନୀତିରେ ବିଜେପି ଆଗକୁ ଆସିବା ପଛରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବା ଗୃହମନ୍ତ୍ରୀ ଅମିତ ଶାହଙ୍କ ଭୂମିକା ଅଛି।ଏଭଳି ନେତାଙ୍କ ଅଭାବ ଜଳ ଜଳ ହୋଇ ଦିିଶିଲାଣି। ସଂପ୍ରତି ବିଜେପି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏଭଳି ଶକ୍ତି ସୃଷ୍ଟି କରିବାରେ ବିଫଳ ହୋଇଛି। ନିର୍ମଳା ସୀତାରମଣ, ସୁରେଶ ପ୍ରଭୁ କିମ୍ବା ପୀୟୂଷ ଗୋଏଲ ନିଜେ ଏ ସ୍ତରକୁ ଆସିପାରିନାହାନ୍ତି ବା ଦଳ ତାଙ୍କୁ ଏଭଳି ଚେହେରା ହେବାକୁ ସୁଯୋଗ ଦେଇନାହିଁ। ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କ ଭିତରେ ହିଁ ବିଜେପି ବଢୁଛି। ସେମାନଙ୍କୁ ଅପେକ୍ଷା କରି ଦଳୀୟ ନେତାମାନେ ସବୁ ହାତ ଝାଡି ଦେଉଛନ୍ତି। ତାଙ୍କୁ ନେଇ ଭୋଟ, ତାଙ୍କୁ ସାମ୍ନାରେ ରଖି ପ୍ରଚାର, ତାଙ୍କ ରଣନୀତିରେ ନେତାଙ୍କ ଭାଗ୍ୟ ନିର୍ଧାରଣ ହେବା କାରଣରୁ ଦଳ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଦିଶୁଥିଲେ ହେଁ, ଆଭ୍ୟନ୍ତରୀଣ ଗଣତନ୍ତ୍ର ବିଗିଡିବା ଆରମ୍ଭ କରିଛି। ଯାହାର ପ୍ରଭାବ ଗତ ବର୍ଷେ ହେଲାଣି ଦେଖିବାକୁ ମିଳିଲାଣି। କର୍ମୀ ନିଜ ବଳରେ ଦଳ ବଢାଇବାକୁ ଚେଷ୍ଟା କରିବା ପରିବର୍ତେ ଏହି ଦୁଇ ନେତାଙ୍କ କାନ୍ଧକୁ ଅପେକ୍ଷା କରିରହୁଛି।
ମୋଦୀ ଓ ଅମିତ ଶାହ ମାର୍କା ଫର୍ମୁଲାକୁ ରାଜନୈତିକ ବିଶେଷଜ୍ଞମାନେ ବେଶ୍ ପ୍ରଭାବୀ ନ କହିବା ପଛର ଯେଉଁ ବଡ଼ ଯୁକ୍ତି ରହିଛି, ତାହା ହେଉଛି ଯେଉଁଠାରେ ଏହିଭଳି ଗୋଟିଏ ଗୋଟିଏ ନେତାଙ୍କୁ କେନ୍ଦ୍ର କରି ରାଜନୈତିକ ଶକ୍ତି ମୁଣ୍ଡ ଟେକିଛି, ସେଠାରେ ପତନ ବି ସବୁବେଳେ ଭୟଙ୍କର ଢଙ୍ଗରେ ହୋଇଥାଏ। ତାମିଲନାଡୁରେ ଜୟଲଳିତାଙ୍କ ଅବର୍ତମାନରେ ଏଆଇଏଡିଏମକେ ସଦ୍ୟତମ ଉଦାହରଣ। