ଭୁବନେଶ୍ବର: ଗୁଣାତ୍ମକ ବିମାନବନ୍ଦର ପରିଚାଳନା କ୍ଷେତ୍ରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA)କୁ ମିଳିଛି ଆଉ ଏକ ବଡ଼ ସ୍ୱୀକୃତି ବିମାନବନ୍ଦରରେ ଏୟାରପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (AAI) ପକ୍ଷରୁ ଲାଗୁ କରାଯାଉଥିବା ଗୁଣାତ୍ମକ ପରିଚାଳନା ବ୍ୟବସ୍ଥାକୁ ISO 9001:2015 ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ବିମାନବନ୍ଦରର ପରିଚାଳନା ଓ ସେବା ବ୍ୟବସ୍ଥାକୁ ଏହି ମାନ୍ୟତା ମିଳିବାକୁ ଗୁଣବତ୍ତା ଓ ଯାତ୍ରୀ ସେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ଦେଖାଯାଉଛି।
ବିମାନବନ୍ଦର କର୍ତ୍ତୃପକ୍ଷ ବୁଧବାର ‘ଏକ୍ସ’ରେ ଏହି ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ISO 14001:2015 ପ୍ରମାଣପତ୍ର ମଧ୍ୟ ମିଳିଥିବା କୁହାଯାଇଛି। ଗୁଣବତ୍ତାପୂର୍ଣ୍ଣ ପରିଚାଳନା, କାର୍ଯ୍ୟକ୍ଷମତା, ପରିବେଶ ସୁରକ୍ଷା ଏବଂ ସ୍ଥାୟୀ ବିମାନବନ୍ଦର ପରିଚାଳନା ପ୍ରତି ରହିଥିବା ପ୍ରତିବଦ୍ଧତାର ଏହା ଏକ ପ୍ରମାଣ ବୋଲି କର୍ତ୍ତୃପକ୍ଷ ଉଲ୍ଲେଖ କରିଛନ୍ତି। InterCert ପକ୍ଷରୁ ଜାରି ପ୍ରମାଣପତ୍ରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ AAIର ଗୁଣାତ୍ମକ ପରିଚାଳନା ବ୍ୟବସ୍ଥାକୁ ISO 9001:2015 ମାନକ ଅନୁଯାୟୀ ପ୍ରମାଣିତ କରାଯାଇଛି। ବିମାନବନ୍ଦରର ଭିତ୍ତିଭୂମି ଯୋଜନା ଓ ବିକାଶଠାରୁ ଆରମ୍ଭ କରି ତାହାର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଏହି ପ୍ରମାଣିକରଣର ପରିସରଭୁକ୍ତ ହୋଇଛି। ଏହା ସହିତ ଏୟାର ନାଭିଗେସନ୍ ସେବା ମଧ୍ୟ ଏହାର ଅଂଶ। ଯାତ୍ରୀଙ୍କୁ ସୁରକ୍ଷିତ, ନିରାପଦ, ଦକ୍ଷ ଓ ଉନ୍ନତ ସେବା ଦେବା ଉପରେ ଏହି ମାନଦଣ୍ଡରେ ବିଶେଷ ଗୁରୁତ୍ୱ ରହିଛି।
ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସମୟରେ ଏହି ମାନ୍ୟତା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଭୁବନେଶ୍ୱର ବିମାନବନ୍ଦର ଦେଇ ପ୍ରାୟ ୫୧ ଲକ୍ଷ ଯାତ୍ରୀ ଯାତାୟାତ କରିଥିଲେ। ୨୦୧୪-୧୫ରେ ଏହି ସଂଖ୍ୟା ପ୍ରାୟ ୧୪ ଲକ୍ଷ ଥିଲା। ଏହି ତୁଳନାରୁ ଗତ ଦଶନ୍ଧିରେ ବିମାନବନ୍ଦରର ଯାତ୍ରୀ ଚାପ ତିନିଗୁଣରୁ ଅଧିକ ବଢ଼ିଥିବା ସ୍ପଷ୍ଟ ହେଉଛି। ୨୦୨୫ କ୍ୟାଲେଣ୍ଡର ବର୍ଷ ମଧ୍ୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଉଲ୍ଲେଖନୀୟ ରହିଥିଲା। ପ୍ରଥମ ଥର ପାଇଁ ବାର୍ଷିକ ଯାତ୍ରୀ ଯାତାୟାତ ୫୦ ଲକ୍ଷ ଅତିକ୍ରମ କରିଥିଲା। ଏହା ବିମାନବନ୍ଦରର ସର୍ବାଧିକ ବାର୍ଷିକ ଯାତ୍ରୀ ଯାତାୟାତ ଭାବେ ରେକର୍ଡ ହୋଇଥିଲା।
ସୂଚନା ଅନୁଯାୟୀ, InterCert ୨୦ ଅଗଷ୍ଟ ୨୦୨୬ରେ ISO 9001:2015 ପ୍ରମାଣପତ୍ର ଜାରି କରିଛି। ଏହାର ସର୍ଭେଲାନ୍ସ ବୈଧତା ୧୯ ଅଗଷ୍ଟ ୨୦୨୭ ପର୍ଯ୍ୟନ୍ତ ରହିଛି। ସେହିପରି ପ୍ରମାଣିକରଣ ଚକ୍ର ୧୯ ଅଗଷ୍ଟ ୨୦୨୯ ପର୍ଯ୍ୟନ୍ତ ବୈଧ ରହିବ। ପ୍ରମାଣପତ୍ରର ପଞ୍ଜୀକରଣ ନମ୍ବର ହେଉଛି IC-QM-2608236।
ISO 9001:2015 ଏକ ବିଶ୍ୱସ୍ତରୀୟ ଗୁଣାତ୍ମକ ପରିଚାଳନା ମାନକ। କୌଣସି ସଂସ୍ଥାର କାର୍ଯ୍ୟପ୍ରଣାଳୀକୁ ସୁସଂଗଠିତ କରିବା ସହ ଗ୍ରାହକ ବା ଉପଭୋକ୍ତା ସନ୍ତୁଷ୍ଟି, ନିରନ୍ତର ଉନ୍ନତି ଏବଂ ସେବାରେ ସ୍ଥାୟୀ ଗୁଣବତ୍ତା ବଜାୟ ରଖିବା ଏହି ମାନକର ପ୍ରମୁଖ ଲକ୍ଷ୍ୟ। ତେଣୁ ବଢ଼ୁଥିବା ଯାତ୍ରୀ ଭିଡ଼ ମଧ୍ୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଏହି ମାନ୍ୟତା ମିଳିବା ବିମାନବନ୍ଦରର ସେବା ବ୍ୟବସ୍ଥାକୁ ଆହୁରି ମଜବୁତ କରିବାର ଦିଗରେ ଏକ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଉଛି।