ଅନୁଗୁଳୁ: ଅନୁଗୁଳୁ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ସାନବାଗଦରୀ ଗାଁରେ ଏହି ରୋଗର ମାମଲା ବୃଦ୍ଧି ପାଇବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଗତ ଦୁଇ ଦିନରେ ଅଞ୍ଚଳରୁ ୧୯ ଜଣଙ୍କ ନମୁନା ପଜିଟିଭ୍ ଆସିଥିବା ବେଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସଂକ୍ରମଣ ସମ୍ପର୍କରେ ଖବର ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ସାନବାଗଦରୀରେ ପହଞ୍ଚିଛି। ସନ୍ଦିଗ୍ଧ ରୋଗୀଙ୍କ ଚିହ୍ନଟ ସହ ନମୁନା ସଂଗ୍ରହ ଓ ପରୀକ୍ଷା ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଗତକାଲି ଗାଁରୁ ୪୩ଟି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଏଥିରୁ ୧୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।
ଚିହ୍ନଟ ହୋଇଥିବା ରୋଗୀମାନଙ୍କୁ ଆବଶ୍ୟକ ଚିକିତ୍ସା ଦିଆଯାଉଛି। ସେମାନଙ୍କ ଅବସ୍ଥା ଉପରେ ଡାକ୍ତରୀ ଟିମ୍ ନଜର ରଖିଥିବା ବେଳେ ଅଧିକ ମାମଲା ଚିହ୍ନଟ ପାଇଁ ଗାଁରେ ସ୍ୱାସ୍ଥ୍ୟ ଯାଞ୍ଚ ଜାରି ରହିଛି। ସ୍କ୍ରବ୍ ଟାଇଫସ୍ ସାଧାରଣତଃ ଜଙ୍ଗଲ, ବୁଦା ଓ ଘାସୁଆ ଅଞ୍ଚଳରେ ଅଧିକ ସମୟ କାମ କରୁଥିବା ଲୋକଙ୍କୁ ପ୍ରଭାବିତ କରିଥାଏ। ଏକ ପ୍ରକାର କୀଟର କାମୁଡ଼ା ଯୋଗୁଁ ଏହି ସଂକ୍ରମଣ ହୋଇଥାଏ। ତୀବ୍ର ଜ୍ୱର, ମୁଣ୍ଡବିନ୍ଧା, ଶରୀରରେ ଯନ୍ତ୍ରଣା ଏବଂ କୀଟ କାମୁଡ଼ିଥିବା ସ୍ଥାନରେ କଳା ଦାଗ ହେବା ଏହାର ପ୍ରମୁଖ ଲକ୍ଷଣ ଭାବେ ଦେଖାଯାଏ। ବିଶେଷଜ୍ଞଙ୍କ ଅନୁସାରେ, ଠିକ୍ ସମୟରେ ରୋଗ ଚିହ୍ନଟ କରି ଚିକିତ୍ସା ଆରମ୍ଭ ନକଲେ ସ୍କ୍ରବ୍ ଟାଇଫସ୍ ଗୁରୁତର ରୂପ ନେଇପାରେ। ତେଣୁ ସାନବାଗଦରୀ ସମେତ ପାଲଲହଡ଼ା ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିରୀକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି।