ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଲକ୍ଷ୍ମଣରାଓ ମାନକର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଓ ପର୍ଯ୍ୟବେକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି ଯେ ସେ ପ୍ରାୟ ୩୦ ବର୍ଷ ଧରି ସାର୍ବଜନୀନ ଜୀବନରେ ସକ୍ରିୟ ଅଛନ୍ତି, କିନ୍ତୁ ଏବେ ଆଉ ଅଧିକ କାର୍ଯ୍ୟଭାର ସମ୍ଭାଳିବା ସମ୍ଭବ ନୁହେଁ। ତେଣୁ ନୂଆ ପିଢ଼ିକୁ ଆଗକୁ ଆସିବାର ସୁଯୋଗ ଦେବା ଉଚିତ ବୋଲି ସେ କହିଛନ୍ତି।
ଗଡକରୀ କହିଛନ୍ତି ଯେ ସାର୍ବଜନୀନ ଜୀବନର ଦୀର୍ଘ ଯାତ୍ରାରେ ସେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି ଏବଂ ବିଭିନ୍ନ ସମ୍ମାନ ମଧ୍ୟ ପାଇଛନ୍ତି। କିନ୍ତୁ ଏବେ ନୂଆ ପିଢ଼ି ଦାୟିତ୍ୱ ନେଇ କାମ କରିବାର ସମୟ ଆସିଛି ବୋଲି ତାଙ୍କ ମତ। ତାଙ୍କ ଏହି ମନ୍ତବ୍ୟ ପରେ ତାଙ୍କ ରାଜନୈତିକ ଭବିଷ୍ୟତ ଓ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ପୁନର୍ଗଠନକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି।
ତେବେ ଗଡକରୀ ନିଜେ ରାଜନୀତିରୁ ଅବସର ନେବା ସମ୍ପର୍କରେ କୌଣସି ସ୍ପଷ୍ଟ ଘୋଷଣା କରିନାହାନ୍ତି। କାର୍ଯ୍ୟକ୍ରମରେ ଗଡକରୀ ନିଜ ଜୀବନଶୈଳୀ ସମ୍ପର୍କରେ ମଧ୍ୟ କଥା ରଖିଥିଲେ। କୋଭିଡ୍-୧୯ ମହାମାରୀ ପରେ ସେ ନିଜ ଦୈନନ୍ଦିନ ଜୀବନରେ ପରିବର୍ତ୍ତନ ଆଣିଥିବା ଏବଂ ନିୟମିତ ଯୋଗ କରୁଥିବା କହିଥିଲେ। ସ୍ୱାସ୍ଥ୍ୟ ଭଲ ନଥିଲେ କ୍ଷମତା ଓ ସମ୍ପତ୍ତିର କୌଣସି ମୂଲ୍ୟ ନାହିଁ ବୋଲି ସେ ମତ ଦେଇଥିଲେ।
ଏହା ସହିତ ମହାରାଷ୍ଟ୍ରର ଆଦିବାସୀ ଅଞ୍ଚଳର ବିକାଶ ଉପରେ ମଧ୍ୟ ଗଡକରୀ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟର କୌଣସି ଆଦିବାସୀ ଗାଁ ବିଦ୍ୟୁତ ବିନା ନ ରହୁ ଏବଂ ବିକାଶର ଲାଭ ସବୁ ଅଞ୍ଚଳରେ ପହଞ୍ଚୁ ଏହା ତାଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ। ଗଡକରୀଙ୍କ ‘ନୂଆ ପିଢ଼ିକୁ ସୁଯୋଗ’ ବାର୍ତ୍ତା ନୂଆ ନୁହେଁ। ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ସେ ପୁରୁଣା ପିଢ଼ି ଧୀରେ ଧୀରେ ଦାୟିତ୍ୱ ନୂଆ ପିଢ଼ିକୁ ହସ୍ତାନ୍ତର କରିବା ଉଚିତ ବୋଲି କହିଥିଲେ।