ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ

0

ଭୁବନେଶ୍ବର: ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଛି। କଟକ ଏସସିବି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ୭୦ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ଗତ ୧୮ ତାରିଖରୁ ଅସୁସ୍ଥତା କାରଣରୁ କଟକ ଏସସିବିରେ ଭର୍ତ୍ତି ହୋଇଥିବା ବେଳେ ଆଜି ସକାଳେ ତାଙ୍କର ହୃଦଘାତ ଘଟିଥିଲା। କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ କମଳା ପୂଜାରୀ। ଅନ୍ୟପଟେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ କମଳା ପୂଜାରୀଙ୍କ ଶେଷ କୃତ୍ୟ ସଂପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ବାର୍ଦ୍ଧକ୍ୟ ଯୋଗୁଁ ସେ ବାରମ୍ବାର ଅସୁସ୍ଥ ହୋଇପଡୁଥିଲେ। ଏହିବର୍ଷ ଆରମ୍ଭରେ ଜାନୁୟାରୀ ଏବଂ ମାର୍ଚ୍ଚ ମାସରେ ମଧ୍ୟ କମଳା ଗୁରୁତର ଅସୁସ୍ଥ ହୋଇ କଟକ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ତେବେ କୋରାପୁଟ ଜିଲ୍ଲାର ନିବାସୀ ପଦ୍ମଶ୍ରୀ କମଳା ପୂଜାରୀ ଜୈବିକ ପଦ୍ଧତିରେ ପ୍ରାୟ ୧୦୦ରୁ ଅଧିକ କିସମର ଧାନ ଉତ୍ପାଦନ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଏଥିପାଇଁ ତାଙ୍କୁ ୨୦୧୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।

ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ କୃତ୍ୟ ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହିତ ସ୍ବର୍ଗତ ପୂଜାରୀଙ୍କ ପୁଅ ଟଙ୍କଧର ପୂଜାରୀଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇ ଶାନ୍ତ୍ବନା ମଧ୍ୟ ଦେଇଛନ୍ତି।

ଅନ୍ୟପକ୍ଷରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି, ଓଡ଼ିଶାର ଗର୍ବ ଓ ଗୌରବ, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କମଳା ପୂଜାରୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଭିନ୍ନ କିସମର ଧାନ ସଂଗ୍ରହ କରିବା ସହ ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ତାଙ୍କର ବିରଳ କୃତିତ୍ୱ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ବୋଲି ନବୀନ କହିଛନ୍ତି।

କୋରାପୁଟ ଜିଲ୍ଲାର ଏକ ଛୋଟ ଅଖ୍ୟାତ ଗ୍ରାମ ପାତ୍ରପୁଟ ଗାଁରେ ଜୈବିକ ପଦ୍ଧତିରେ ପାରମ୍ପରିକ ଚାଷବାସ କରି ଚର୍ଚ୍ଚାକୁ ଆସିଥିଲେ ଆଦିବାସୀ ମହିଳା କମଳା ପୂଜାରୀ। କୃଷି କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସ୍ଥାନୀୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ମଞ୍ଚରେ ଅନେକ ଥର ପୁରସ୍କୃତ ହୋଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ।ରାଜ୍ୟର ପ୍ରଥମ ଆଦିବାସୀ ମହିଳା ଭାବେ ତାଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ୨୦୦୪ ମସିହାରେ ତାଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ‘ଶ୍ରେଷ୍ଠ ମହିଳା ଚାଷୀ’ ଓ ୨୦୧୯ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ଆଭୂଷିତ କରାଯାଇଥିଲା ।

Leave A Reply

Your email address will not be published.