ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା

0

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରିଛନ୍ତି। ଆଜି କ୍ୟାବିନେଟ ସ୍ବତନ୍ତ୍ର ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସରକାରଙ୍କ ପକ୍ଷରୁ କୁହାଯାଇଛି, କାନ୍ତକବିଙ୍କ ରଚିତ ସମ୍ପୂର୍ଣ୍ଣ ଗୀତ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ଭାବରେ ଗ୍ରହଣ କରାଗଲା। ଏହି ସଙ୍ଗୀତ ଗାୟନର ଅନୁମୋଦିତ ସ୍ବର, ଶୈଳୀ ତଥା ରେକର୍ଡିଂ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ପ୍ରସ୍ତୁତ କରାଯିବ। ଏହାର ଗାୟନ ଅବଧି, ସ୍ବର ତଥା ଶୈଳୀ ରେକର୍ଡିଂ ପ୍ରକାରେ ନିର୍ଧାରିତ ହେବ। ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଧାନସଭାର ଅଧିବେଶନ ଏବଂ ଅନ୍ୟାନ୍ୟ ସ୍ବତନ୍ତ୍ର ଭାବରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଏହି ସଙ୍ଗୀତର ବିନା ବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ ଗାନ କରାଯିବ।

ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଙ୍ଗୀତ କିମ୍ବା ବାଦ୍ୟ ଯନ୍ତ୍ର ସଙ୍ଗତ ସହିତ ଏହାକୁ ପରିବେଷଣ କରାଯିବ। ଉଦଘାଟନୀ, ଉଦଯାପନୀ ଓ ଉଦବୋଧନୀ ସଙ୍ଗୀତ ଭାବରେ ଏହା ଗାନ କରାଯିବା ସମୟରେ ରାଜ୍ୟ ସଙ୍ଗୀତ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଉପସ୍ଥିତ ସମସ୍ତେ ସଙ୍ଗୀତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଣ୍ଡାୟମାନ ରହିବେ।

ମାତ୍ର ବୟସ୍କ, ଅସୁସ୍ଥ, ଭିନ୍ନକ୍ଷମ, ଗର୍ଭବତୀ ମହିଳା ଯେଉଁମାନେ ନିଜର ଉପରୋକ୍ତ ଅକ୍ଷମତା କାରଣରୁ ଦଣ୍ଡାୟମାନେ ହେବାରେ ଅସୁବିଧା ଅନୁଭବ କରୁଥିବେ, ସେମାନେ ଏହି ସଙ୍ଗୀତ ପରିବେଷଣ ସମୟରେ ନିଜ ସ୍ଥାନରେ ନମ୍ର ଭାବରେ ବସିରହି ଏଥିପ୍ରତି ସମ୍ମାନ ପ୍ରଦର୍ଶନ କରିବେ। ଶିଶୁମାନଙ୍କୁ ମଧ୍ୟ ଏହି ସଙ୍ଗୀତ ପରିବେଷଣ ବା ଗାନ ସମୟରେ ଦଣ୍ଡାୟମାନ ରହିବାରୁ ଅବ୍ୟାହତି ଦିଆଗଲା।

ଏହି ସଙ୍ଗୀତ ପୁଲିସ ବ୍ୟାଣ୍ଡ, ବଂଶୀ, ସୀତାର ଭଳି ବିଭିନ୍ନ ବାଦ୍ୟ ଯନ୍ତ୍ର ମାଧ୍ୟମରେ ପରିବେଷଣ କରାଯିବ। ଏହି ସଙ୍ଗୀତର ପ୍ରଚାର ପ୍ରସାର ତଥା ଅଭିବୃଦ୍ଧି ନିମନ୍ତେ ଏହାର ସୃଜନାତ୍ମକ ପରିବେଷଣ ଉପରେ କୌଣସି କଟକଣା ରହିବ ନାହିଁ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହି ସଙ୍ଗୀତକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦେଶ ଦିଆଗଲା।

ଉଲ୍ଲେଖଯୋଗ୍ୟ, କାନ୍ତକବିଙ୍କର ଏହି କାଳଜୟୀ ରଚନା ବନ୍ଦେ ଉତ୍କଳ ଜନନୀ ୧୯୧୨ ମସିହାରୁ ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଗାନ କରାଯାଇ ଆସୁଅଛି। ୧୯୩୬ ଏପ୍ରିଲ ପହିଲାରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରଠାରୁ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତ ଭାବରେ ପ୍ରତିଟି ଓଡ଼ିଆର ହୃଦୟ ଓ ଭାବନାରେ ରହିଛି। ୧୯୯୪ ମସିହା ନଭେମ୍ବର ୭ ତାରିଖ ଦିନ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ତଥା ବିଧାନସଭାର ତତ୍କାଳୀନ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବନ୍ଦେ ଉତ୍କଳ ଜନନୀକୁ ବିଧାନସଭାର ପ୍ରତି ଅଧିବେଶନର ଶେଷ ଦିବସରେ ଉଦଯାପନୀ ସଙ୍ଗୀତ ଭାବେ ଗାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏବଂ ତାହା ଅଦ୍ୟାବଧି ପାଳିତ ହୋଇ ଆସୁଛନ୍ତି। ପରବର୍ତୀ ସମୟରେ ବିଧାନସଭାର ବୈଠକମାନଙ୍କରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ସଂପର୍କରେ ଅନେକ ବିଚାର ଆଲୋଚନା କରାଯାଇଛି।

କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହିତ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ ଗତ ମେ ୩୦ ତାରିଖ ସନ୍ଧ୍ୟା ସାଢେ ପାଞ୍ଚଟାରେ ସମଗ୍ର ଓଡ଼ିଆ ଜାତି ସମ୍ପୂର୍ଣ୍ଣ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ଓଡ଼ିଆ ସ୍ବାଭିମାନକୁ ନଭଶ୍ଚୁମ୍ବୀ କରିଛନ୍ତି। ଏହା ଥିଲା ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବର ମୁହୂର୍ତ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ କ୍ୟାବିନେଟ୍ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ଭାବରେ ସରକାରୀ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଅବସରରେ କ୍ୟାବିନେଟ୍ କାନ୍ତକବିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Leave A Reply

Your email address will not be published.