ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦର୍ଶନ ପାଇଁ ପୁରୀ ଯାଉଥିବା ବେଳେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଶନିବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇସିପୁର ବଜାର ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ସୂଚନା ଅନୁଯାୟୀ, ମହିଳାଜଣକ ବାଇକ୍ ପଛରେ ବସି ପୁରୀ ଅଭିମୁଖେ ସୁନାବେଶ ଦର୍ଶନ ପାଇଁ ଯାଉଥିଲେ। ରାସ୍ତାରେ ଅତ୍ୟଧିକ ଯାନବାହନ ଚଳାଚଳ ମଧ୍ୟରେ କୌଣସି କାରଣରୁ ସେ ବାଇକ୍ରୁ ଖସି ରାସ୍ତା ଉପରେ ପଡ଼ିଯାଇଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ଇନୋଭା କାର୍ ତାଙ୍କ ଉପରେ ଚଢ଼ିଯାଇଥିଲା। ଘଟଣା ସମୟରେ ପେଟ୍ରୋଲିଂରେ ଥିବା ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ମହିଳାଙ୍କୁ ପୁଲିସ ଭ୍ୟାନରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରିପୋର୍ଟ ଲେଖାଯିବା ସୁଦ୍ଧା ମୃତ ମହିଳାଙ୍କର ପରିଚୟ ସ୍ପଷ୍ଟ ହୋଇନଥିଲା। ତେବେ ତାଙ୍କ ବୟସ ପ୍ରାୟ ୩୫ରୁ ୪୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେ ନୟାଗଡ଼ ଜିଲ୍ଲାର ବାସିନ୍ଦା ବୋଲି ପ୍ରାଥମିକ ସୂଚନା ମିଳିଛି। ଦୁର୍ଘଟଣା ଘଟାଇଥିବା ଇନୋଭା କାର୍କୁ ପୁଲିସ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି। ସାତଶଙ୍ଖ ଫାଣ୍ଡି ଅଧିକାରୀ ମନୋରଞ୍ଜନ ପରିଡା ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।