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମାନ୍ତରାଳ କୌଣସି ନେତା ଦଳରେ ନାହାନ୍ତି। ସେଭଳି ଜଣେ କେହି ନେତା ବିଜେଡି ଭିତରେ ବଢୁ ବି ନାହାନ୍ତି, ଯିଏ ତାଙ୍କ ଭଳି ଲୋକଙ୍କ ବିଶ୍ବାସ ଜିଣିପାରିବ। ଅତଏବ ଏହିଭଳି କ୍ଷେତ୍ରରେ ରଣନୀତି ସୂତ୍ର ଭିନ୍ନ, ଯାହାକୁ ବିଜେଡି ଧରିବା ଆରମ୍ଭ କଲେଣି, ଅଥଚ ବିଜେପି ଏଯାଏ ଆପଣାଇନାହିଁ। ଖାସ୍ ଏହି କାରଣ ଲାଗି ରାଜ୍ୟମାନଙ୍କରେ ବିଜେପିରେ ନେତୃତ୍ବ ଦୁର୍ବଳତା ଧରାପଡିଯାଉଛି।
ବିଜେପି ବିଭିନ୍ନ ରାଜ୍ୟରେ ମିନି ମୋଦୀ ଗଠନ କରିବା ନିହାତି ଆବଶ୍ୟକ ବୋଲି ରାଜନୈତିକ ପଣ୍ଡିତମାନେ ବିଶ୍ବାସ କଲେଣି। ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୪ବର୍ଷ ଧରି କଠୋର ପରିଶ୍ରମ କରୁଥିଲେ ହେଁ, ସେ ଯେ ଦଳର ଚେହେରା ହେବେ, ତାହା ଘୋଷଣା କରିବା ଲାଗି କେନ୍ଦ୍ରୀୟ ନେତୃତ୍ବ ପ୍ରସ୍ତୁତ ନୁହଁନ୍ତି।ଫଳରେ ବରାବର ରାଜ୍ୟ ନେତୃତ୍ବ ଭିତରେ ଚେହେରାକୁ ନେଇ ପ୍ରତିଦ୍ବନ୍ଦ୍ବିତା ହେଉଛି। ଗୋଷ୍ଠୀବାଦ ବଢିବା ସହିତ ଅଲକ୍ଷ୍ୟରେ ବିରୋଧୀ ରାଜନୈତିକ ଶକ୍ତି ବିଭ୍ରାଟ, ବିବାଦ ସୃଷ୍ଟି କରାଇବାରେ ସକ୍ଷମ ହେଉଛନ୍ତି। ଏ କ୍ଷେତ୍ରରେ ଓଡ଼ିଶା ବି ଉଦାହରଣ। ବିଜେପିି ଭିତରୁ ବିଜେଡି ଅନେକ ଶକ୍ତି ପାଉଛି।
ଦିଲ୍ଲୀ ରାଜନୀତିର ଭିନ୍ନ ଏକ ପୃଷ୍ଠଭୂମି ରହିଛି,ଯାହା ଓଡ଼ିଶା ସହିତ ସମାନ। ଆନ୍ନା ଆନ୍ଦୋଳନରୁ ଜନ୍ମ ନେଇଥିବା କେଜ୍ରିଵାଲ ଉଭୟ ଇନକିଲାବ୍ ଓ ଭାରତମାତା ନାରାବାଜି ସହିତ ଅଭ୍ୟସ୍ତ। କାରଣ ସେହି ମଞ୍ଚରେ ଆନ୍ନା ଥିଲେ ଓ ରାମଦେବ, ରବିଶଙ୍କର ବି। ଗୋଟିଏ ସମୟରେ କଂଗ୍ରେସ ଶିବିର ବିଶ୍ବାସ କରୁଥିଲେ ଯେ କେଜ୍ରିଵାଲ ହେଉଛନ୍ତି ଆରଏସଏସ୍ ମାର୍କା ନେତା, ଯିଏ ଉପାରେ ବିଭ୍ରାଟ ସୃଷ୍ଟି କରିବା ଲାଗି ଅଭିପ୍ରେତ। ଏଥିରେ କେତେ ସତ୍ୟତା ଅଛି ତାହା ଅଲଗା କଥା, କିନ୍ତୁ କେଜ୍ରିଵାଲ ଉଭୟ ଗଣିତକୁ ଭଲ ଭାବେ ବୁଝିଛନ୍ତି, ଠିକ୍ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି। ନବୀନ ମଧ୍ୟ ବିଜେପି ସହିତ ଦୀର୍ଘ ୧୧ ବର୍ଷ ଧରି ବନ୍ଧୁତା ବାନ୍ଧିଥିଲେ ଓ ନିକଟତର ଥିଲେ। ଏଠାରେ ହିନ୍ଦୁ କାର୍ଡ କାମ ଦେବନି। ଉଭୟ ନେତାଙ୍କ କ୍ଷେତ୍ରରେ ଆଉ ଏକ ସମାନ ସୂତ୍ର ବିଫଳ ହେବ, ତାହା ହେଉଛି ଆକ୍ରମଣାତ୍ମକ ପ୍ରଚାର। ଅତୀତରେ ଓଡ଼ିଶାରେ ହୋଇଥିଲା, ଏବେ ଦିଲ୍ଲୀରେ ହେଲା। କାରଣ ଉଭୟ ସହରର ଗୋଟିଏ ବଡ଼ ବିଶେଷତ୍ବ ହେଉଛି, ମୂଳ ଅଧିବାସୀ ଗୋଟିଏ ଧର୍ମ, ବିଶ୍ବାସ ବା ଭାବଧାରା ସହିତ ଆଦୌ ସଂପୃକ୍ତ ନୁହଁନ୍ତି। ଯାହାକୁ ବିଜେପି ନେତା ଏଯାଏ ବୁଝିନଥିବା ଭଳି ବ୍ୟବହାର ଦେଖାଇ ଆସୁଛନ୍ତି।
ଦୀର୍ଘ ୪ବର୍ଷ ଧରି ନିରବରେ ବସିରହିବା ଓ ଶେଷ ୬ମାସ ବା ବର୍ଷେ ଗର୍ଜିବା ଦ୍ବାରା ସଂଗଠନ ବଢେ ନାହିଁ। ସଂଗଠନ ପାଇଁ ଲଗାତାର କସରତ ଦରକାର, ଯାହା ମୋଦୀ-ଶାହଙ୍କ ଦଳରେ ଆଉ ଦେଖାଯାଉନାହିଁ। ଏଇ ଯେମିତି ଓଡ଼ିଶାରେ ବିଜେପି ଭୋଟ ବଢିବା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ଉଦ୍ୟମ ଯେତିକି, ବିଜେପିର ସାଂଗଠନିକ ଯୋଗଦାନ ସେତିକି ନାହିଁ। ଦଳବିଭିନ୍ନ ସମୟରେ ସଦସ୍ୟତା, କାର୍ଯ୍ୟକ୍ରମ ସଂପର୍କରେ ଯେତେ ତଥ୍ୟ ଦେଇଛି, ସେଥିରେ ସତ କମ୍, ପ୍ରଚାର ଅଧିକ ରହିଛି। ଏକଥା କେବଳ ଓଡ଼ିଶାରେ ସୀମିତ ତା ନୁହେଁ, ଅଣ ବିଜେପି ରାଜ୍ୟରେ ସମାନ ଫର୍ମୁଲାରେ ଦଳ ଆଗକୁ ବଢୁଛି। ଦିଲ୍ଲୀରେ ବି ଲୋକଙ୍କ ପାଖରେ ମୋଦୀ-ଶାହଙ୍କ ବାର୍ତା ନ ପହଞ୍ଚିବା ପଛରେ ଏକ ବଡ଼ କାରଣ ହେଲା, ବିଜେପିିର ମୂଳ ଏମିତି ଯେ ସେଥିରେ ଯେତେ ସାର, ପାଣି ଦେଲେ ବି ତାହା ଦୁର୍ବଳ ଚେର କାରଣରୁ ଢେର୍ ପ୍ରଭାବିତ ହେଉଛି।