ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭ ପୋଲିସରେ କାର୍ଯ୍ୟରତ ଓଏସଏପି କନଷ୍ଟେବଳଙ୍କ ମୃତଦେହ ସୋମବାର ଟାଉନ ଥାନା ପୋଲିସ ଏକ ଭଡ଼ାଘରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। ମୃତ ଯବାନଙ୍କ ନାମ ଶଙ୍କର ପ୍ରଧାନ। ସେ ଖମାର ସାହିରେ ପରିବାର ସହ ଭଡ଼ାଘରେ ରହୁଥିଲେ। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ପୋଲିସ ସନ୍ଦେହ କରୁଛି।
ସୂଚନା ଅନୁଯାୟୀ, ରବିବାର ଶଙ୍କର ପରିବାର ସହ ଖାଇପିଇବା ପରେ କୌଣସି କାରଣକୁ ନେଇ ସ୍ତ୍ରୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ପରେ ପରିବାରର ସମସ୍ତେ ଶୋଇବାକୁ ଚାଲିଯାଇଥିଲେ। ଏହାପରେ ଶଙ୍କର ରୋଷେଇ ଘରକୁ ଯାଇଥିବା ବେଳେ ସେଠାରେ ଗାମୁଛା ସାହାଯ୍ୟରେ ଝୁଲି ପଡ଼ିଥିବା ଅଭିଯୋଗ ହୋଇଛି। ସୋମବାର ସକାଳେ ଘଟଣା ସାମ୍ନାକୁ ଆସିବା ପରେ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା ଜଣେ ଏସ୍ଆଇ ସୂଚନା ଦେଇଛନ୍ତି। ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି।