ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍ଓ)ରୁ ଦୁଇଟି ତଦନ୍ତ କମିଶନ ରିପୋର୍ଟ ନିଖୋଜ ହୋଇଥିବା ଅଭିଯୋଗ ମାମଲାରେ ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କୁ ନୋଟିସ ଜାରି କରିଛି ଓଡ଼ିଶା ପୋଲିସ। ଭୁବନେଶ୍ୱର କ୍ୟାପିଟାଲ ଥାନା ପକ୍ଷରୁ ଜାରି ହୋଇଥିବା ଏହି ନୋଟିସରେ ପାଣ୍ଡିଆନଙ୍କୁ ଜୁଲାଇ ୨୫ ତାରିଖ ସକାଳ ୧୧ଟାରେ ଏସିପି, ଜୋନ୍-୧ଙ୍କ ସମ୍ମୁଖରେ ହାଜର ହେବାକୁ କୁହାଯାଇଛି। ୨୦୦୦ ବ୍ୟାଚର ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ। ପରେ ସେ ସ୍ୱେଚ୍ଛାକୃତ ଅବସର ନେଇ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ଦୁଇଟି ତଦନ୍ତ କମିଶନ ରିପୋର୍ଟ ସିଏମ୍ଓ ରେକର୍ଡରୁ ନିଖୋଜ ଥିବା ଅଭିଯୋଗକୁ ନେଇ ପୋଲିସ ତଦନ୍ତ ଜୋରଦାର କରିଛି।
ଏହାପୂର୍ବରୁ ଏହି ମାମଲାରେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର ଓ ଆଇଏଏସ୍ ଅଧିକାରୀ ରାଜେଶ ବର୍ମାଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଥିଲା। ମନୋଜ ମିଶ୍ର ପୋଲିସ ସମ୍ମୁଖରେ ହାଜର ହୋଇ ବୟାନ ରେକର୍ଡ କରାଇଥିବାବେଳେ ରାଜେଶ ବର୍ମା ନିର୍ଦ୍ଧାରିତ ସମୟରେ ହାଜର ହୋଇନଥିଲେ। ସିଏମ୍ଓରୁ ଏହି ରିପୋର୍ଟଗୁଡ଼ିକ ନିଖୋଜ ହୋଇଥିବା ଅଭିଯୋଗ ଆଧାରରେ ଏଫ୍ଆଇଆର୍ ରୁଜୁ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଫାଇଲଗୁଡ଼ିକ କେଉଁ ପରିସ୍ଥିତିରେ ହଜିଗଲା ତାହାର ତଦନ୍ତ କରିବା ସହ ସିଏମ୍ଓ ସହ ଜଡିତ ପୂର୍ବତନ ଅଧିକାରୀମାନଙ୍କୁ ପଚରାଉଚରା କରୁଛି ପୋଲିସ।