ଭୁବନେଶ୍ବର: ଚଳିତବର୍ଷ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗୁରୁ ଦିବସ-୨୦୨୬ ପାଳନ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗୁରୁ ଦିବସ ଅବସରରେ ବିଦ୍ୟାଳୟ ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଚିହ୍ନଟ କରି ସ୍କୁଲକୁ ଆମନ୍ତ୍ରଣ କରିବାକୁ କୁହାଯାଇଛି। ସେମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯିବ।
ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷକମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ସହ ଛାତ୍ରଛାତ୍ରୀଙ୍କ ମନରେ ଗୁରୁଙ୍କ ପ୍ରତି ସମ୍ମାନ, ଶ୍ରଦ୍ଧା ଓ ଆଦର୍ଶ ଭାବନା ବିକଶିତ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ଶିକ୍ଷକ-ଛାତ୍ର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକରେ ଆୟୋଜିତ କାର୍ଯ୍ୟକ୍ରମର ବିବରଣୀ ଓ ଫଟୋ ଜିଲ୍ଲାୱାରୀ ଭାବେ ସଂଗ୍ରହ କରି ଓସେପା (OSEPA) କାର୍ଯ୍ୟାଳୟକୁ ପଠାଇବାକୁ ମଧ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।
ବିଭାଗର ନିର୍ଦ୍ଦେଶ ଅନୁସାରେ, ପ୍ରତ୍ୟେକ ବିଦ୍ୟାଳୟ ଗୁରୁ ଦିବସ କାର୍ଯ୍ୟକ୍ରମକୁ ସୁଚାରୁ ଢଙ୍ଗରେ ଆୟୋଜନ କରିବେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଯଥୋଚିତ ସମ୍ମାନ ଦେବା ସହ ସେମାନଙ୍କ ଅଭିଜ୍ଞତା ଓ ଅବଦାନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ।