ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସମେତ ୪ ବଲିଉଡ୍ ଷ୍ଟାରଙ୍କୁ ହତ୍ୟା ଧମକ। ପାକିସ୍ତାନରୁ ଇ-ମେଲ ମାଧ୍ୟମରେ ଆସିଲା ହତ୍ୟା ଧମକ। କମେଡି କିଙ୍ଗ୍ କପିଲ୍ ଶର୍ମା, କମେଡିଆନ ରାଜପାଲ ଯାଦବ, ରେମୋ ଡିସୁଜା, କମେଡିଆନ ସୁଗନ୍ଧା ମିଶ୍ରଙ୍କୁ ମିଳିଛି ହତ୍ୟା ଧମକ। ଏନେଇ ଥାନାରେ ଏତଲା ଦେଇଛନ୍ତି ଏହି ୪ ଅଭିନେତା ଓ ଅଭିନେତ୍ରୀ।
ପ୍ରାଥମିକ ସୂଚନା ଅନୁସାରେ, ମେଲ ପଠାଇଥିବା ବ୍ୟକ୍ତି ମେଲ ଶେଷରେ ନିଜର ନାମ ବିଷ୍ଣୁ ବୋଲି ଲେଖିଛି ଏବଂ ମେଲଟି ପାକିସ୍ତାନରୁ [email protected] ଆଇଡିରୁ ଆସିଛି । କେବଳ ଏହି ଅଭିନେତା ଏବଂ ଅଭିନେତ୍ରୀଙ୍କୁ ନୁହେଁ ଏହି ଧମକପୂର୍ଣ୍ଣ ମେସେଜଗୁଡ଼ିକରେ ତାଙ୍କ ପରିବାର ଏବଂ ନିକଟ ସହଯୋଗୀମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି। ମେଲରେ ଲେଖାଯାଇଛି ଯେ, ‘ଆମେ ତୁମର ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖୁଛୁ। ଏକ ସମ୍ବେଦନଶୀଳ ବିଷୟକୁ ଆପଣଙ୍କ ଦୃଷ୍ଟିକୁ ଆଣିବା ଗୁରୁତ୍ୱପୂର୍ଣ୍ଣ। ଆମେ ଆପଣଙ୍କୁ ହଇରାଣ କରିବାକୁ ଚାହୁଁନାହୁଁ। ଆପଣଙ୍କୁ ଆମର ଅନୁରୋଧ ଯେ, ଆପଣ ଏହି ବାର୍ତ୍ତାକୁ ବହୁତ ଗମ୍ଭୀରତାର ସହ ନିଅନ୍ତୁ ଏବଂ ଗୋପନୀୟତା ବଜାୟ ରଖନ୍ତୁ।
ମେଲରେ ଆହୁରି ଲେଖାଯାଇଛି ଯେ, ଯଦି ଆମର ଦାବି ଗ୍ରହଣ କରାନଯାଏ, ତେବେ ରାଜପାଲ ଯାଦବ, ସୁଗନ୍ଧା ମିଶ୍ର ଏବଂ ରେମୋ ଡିସୁଜାଙ୍କୁ ଭୟାଭୟ ପରିଣାମ ଭୋଗିବାକୁ ପଡିବ। ଆଠ ଘଣ୍ଟା ମଧ୍ୟରେ ମେଲ୍ ର ଜବାବ ଦେବାକୁ ଦାବି କରିଛି ମେଲ୍ କରିଥିବା ବ୍ୟକ୍ତି। ମେଲରେ ଏହା ମଧ୍ୟ ଲେଖିଛି ଯେ, ଯଦି ଆମକୁ କୌଣସି ଉତ୍ତର ନ ମିଳେ, ତେବେ ଆମେ ଧରିନେବୁ ଯେ ଆପଣ ଏହି ବିଷୟକୁ ଗମ୍ଭୀରତାର ସହ ନେଉନାହାଁନ୍ତି ଏବଂ ଆମେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ତେବେ ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ରାଜପାଲ ଯାଦବଙ୍କ ପତ୍ନୀ ରାଧା ରାଜପାଲ ଯାଦବ ମୁମ୍ବାଇର ଆମ୍ବୋଲି ପୋଲିସ ଷ୍ଟେସନରେ ଏକ ପୋଲିସ ଅଭିଯୋଗ ଦାଖଲ କରିଛନ୍ତି। ଆମ୍ବୋଲି ପୋଲିସ ଭାରତୀୟ ଦଣ୍ଡ ସଂହିତାର ଧାରା ୩୫୧ (୩ ) ଅନୁଯାୟୀ ଏକ ମାମଲା ରୁଜୁ କରିଛି। ସେପଟେ ଏହି ମାମଲାରେ ସୁଗନ୍ଧା ମିଶ୍ର ଏବଂ ରେମୋ ଡିସୁଜା ମଧ୍ୟ ସମାନ ପ୍ରସଙ୍ଗରେ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସର କହିବା ଅନୁଯାୟୀ, ଧମକପୂର୍ଣ୍ଣ ଇମେଲ୍ ପାକିସ୍ତାନରୁ ପଠାଯାଇଥିଲା। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ପୋଲିସ ଏପର୍ଯ୍ୟନ୍ତ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରିନାହିଁ।
ପ୍ରମୁଖ ଖବର
ପ୍ରେସର ବୋମା ବିସ୍ଫୋରଣରେ ଯବାନ ସହିଦ
କୋରାପୁଟ ଜିଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ
ଇସ୍ରାଏଲରେ ଚାକିରି ଦେବା ନାଁରେ ଠକେଇ, ନକଲି ସାକ୍ଷାତକାର ବେଳେ ୩ ଗିରଫ
ସମ୍ବଲପୁରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ଝାଡ଼ଖଣ୍ଡରେ ପୋଲିସ ଏନକାଉଣ୍ଟର, ୮ ନକ୍ସଲ ନିପାତ
ସରକାରଙ୍କୁ ଡାକ୍ତରଙ୍କ ଚେତାବନୀ; ୭ ଦଫା ଦାବି ପୂରଣ ନହେଲେ ସମୂହ ଇସ୍ତଫା