ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ବୋର୍ଡ ଓ ନିଗମରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଅଧ୍ୟକ୍ଷ ଓ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ସରକାର ତତ୍ପରତା ଦେଖାଇଛନ୍ତି। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ବିଭାଗରୁ ଖାଲି ପଦବୀ ଓ ନିଯୁକ୍ତି ସମ୍ପର୍କିତ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଇଛି। ସରକାରଙ୍କୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୧୭ଟି ବିଭାଗ ଅଧୀନରେ ଥିବା ୩୨ଟି ବୋର୍ଡ ଓ ନିଗମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ନୂଆ ସରକାର କ୍ଷମତାକୁ ଆସିବା ପରେ ଏପର୍ଯ୍ୟନ୍ତ ଏହି ବୋର୍ଡ-ନିଗମଗୁଡ଼ିକରେ ୬୭୭ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଆସନ୍ତା ଜୁନ୍ ୩୦ ସୁଦ୍ଧା ମୋଟ ୧୧୮୩ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଗତ ଦୁଇ ବର୍ଷ ଧରି ବହୁ ବୋର୍ଡ ଓ ନିଗମର ଅଧ୍ୟକ୍ଷ ପଦବୀ ଖାଲି ରହିଛି। ଏହା ସହ ଅନ୍ୟାନ୍ୟ ସଦସ୍ୟ ଓ ପଦାଧିକାରୀଙ୍କ ପଦବୀ ମଧ୍ୟ ଖାଲି ପଡ଼ିଥିବାରୁ ସଂସ୍ଥାଗୁଡ଼ିକର କାର୍ଯ୍ୟକଳାପ ପ୍ରଭାବିତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତ୍ୟେକ ବିଭାଗକୁ ଖାଲି ପଦବୀ ଓ ନିଯୁକ୍ତି ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗଗୁଡ଼ିକ ପକ୍ଷରୁ ତଥ୍ୟ ଦାଖଲ ହେବା ପରେ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ଗତି ମିଳିଥିବା ଜଣାପଡ଼ିଛି। ରାଜନୈତିକ ମହଲରେ ମଧ୍ୟ ବୋର୍ଡ-ନିଗମ ନିଯୁକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି।
ନିକଟରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଦଳ ସଭାପତିଙ୍କ ଦିଲ୍ଲୀ ଗସ୍ତ ସମୟରେ ଏହି ନିଯୁକ୍ତି ପ୍ରସଙ୍ଗ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ଏବେ ଖାଲି ପଦବୀ ପୂରଣ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଶୀଘ୍ର ବିଭିନ୍ନ ବୋର୍ଡ ଓ ନିଗମରେ ନୂତନ ନିଯୁକ୍ତି ଘୋଷଣା ହେବ ବୋଲି ଆଶା କରାଯାଉଛି।