ନୂଆଦିଲ୍ଲୀ: ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ କଲେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଦେବାକୁ ପଡ଼ିବ ବୋଲି ଚାଲିଥିବା ଚର୍ଚ୍ଚାକୁ ନେଇ ସ୍ପଷ୍ଟତା ଆସିଛି। ଏଭଳି କୌଣସି ସରକାରୀ ଟ୍ୟାକ୍ସ କିମ୍ବା ୦.୫ ପ୍ରତିଶତ ଶୁଳ୍କ ବର୍ତ୍ତମାନ ଧାର୍ଯ୍ୟ ହୋଇନାହିଁ ବୋଲି ବିଜେପି ନେତା ଅମିତ ମାଲବ୍ୟ କହିଛନ୍ତି। ୫,୦୦୦ ଟଙ୍କାର ୟୁପିଆଇ ପେମେଣ୍ଟରେ ୨୫ ଟଙ୍କା ଏବଂ ୧୦,୦୦୦ ଟଙ୍କାରେ ୫୦ ଟଙ୍କା ଚାର୍ଜ ଲାଗିବ ବୋଲି ଯେଉଁ ହିସାବ ଭାଇରାଲ ହେଉଛି, ତାହା କୌଣସି ସରକାରୀ ନିଷ୍ପତ୍ତି ଉପରେ ଆଧାରିତ ନୁହେଁ। କେବଳ କଳ୍ପିତ ୦.୫ ପ୍ରତିଶତ ହାରକୁ ଆଧାର କରି ଏହି ଗଣନା କରାଯାଇଛି।
ସେପ୍ଟେମ୍ବର ୧୪ରେ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ରୁପେ ଡେବିଟ୍ କାର୍ଡ ଏବଂ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ଟ୍ରାଞ୍ଜାକ୍ସନ୍ ଉପରେ ଶୁଳ୍କ ଲାଗୁ ନକରିବା ସମ୍ପର୍କିତ ବ୍ୟବସ୍ଥା ରହିଛି। କିନ୍ତୁ ଏଥିରେ ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ପାଇଁ ୦.୫ ପ୍ରତିଶତ ହାର ଧାର୍ଯ୍ୟ କରାଯାଇନାହିଁ। ବର୍ତ୍ତମାନ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ କରୁଥିବା ପି୨ପି ୟୁପିଆଇ ପେମେଣ୍ଟ ମାଗଣା ରହିଛି। ଅର୍ଥାତ୍ ବନ୍ଧୁ, ପରିବାର ସଦସ୍ୟ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ୫,୦୦୦ କିମ୍ବା ୧୦,୦୦୦ ଟଙ୍କା ୟୁପିଆଇରେ ପଠାଇଲେ ଏଥିପାଇଁ ୦.୫ ପ୍ରତିଶତ ସରକାରୀ ଟ୍ୟାକ୍ସ କଟିବ ନାହିଁ।
ତେବେ ଭବିଷ୍ୟତରେ ୨,୦୦୦ ଟଙ୍କାରୁ ଅଧିକ କେତେକ ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନ୍ରେ ଏମ୍ଡିଆର୍ ବ୍ୟବସ୍ଥା ନେଇ ଆଲୋଚନା ହୋଇପାରେ। ଏମ୍ଡିଆର୍ ଏକ ସାଧାରଣ ଗ୍ରାହକ ଟ୍ୟାକ୍ସ ନୁହେଁ। ଏହା ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀଙ୍କ ସହ ଜଡ଼ିତ ଶୁଳ୍କ ବ୍ୟବସ୍ଥା। ଏହାର ହାର ଓ ଲାଗୁ ହେବାର ତାରିଖ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ। ୟୁପିଆଇକୁ ସୁଲଭ ଓ ମାଗଣା ରଖିବା ପାଇଁ ସରକାର ଇନ୍ସେଣ୍ଟିଭ୍ ମାଧ୍ୟମରେ ଆର୍ଥିକ ସହାୟତା ଦେଇଆସୁଛନ୍ତି। ୨୦୨୧-୨୨ରୁ ୨୦୨୪-୨୫ ମଧ୍ୟରେ ୟୁପିଆଇ ଓ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ପାଇଁ ସରକାର ପ୍ରାୟ ୮,୭୩୦ କୋଟି ଟଙ୍କାର ଇନ୍ସେଣ୍ଟିଭ୍ ଦେଇଥିବା ତଥ୍ୟ ରହିଛି।