ଭୁବନେଶ୍ୱର: ପ୍ରଶିକ୍ଷଣ ଶେଷ ପରେ ୨୦୨୪ ବ୍ୟାଚର ୯ ଜଣ ଯୁବ ଆଇଏଏସ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ବିଜ୍ଞପ୍ତି ଅନୁସାରେ, ଅନିମେଶ ପ୍ରଧାନଙ୍କୁ ଆଠଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ ପ୍ରଜ୍ଞାନନ୍ଦନ ଗିରିଙ୍କୁ ତାଳଚେର, କସ୍ତୁରୀ ଶାହଙ୍କୁ ଭବାନୀପାଟଣା ଏବଂ ଫାବି ରାଶିଦଙ୍କୁ କୋରାପୁଟ ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି। ସେହିପରି ମୃଣାଳିକା ରାଠୋରଙ୍କୁ ରାୟଗଡ଼ା, ଶୁଭ୍ରା ପଣ୍ଡାଙ୍କୁ ଜୟପୁର, ପବନ କୁମାରଙ୍କୁ ଟିଟିଲାଗଡ଼, ଭଗତ ଶାମଲ କଲ୍ୟାଣରାଓଙ୍କୁ ପାରଳାଖେମୁଣ୍ଡି ଏବଂ ସନ୍ତୋଷ କୁମାର ପାତ୍ରଙ୍କୁ ବଣାଇଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।
ପ୍ରଶିକ୍ଷଣ ଶେଷ କରି ଫେରିଥିବା ଏହି ଅଧିକାରୀମାନେ ଏବେ ଉପଖଣ୍ଡସ୍ତରରେ ପ୍ରଶାସନିକ ଦାୟିତ୍ୱ ତୁଲାଇବେ। ଏହି ନିଯୁକ୍ତି ମାଧ୍ୟମରେ ତୃଣମୂଳ ସ୍ତରରେ ପ୍ରଶାସନିକ ଅଭିଜ୍ଞତା ହାସଲ କରିବାର ସୁଯୋଗ ପାଇବେ ନବନିଯୁକ୍ତ ଆଇଏଏସ ଅଧିକାରୀମାନେ।