ନୂଆଦିଲ୍ଲୀ: ସାର୍ବଜନୀନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟାୟକୁ ରୋକିବା ଲକ୍ଷ୍ୟରେ ଆଗତ ସାର୍ବଜନୀନ ପରୀକ୍ଷା (ଅନ୍ୟାୟ ନିବାରଣ) ସଂଶୋଧନ ବିଲ୍, ୨୦୨୬ ବୁଧବାର ଲୋକସଭାରେ ବାଚନିକ ଭୋଟ୍ରେ ପାରିତ ହୋଇଛି। ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ବିଲ୍ଟିକୁ ଗୃହର ମଞ୍ଜୁରି ମିଳିଛି। ଏହା ପୂର୍ବରୁ ମଙ୍ଗଳବାର ବିଲ୍ ଉପରେ ପ୍ରାୟ ୯ ଘଣ୍ଟା ଧରି ବିସ୍ତୃତ ଆଲୋଚନା ହୋଇଥିଲା। ଶାସକ ଓ ବିରୋଧୀ ଦଳର ସାଂସଦମାନେ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ଜବାବଦେହିତା ଏବଂ ସଂସ୍କାରର ଆବଶ୍ୟକତା ଉପରେ ମତ ରଖିଥିଲେ। ବୁଧବାର ଆଲୋଚନା ଶେଷ ହେବା ପରେ ବିଲ୍ଟିକୁ ବାଚନିକ ଭୋଟ୍ ପାଇଁ ରଖାଯାଇଥିଲା ଏବଂ ଏହା ଲୋକସଭାରେ ପାରିତ ହୋଇଥିଲା।
ସଂଶୋଧିତ ବିଲ୍ରେ ପେପର ଲିକ୍, ସଂଗଠିତ ପରୀକ୍ଷା ଠକେଇ ଏବଂ ଅନ୍ୟାନ୍ୟ ଅନ୍ୟାୟ ବିରୋଧରେ ଆଇନକୁ ଆହୁରି କଡ଼ାକଡ଼ି କରାଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ଏଭଳି ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସର୍ବାଧିକ ୧୦ ବର୍ଷ କାରାଦଣ୍ଡ ଦିଆଯାଇପାରିବ। ଏହି ସଂଶୋଧନ ମାଧ୍ୟମରେ ପ୍ରତିଯୋଗିତାମୂଳକ ଓ ନିଯୁକ୍ତି ପରୀକ୍ଷାର ବିଶ୍ୱସନୀୟତା ସୁନିଶ୍ଚିତ କରିବା ସହ ପ୍ରଶ୍ନପତ୍ର ଲିକ୍ ଚକ୍ର ଉପରେ କଠୋର ଅଙ୍କୁଶ ଲଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସମ୍ପ୍ରତି ଦେଶର ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ, ଏହି ବିଲ୍କୁ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।